ଗଣତନ୍ତ୍ର ନାହିଁ, ଗୃହ ଚାଲି କି ଲାଭ : ନରସିଂହ

ଭୁବନେଶ୍ବର: ସଂସଦରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ନରସିଂହ କହିଛନ୍ତି, ଦେଶରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି । ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ସୁଚିନ୍ତିତ ଷଡ଼ଯନ୍ତ୍ର ରହିଛି । ଯେହେତୁ ଗଣତନ୍ତ୍ର ନାହିଁ, ତେଣୁ ଗୃହ ଚାଲି କି ଲାଭ । ଯେଉଁଠି ସମ୍ବିଧାନକୁ ବେଖାତିର କରାଯାଏ, ସେ ବିଧାନସଭା ହେଉ କି ସାଂସଦ ହେଉ ତାହାର ଗୁରୁତ୍ୱ ହରାଇଥାଏ । ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ପାଇଁ ଦାବି କରିଛି କଂଗ୍ରେସ । ସମ୍ବିଧାନକୁ ସମ୍ମାନ ଦେଇ କାମ କରାଯାଉ ବୋଲି ନରସିଂହ କହିଛନ୍ତି । ପ୍ରକାଶ ଯେ  ସୋମବାର ଚାଲିପାରିଲାନି ପ୍ରଶ୍ନକାଳ । ସୋମବାର ବିଧାନସଭା ଆରମ୍ଭ ହେଉ ହେଉ ହଟ୍ଟଗୋଳ ଦେଖିବାକୁ ମିଳିଛି । ପରିସ୍ଥିତି ଏମିତି ହୋଇଥିଲା ଯେ ଗୃହ କାର୍ଯ୍ୟ ପରିଚାଳନା କରିବା ବାଚସ୍ପତିଙ୍କ ପକ୍ଷେ ସମ୍ଭବ ହୋଇପାରିନଥିଲା । ଫଳରେ ବାଚସ୍ପତି ବିକ୍ରମକେଶରୀ ଆରୁଖ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ କଂଗ୍ରେସ ବିଧାୟକମାନେ ହୋହାଲ୍ଲା କରିଥିଲେ । କଂଗ୍ରେସ ବିଧାୟକମାନେ ସ୍ୱତନ୍ତ୍ରଭାବେ କଳାରଙ୍ଗର ଡ୍ରେସ ପିନ୍ଧି ବାଚସ୍ପତିଙ୍କ ପୋଡ଼ିୟମ ପାଖକୁ ଆସି ନାରାବାଜି କରିଥିଲେ । ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଧ ମାମଲାରେ ଦଳୀୟ ବିଧାୟକମାନେ ନାରାବାଜି କରିଥିଲେ ।  ପ୍ରଧାନମନ୍ତ୍ରୀଙ୍କୁ ଗଣତନ୍ତ୍ରର ହତ୍ୟାକାରୀ ବୋଲି ସମ୍ବୋଧନ କରି ହୋହାଲ୍ଲା କରିଥିଲେ । ଫଳରେ ବାଚସ୍ପତି ବିକ୍ରମକେଶରୀ ଆରୁଖ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଗତ ୨୪ ତାରିଖରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ହୋଇଥିଲା ଓ ଏ ନେଇ ଲୋକସଭା କାର୍ୟ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଓ ଲୋକ ପ୍ରତିନିଧି ଆଇନ ଅନୁସାରେ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ କରାଯାଇଥିବା ନେଇ ବିଜ୍ଞପ୍ତିରେ ଉଲ୍ଲେଖଥିଲା । ତେବେ ଗତ ୨୩ ତାରିଖରେ ସୁରଟର ଏକ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨୦୧୯ ମସିହାରେ ଦେଇଥିବା ଏକ ବିବାଦୀୟ ମନ୍ତବ୍ୟ ଉପରେ ଦୋଷୀ ସାବ୍ୟସ୍ତ କରିଥିଲେ । ଏହା ସହ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ମଧ୍ୟ ଶୁଣାଇଥିଲେ ଓ ରାହୁଲ ଗାନ୍ଧୀ ୨୦୧୯ମସିହାରେ ଏକ ସଭାରେ କହିଥିଲେ, ‘ସବୁ ଚୋରମାନଙ୍କ ସାଙ୍ଗିଆ ମୋଦି ହେଲା କେମିତି ଓ’ ରାହୁଲଙ୍କ ଏଭଳି ମନ୍ତବ୍ୟ ମୋଦି ସାଙ୍ଗିଆଧାରୀଙ୍କ ପ୍ରତି ଅପମାନ ଦର୍ଶାଇ ଗୁଜରାଟର ଜଣେ ବିଜେପି ନେତା ମାନହାନୀ ମୋକଦ୍ଦମା ରୁଜୁ କରିଥିଲେ ଓ ଯାହାର ଶୁଣାଣି କରି ଏପରି ରାୟ ଶୁଣାଇଥିଲେ କୋର୍ଟ ।

Related Articles

Leave a Reply

Your email address will not be published.

Back to top button