ମଇ ୧୦ରେ କର୍ଣ୍ଣାଟକ ଭୋଟ

ନୂଆଦିଲ୍ଲୀ: ବାଜିଲା କର୍ଣ୍ଣାଟକ ବିଗୁଲ । ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବୁଧବାର ଘୋଷଣା ହୋଇଛି ତାରିଖ ।  ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ତଦନୁଯାୟୀ ମଇ ୧୦ ତାରିଖରେ ନିର୍ବାଚନ ହେବ ।   ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ କର୍ଣ୍ଣାଟକରେ ଆଜି ଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି ।  ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସୂଚନା ଅନୁଯାୟୀ  କର୍ଣ୍ଣାଟକର ୨୨୪ ଆସନ ପାଇଁ ନିର୍ବାଚନ ପାଇଁ ହେବ । ୨୨୪ଟି ଆସନରେ ଭୋଟ ଦେବେ ମୋଟ ୫କୋଟି ୨୧ ଲକ୍ଷ  ଭୋଟର । ଏମାନଙ୍କ ମଧ୍ୟରେ ୨କୋଟି ୬୨ ଲକ୍ଷ ପୁରୁଷ ମତଦାତା ରହିଥିବା ବେଳେ ୨ କୋଟି ୫୯ ଲକ୍ଷ ମହିଳା ଭୋଟର ରହିଛନ୍ତି । ୮୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଏବଂ ଭିନ୍ନକ୍ଷମ ଘରେ ବସି ଭୋଟଦାନ କରିପାରିବେ । କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ନେଇ ସବୁ ଦଳ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି । କଂଗ୍ରେସ ପକ୍ଷରୁ ପ୍ରଥମ ପର୍ୟ୍ୟାୟରେ ୧୨୪ ପ୍ରାର୍ଥୀଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି । ପୂର୍ବରୁ କର୍ଣ୍ଣାଟକ ମେଣ୍ଟ ସରକାରର ଉତଥାନ ପତନ ଦେଖିସାରିଥିବାରୁ ଏଥର ଲଢେଇ ଜୋରଦାର ହେବ ବୋଲି କୁହାଯାଉଛି । ୨୦୧୮ ମସିହା ବିଧାନସଭା ନିର୍ବାଚନରେ କୌଣସି ଦଳ ବହୁମତ ହାସଲ କରିପାରିନଥିଲେ । ମୋଟ ୨୨୪ ଆସନ ମଧ୍ୟରୁ ବିଜେପି ୧୦୪ ଆସନ ପାଇଥିଲା ବେଳେ କଂଗ୍ରେସ ୮୦ ଓ ଜେଡିଏସ ୩୭ ଆସନରେ ବିଜୟୀ ହୋଇଥିଲେ । ବିଜେପି ସରକାର ଗଠନ କରି ମୁଖ୍ୟମନ୍ତ୍ରୀ ଭାବେ ବିଏସ ୟେଦିୟୁରପ୍ପା ଶପଥ ନେଇଥିଲେ । ହେଲେ ଦୁଇ ଦିନ ପରେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିନପାରି ସେ ନାଟକୀୟ ଢଙ୍ଗରେ ଇସ୍ତଫା ଦେଇଥିଲେ । ଏହାପରେ କଂଗ୍ରେସ ଓ ଜେଡିଏସର ମେଣ୍ଟ ସରକାର ଗଠନ ହୋଇଥିଲା । ଆଉ ମୁଖ୍ୟମନ୍ତ୍ରୀ ହୋଇ କୁମାରସ୍ୱାମୀ ୧୪ ମାସ ସରକାର ଚଲାଇଥିଲେ । ଏହାପରେ କଂଗ୍ରେସର ବିଦ୍ରୋହୀ ବିଧାୟକଙ୍କୁ ନେଇ ପୁଣି ଥରେ ସରକାର ଗଠନ କରିଥିଲେ ବିଏସ ୟେଦିୟୁରପ୍ପା । ହେଲେ ଭାରତୀୟ ଜନତା ପାର୍ଟି ମୁଖ୍ୟମନ୍ତ୍ରୀ ବଦଳାଇବାରୁ ଏବେ ବାସବରାଜ ବୋମାଇ ମୁଖ୍ୟମନ୍ତ୍ରୀ ଅଛନ୍ତି । ଏବେ କ୍ଷମତାରେ ଥିବା ବିଜେପି ସରକାରଙ୍କ କାର୍ୟ୍ୟକାଳ ମେ ୨୪ ତାରିଖରେ ଶେଷ ହେବ ।

Related Articles

Leave a Reply

Your email address will not be published.

Back to top button