ଖୋଲୁନି ଜଳଛତ୍ର: ପାଣି ଟୋପେ ପାଇଁ ଡହଳବିକଳ ପଥଚାରୀ
ଭୁବନେଶ୍ବର: ସମ୍ପ୍ରତି କଟକ ଜିଲ୍ଲାରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଲୋକେ ଆଉଟୁପାଉଟୁ ହୋଇଗଲେଣି । ଜନସାଧାରଣଙ୍କ ପାଇଁ କଟକ ସହର ସତେ ଯେମିତି ତତଲା କଡ଼େଇ ଭଳି ହୋଇଯାଇଛି । ବିଶେଷ କରି ବାଟୋଇମାନେ ଅସହ୍ୟ ଖରାରେ ପାଣି ଟୋପେ ପାଇଁ ଡହଳବିକଳ ହେଉଥିବା ଦେଖିବାକୁ ମିଳିଛି । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର ଆଦି ୪ଦିନିଆ ଛୁଟି ଘୋଷଣା କରିଥିବାବେଳେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରତ୍ୟେକ ଜିଲ୍ଲା ତଥା ସ୍ଥାନୀୟ ପ୍ରଶାସନ ଏ ନେଇ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ହେଲେ କଟକ ମହାନଗର ନିଗମ (ସିଏମ୍ସି) ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବା ଦୁର୍ଭାଗ୍ୟଜନକ ବୋଲି କୁହାଯାଉଛି ।
କଟକ ସହରର ବିଭିନ୍ନ ସ୍ଥାନରେ ଥିବା ଥଣ୍ଡା ପାନୀୟ ଜଳ ପ୍ରକଳ୍ପଗୁଡ଼ିକ ଅଚଳ ହୋଇପଡ଼ିଥିବାବେଳେ ଜଳଛତ୍ର ଖୋଲାଯାଇନାହିଁ । ଏଠାରେ ସରକାରଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯାଉନଥିବା ଅଭିଯୋଗ ଉଠୁଛି । ଗ୍ରୀଷ୍ମ ପ୍ରବାହ ତଥା ଅଂଶୁଘାତକୁ ମୁକାବିଲା ପାଇଁ ସିଏମ୍ସି ପକ୍ଷରୁ କେବଳ ବୈଠକରେ ନିଷ୍ପତ୍ତିନେଇ କାର୍ଯ୍ୟ ସାରିଦେଇଥିବା ଚର୍ଚ୍ଚା ହେଉଥିବାବେଳେ ବାସ୍ତବ କ୍ଷେତ୍ରରେ ପଥିକମାନଙ୍କ ନିମନ୍ତେ ପାନୀୟ ଜଳ ଯୋଗାଣ ନେଇ କୌଣସି ପଦକ୍ଷେପ ନିଆଯାଉନାହିଁ । ସିଏମ୍ସି ଅନ୍ତର୍ଗତ ଜଗତପୁର ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ଜଳଛତ୍ର କେନ୍ଦ୍ରଟିଏ ଖୋଲା ଯାଇନଥିବା ସିଏମ୍ସିର ପାରିବାପଣିଆ ଜଳଜଳ ହୋଇ ଦେଖାଯାଉଛି ବୋଲି ବିରୋଧୀ କର୍ପୋରେଟର୍ମାନେ ଅଭିଯୋଗ କରିଛନ୍ତି । ସିଏମ୍ସି ତରଫରୁ ଜଗତପୁର ଅଞ୍ଚଳରେ ରାସ୍ତାକଡ଼ରେ ଜଳଛତ୍ର କେନ୍ଦ୍ର ଖୋଲାଯାଇନାହିଁ । ଜଗତପୁର ଆଇବି ରୋଡ୍ରେ ଚୌଦ୍ୱାର ପରଠାରୁ ଯୋବ୍ରା ତଥା କେନ୍ଦ୍ରାପଡ଼ା ରାସ୍ତାର ଖଇରା ପୋଲଠାରୁ କଟକ ପର୍ଯ୍ୟନ୍ତ ରାସ୍ତାରେ କେଉଁଠି ବି ଲୋକଙ୍କ ପାଇଁ ଶୀତଳ ଜଳ ପ୍ରକଳ୍ପ ନଥିବାବେଳେ ଜଳଛତ୍ର ବ୍ୟବସ୍ଥା କରାଯାଇନାହିଁ । ଅନ୍ୟ ପକ୍ଷରେ ସହରର ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ‘ଜଳ ହିଁ ଜୀବନ’ ହୋଡିଂ ମରାଯାଇଥିଲେ ମଧ୍ୟ ସିଏମ୍ସି ପକ୍ଷରୁ ଗ୍ରୀଷ୍ମକାଳୀନ ଜଳ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଫଳ ହୋଇଛି । ଫଳରେ ଏଭଳି ଅସହ୍ୟ ଖରାରେ ଯାତୟାତ କରୁଥିବା ପଥଚାରୀମାନେ ପାଣି ଟୋପେ ପାଇଁ ହନ୍ତସନ୍ତ ହେଉଛନ୍ତି । ସୂଚନା ଯୋଗ୍ୟ ଯେ, ଗତକାଲି ଜଗତପୁର ବଟ ଛକଠାରେ ମହାନଦୀରେ ମାଛ ଯାଆଁଳ ଛଡ଼ାଯିବା ପାଇଁ ବିରାଟ ଆୟୋଜନ କରାଯାଇଥିଲା । ବହୁ ଅର୍ଥ ବ୍ୟୟ କରାଯାଇ ଏହି କାର୍ଯ୍ୟକ୍ରମ କରାଯାଇଥିବାବେଳେ ଉକ୍ତ ୱାର୍ଡରେ ଜଳଛତ୍ର ଖୋଲିବା ଉପରେ କେହି ଗୁରୁତ୍ୱ ଦେଲେ ନାହିଁ । କାର୍ଯ୍ୟକ୍ରମରେ ସ୍ଥାନୀୟ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ, ସିଏମ୍ସି ମେୟର୍ ସୁବାସ ସିଂହ ଓ ଡେପୁଟି ମେୟର ଦମୟନ୍ତୀ ମାଝୀ ପ୍ରମୁଖ ଯୋଗଦେଇ ପଥଚାରୀଙ୍କ ଦୟନୀୟ ଅବସ୍ଥା ଦେଖିଥିଲେ ମଧ୍ୟ ଜଳଛତ୍ର କେନ୍ଦ୍ରଟିଏ ଖୋଲିବା ନିମନ୍ତେ କୌଣସି ପଦକ୍ଷେପ ନେଲେ ନାହିଁ ଯାହାକୁ ନେଇ ପଥଚାରୀମାନଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି । ଗୋଟିଏ ପଟେ ମେୟର ଶ୍ରୀ ସିଂହ ଡ୍ରିଙ୍କ ଫ୍ରମ ଟ୍ୟାପ ପାଇଁ ଜୋରଦାର ଡିଣ୍ଡିମ ପିଟୁଥିବାବେଳେ ଏଯାଏ ଜଳଛତ୍ରଟିଏ ଖୋଲି ପାରିଲେ ନାହିଁ ବୋଲି ଚର୍ଚ୍ଚା ହେଉଛି । ଫଳରେ ଏବେ ତୃଷାର୍ତ୍ତ ପଥଚାରୀମାନେ ରାସ୍ତାକଡ଼ରେ ଥିବା ଟ୍ୟୁୱେଲ ଉପରେ ନିର୍ଭର କରୁଛନ୍ତି ।