ଜିଏସ୍‌‌ଟି ସଂଗ୍ରହ: ବହୁ ବିକଶିତ ରାଜ୍ୟକୁ ପଛରେ ପକାଇଛି ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶାରେ ଜିଏସ୍‌‌ଟି ସଂଗ୍ରହ ପରିମାଣ କ୍ରମାଗତ ଭାବେ ବଢ଼଼ି ଚାଲିଥିବା ବେଳେ ଜାତୀୟ ସ୍ତରରେ ପ୍ରଦର୍ଶନ ଭଲ ରହିଛି। ଜିଏସ୍‌‌ଟି ସଂଗ୍ରହରେ ଓଡ଼ିଶା ବହୁ ବିକଶିତ ରାଜ୍ୟକୁ ପଛରେ ପକାଉଛି। ଚଳିତ ବର୍ଷ ମାର୍ଚ୍ଚ ମାସରେ ଓଡ଼ିଶା ମୋଟ ୪୭୪୯.୦୨ କୋଟି ଟଙ୍କା ଜିଏସ୍‌‌ଟି ସଂଗ୍ରହ କରିଛି। ପୂର୍ବ ତୁଳନାରେ ଏହା ୧୫.୧୪% ଅଧିକ। ଏହା ଜାତୀୟ ହାର ଠାରୁ ମଧ୍ୟ ଅଧିକ। ମାର୍ଚ୍ଚ ମାସରେ ସମଗ୍ର ଦେଶରେ ଜିଏସ୍‌‌ଟି ରାଜସ୍ୱ ବାବଦରେ ୧,୬୦,୧୨୨ କୋଟି ଟଙ୍କା ସଂଗ୍ରହ ହୋଇଛି। ଜାତୀୟ ସ୍ତରରେ ଅଭିବୃଦ୍ଧି ହାର ୧୩% ରହିଛି।
ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍‌‌ଟି କମିଶନରେଟ୍‌‌ଙ୍କ କାର୍ୟ୍ୟାଳୟ ସୂତ୍ରରୁ ହସ୍ତଗତ ସୂଚନା ଅନୁସାରେ ୨୦୨୨ ମାର୍ଚ୍ଚ ମାସରେ ଓଡ଼ିଶା ଜିଏସ୍‌‌ଟି ବାବଦରେ ୪୧୨୪.୬୬ କୋଟି ଟଙ୍କା ସଂଗ୍ରହ କରିଥିଲା। ଚଳିତ ବର୍ଷ ମାର୍ଚ୍ଚରେ ଓଡ଼ିଶା ସଂଗ୍ରହ କରିଥିବା ରାଜସ୍ୱ ହେଉଛି ଦ୍ୱିତୀୟ ସର୍ବାଧିକ ସର୍ବକାଳୀନ ରେକର୍ଡ। ରାଜ୍ୟ ଜିଏସ୍‌‌ଟି ଓ ସମନ୍ୱିତ ଜିଏସ୍‌‌ଟି (ଆଇଜିଏସ୍‌‌ଟି) ଫଇସାଲା ବାବଦକୁ ଗତ ମାର୍ଚ୍ଚ ମାସରେ ଓଡ଼ିଶାକୁ ମିଳିବାକୁ ଥିବା ଜିଏସ୍‌‌ଟି ପରିମାଣ ହେଉଛି ୧୯୭୭.୪୫ କୋଟି ଟଙ୍କା। ଗତ ବର୍ଷ ମାର୍ଚ୍ଚ ମାସରେ ଏହି ପରିମାଣ ୧୭୦୯.୧୪ କୋଟି ଟଙ୍କା ଥିଲା। ଏହି କ୍ଷେତ୍ରରେ ମଧ୍ୟ ୧୫.୬୯% ଅଭିବୃଦ୍ଧି ହୋଇଛି। ଅନ୍ୟପଟେ ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟ ପାଇବାକୁ ଥିବା ମୋଟ ଜିଏସ୍‌‌ଟି ପରିମାଣ ୧୮୭୬୬.୫୮ କୋଟି ଟଙ୍କା ହୋଇଥିବା ବେଳେ ୨୦୨୧-୨୨ରେ ଏହି ପରିମାଣ ୧୬୩୯୨.୨୪ କୋଟି ଟଙ୍କା ଥିଲା। ଏ କ୍ଷେତ୍ରରେ ଓଡ଼ିଶା ୧୪.୪୮% ଅଭବୃଦ୍ଧି ହାସଲ କରିଛି। ୨୦୨୩ ମାର୍ଚ୍ଚ ମାସରେ ପେଟ୍ରୋଲ ଓ ମଦରୁ ୧୯୧୭.୨୯ କୋଟି ଟଙ୍କାର ଭାଟ୍‌‌ ରାଜସ୍ୱ ସଂଗ୍ରହ କରାଯାଇ ଥିବା ବେଳେ ୨୦୨୨ ମାର୍ଚ୍ଚରେ ଏହି ସଂଗ୍ରହ ପରିମାଣ ୧୬୯୩.୫୩ କୋଟି ଟଙ୍କା ରହିଥିଲା। ଏଥିରେ ୧୩.୨୧% ଅଭିବୃଦ୍ଧି ଘଟିଛି। ସେହିପରି ୨୦୨୨-୨୩ରେ ଭାଟ୍‌‌ ରାଜସ୍ୱ ସଂଗ୍ରହ ପରିମାଣ ୧୧୯୭୪.୬୫ କୋଟି ଟଙ୍କା ଥିବା ବେଳେ ପୂର୍ବ ବର୍ଷରେ ଏହି ପରିମାଣ ୯୯୬୫.୬୦ କୋଟି ଟଙ୍କା ଥିଲା। ଏହି କ୍ଷେତ୍ରରେ ୨୦.୧୬% ଅଭିବୃଦ୍ଧି ହୋଇଛି। ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍‌‌ଟି ସଂସ୍ଥା ଦ୍ୱାରା ସଂଗ୍ରହ କରାଯାଇଥିବା ବିଭିନ୍ନ ଟିକସ (ଜିଏସ୍‌‌ଟି, ଭାଟ୍‌‌, ବୃତ୍ତିଗତ କର, ପ୍ରବେଶ ଶୁଳ୍କ) ବାବଦକୁ ରାଜସ୍ୱ ପରିମାଣ ଗତ ଆର୍ଥିକ ବର୍ଷରେ ୩୧୧୫୮.୩୩ କୋଟି ଟଙ୍କା ହୋଇଥିବା ବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ଏହା ୨୬୭୫୬.୧୮ କୋଟି ଟଙ୍କା ଥିଲା। ଏଥିରେ ୧୬.୪୫% ଅଭିବୃଦ୍ଧି ହୋଇଛି। ଗତ ମାର୍ଚ୍ଚ ମାସରେ ୨୧.୯୧ ୱେ-ବିଲ୍‌‌ ସୃଷ୍ଟି ହୋଇଥିଲା ବେଳେ ପୂର୍ବ ବର୍ଷ ତୁଳନାରେ ଏହା ୧୭.୯୩% ଅଧିକ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Related Articles

Leave a Reply

Your email address will not be published.

Back to top button