ଆଜିିଠାରୁ ଆରମ୍ଭ ୨୦୨୩-୨୪ ଶିକ୍ଷାବର୍ଷ

ଭୁବନେଶ୍ୱର:  ୨୦୨୩-୨୪ ଶିକ୍ଷାବର୍ଷ ଆଜି ଠାରୁ ଆରମ୍ଭ ହୋଇଛି । କୋଭିଡ୍ ପୂର୍ବରୁ ଯେଉଁଭଳି ପାଠପଢ଼ା ହେଉଥିଲା, ପୁଣିଥରେ ସେହିଭଳି ଢାଞ୍ଚାରେ ପାଠପଢ଼ା ଚାଲିବ । ଏବେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସ ହେବ । ସପ୍ତାହକୁ କେତୋଟି କ୍ଲାସ ହେବ, କେଉଁ କେଉଁ ଦିନ କ୍ଲାସ ରହିବ, ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ । ଆଜିଠାରୁ ୮ ତାରିଖ ଯାଏଁ ପିଲାଙ୍କ ନାମଲେଖା ହେବ । ଯଦି କୌଣସି ପିଲା ଏହି ସମୟ ମଧ୍ୟରେ ନାମଲେଖାଇ ନପାରନ୍ତି, ୮ ତାରିଖ ପରେ ମଧ୍ୟ ସେମାନଙ୍କୁ ସୁଯୋଗ ମିଳିବ । ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସ୍କୁଲ କର୍ତ୍ତୃପକ୍ଷ କ୍ୟାମ୍ପସରେ ପର୍ୟ୍ୟାପ୍ତ ପରିମାଣର ପାନୀୟ ଜଳ, ଓଆରଏସ୍ ପ୍ୟାକେଟ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି । ଯଦି ୧୧ ତାରିଖ ପୂର୍ବରୁ କୌଣସି ଜିଲ୍ଲାରେ ଅଧିକ ଗ୍ରୀଷ୍ମ ପ୍ରବାହ ନଜରକୁ ଆସେ, ତେବେ ଜିଲ୍ଲାପାଳ ଏଦିଗରେ ପଦକ୍ଷେପ ନେଇ ଆଗୁଆ ସକାଳୁଆ ସ୍କୁଲ କରିପାରିବେ । ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ କରିବାକୁ ପୂର୍ବରୁ ଗଣଶିକ୍ଷା ବିଭାଗ ଘୋଷଣା କରିସାରିଛି । ମାର୍ଚ୍ଚ ୩୧ ସୁଦ୍ଧା ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଶେଷ କରାଯାଇ ଫଳ ପ୍ରକାଶିତ ହୋଇଛି। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଦଶମ ଶ୍ରେଣୀ ପାଠପଢ଼ା ସୋମବାରଠାରୁ ହିଁ ଆରମ୍ଭ ହେବ । ଏପ୍ରିଲ ୮ ପର୍ୟ୍ୟନ୍ତ ନାମଲେଖା ଲାଗି ସଚେତନତା କାର୍ୟ୍ୟକ୍ରମ, ପ୍ରବେଶ ଉତ୍ସବ ଆଦି ଅନୁଷ୍ଠିତ ହେବ । ମେ’ ୫ରୁ ଗ୍ରୀଷ୍ମ ଛୁଟି ଦିଆଯିବ । ପ୍ରତିବର୍ଷ ପରି ଏଥର ମଧ୍ୟ ରଜ ମହୋତ୍ସବ ସରିବା ପରେ ଅର୍ଥାତ୍‌ ଜୁନ୍‌ ୧୮ରୁ ପୁଣିଥରେ ପାଠପଢ଼ା ଆରମ୍ଭ କରାଯିବ । ୨୦୨୩ରେ ମୋଟ ୮୨ଟି ଛୁଟି ଧାର୍ୟ୍ୟ ହୋଇଛି । ଅକ୍ଟୋବର ୨୦ରୁ ୩୦ ତାରିଖ ପର୍ୟ୍ୟନ୍ତ ପୂଜା ଛୁଟି ଏବଂ ଡିସେମ୍ବର ୨୩ରୁ ୩୦ ଯାଏ ବଡ଼ଦିନ ଛୁଟି ରହିବ। ଗୋଟିଏ ଲେଖାଏ ସ୍ଥାନୀୟ ଛୁଟି ଓ ଭିଜିଟର୍ସ ଛୁଟି ଦିବସ ରହିଛି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁମତିରେ ସ୍ଥାନୀୟ ଛୁଟି ହେବ।

Related Articles

Leave a Reply

Your email address will not be published.

Back to top button