ପ୍ରାଥମିକ ଶ୍ରେଣୀ ଗୃହର ପରିବେଶ ବଦଳିବ ରାଜ୍ୟରେ : ୬ ହଜାରରୁ ଅଧିକ ସ୍କୁଲ ସାମିଲ ପ୍ରଥମ ପର୍ଯ୍ୟାୟରେ

ଭୁବନେଶ୍ବର: ରାଜ୍ୟରେ ବଦଳିବ ପ୍ରାଥମିକ ଶ୍ରେଣୀ ଗୃହର ପରିବେଶ। ଆଉ ତଳେବସି ପଢିବେନି ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀ। ଏଣିକି ପିଲାମାନେ ଦରିରେ ବସିବେ, ରଙ୍ଗୀନ ଡେସ୍କରେ ଲେଖିବେ। ଛାତ୍ରଛାତ୍ରୀଙ୍କୁ ଆକର୍ଷଣୀୟ ଶ୍ରେଣୀଗୃହ ସହିତ ଅତ୍ୟାଧୁନିକ ଶୈକ୍ଷିକ ଉପକରଣଯୋଗାଇଦିଆଯିବ। ପିଲାଙ୍କ ମନରେ ଶିକ୍ଷାପ୍ରତି ଆଗ୍ରହ ସୃଷ୍ଟିକରିବାକୁଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ରାଜ୍ୟର ୧୬ଟି ଜିଲ୍ଲାର ପ୍ରାଥମିକ ସ୍କୁଲର ପରିବେଶ ଅତ୍ୟାଧୁନିକ କରାଯିବ। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୬ ହଜାରରୁ ଅଧିକ ପ୍ରାଥମିକ ସ୍କୁଲକୁ ସାମିଲ କରାଯାଇଛି। ପ୍ରଥମରୁ ତୃତୀୟ ଶ୍ରେଣୀର ପିଲାମାନେ ପଢ଼ିବା, ଲେଖିବା, ଆବଶ୍ୟକୀୟ ଶିକ୍ଷଣ ଦକ୍ଷତା ହାସଲ କରିବା ଲକ୍ଷ୍ୟରେ ଶ୍ରେଣୀଗୃହ ପରିବେଶକୁ ଅନୁକୂଳ କରିବାର ପଦକ୍ଷେପ ନିଆଯାଉଛି। ଛାତ୍ରଛାତ୍ରୀଙ୍କ ମନରେ ଶିକ୍ଷା ପ୍ରତି ଆଗ୍ରହ, କୌତୁହଳ ଓ ଉତ୍ସାହ ଆଣିବା ଉଦ୍ଦେଶ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବ୍ୟାପକ ବ୍ୟବସ୍ଥା କରିଛି। ଶ୍ରେଣୀଗୃହକୁ ଶିଶୁ ସୁଲଭ, ଆକର୍ଷଣୀୟ, ଆନନ୍ଦମୟ କରିବା ପାଇଁ ବିଭିନ୍ନ କାନ୍ଥଚିତ୍ର, ବିଭିନ୍ନ ଆକୃତିର ଡେକ୍ସ, ଆଲମାରୀ, ଗ୍ରୀନ୍ ବୋର୍ଡ, ପ୍ରଦର୍ଶନ ବୋର୍ଡ, ଶୈକ୍ଷିକ ଉପକରଣ ଝୁଲାଇବା ପାଇଁ ହୁକ, ବସିବା ପାଇଁ ଦରି, ଶ୍ରେଣୀଗୃହର ଆବଶ୍ୟକ ମରାମତି, ବିଦ୍ୟୁତିକରଣ ଓ ଆଲୋକୀକରଣ, ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନର ବ୍ୟବସ୍ଥା ଆଦି କରାଯିବ। ଶ୍ରେଣୀଗୃହ ପରିବେଶକୁ ଆକର୍ଷଣୀୟ କରିବା ଉଦ୍ଦେଶ୍ୟରେ ମୌଳିକ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ଏବଂ ମରାମତି ସୁବିଧା ଯୋଗାଇ ଦେବାକୁ ଆବଶ୍ୟକ ପାଣ୍ଠି ଯୋଗାଇ ଦେଇଛି।

Related Articles

Leave a Reply

Your email address will not be published.

Back to top button