ବାରବାଟୀରେ ହକି ବିଶ୍ୱକପ୍‌-୨୦୨୩ ଉଦ୍‌ଘାଟିତ: ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ବାଜିଲା ବିଶ୍ୱକପ୍ ବିଗୁଲ୍‌

ଭୁବନେଶ୍ବର:ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆଜି ମହାସମାରୋହରେ ହକି ବିଶ୍ୱକପ-୨୦୨୩ ଉଦ୍‌ଘାଟିତ ହୋଇଯାଇଛି । ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ଆୟୋଜନ କରି ଓଡ଼ିଶା ଇତିହାସ ରଚିଥିଲା ବେଳେ ଏହି ଉପଲକ୍ଷେ ଆଜି ଅନୁଷ୍ଠିତ ଭବ୍ୟ କାର୍ଯ୍ୟକ୍ରମରେ ଦୁଲୁକିଥିଲା ବାରବାଟୀ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ଆକର୍ଷଣୀୟ ଆତସବାଜି ଭିତରେ ବିଶ୍ୱକପ ଆୟୋଜନର ପ୍ରଥମ ପର୍ବ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର, ଅନ୍ତର୍ଜାତୀୟ ହକି ଫେଡେରେଶନ(ଏଫଆଇଏଚ୍‌) ସଭାପତି ତୟାବ ଇକ୍ରମ ଓ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ଆନୁଷ୍ଠାନିକ ଭାବେ ଉତ୍ସବକୁ ଉଦ୍‌ଘାଟନ କରିଛନ୍ତି ।
ଏଫଆଇଏଚ୍ ସଭାପତି ଶ୍ରୀ ଇକ୍ରମ କହିଥିଲେ ଯେ ଭାରତବାସୀଙ୍କ ପାଇଁ ଏହା ଏକ ଗର୍ବର ଦିନ । ଓଡ଼ିଶା ଏଭଳି ଏକ ଭବ୍ୟ ଆୟୋଜନରେ ମଙ୍ଗୁଆଳ ସାଜିଛି । ଏହାର ସମସ୍ତ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ପ୍ରଦାନ କରିଥିଲେ । ବିଶ୍ୱର ସୁନ୍ଦର ଷ୍ଟାଡିୟମ ରାଉରକେଲାରେ ନିର୍ମାଣ ହୋଇଛି । ଓଡ଼ିଶାରେ ହକିର କ୍ରେଜ ଦେଖି ମୁଁ ଚକିତ । ଏଫଆଇଏଚ୍ ସବୁବେଳେ ଓଡ଼ିଶା ସାଥିରେ ରହିଛି ଓ ରହିବ ବୋଲି ଇକ୍ରମ ପ୍ରକାଶ କରିଥିଲେ ।


କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଠାକୁର, ନମସ୍ତେ ଓଡ଼ିଶା…, ନମସ୍ତେ ଓଡ଼ିଆ… ସମ୍ବୋଧନ କରି ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ । ବାରବାଟୀର ଏହି ହୁଁକାର ଦର୍ଶାଉ ଦେଉଛି ଯେ, ଓଡ଼ିଶାରେ ହକିକୁ ଲୋକେ କେତେ ଭଲ ପାଆନ୍ତି । ଦୁନିଆରେ ଯେତେ ସ୍ଥାନରେ ବି ହକି ବିଶ୍ୱକପ୍ ଆୟୋଜନ ହୋଇଛି ଏହା ସବୁଠାରୁ ସୁନ୍ଦର ତଥା ଭବ୍ୟ ଆୟୋଜନ । ସ୍ୱାଧୀନତା ପୂର୍ବରୁ ୧୯୨୮, ୧୯୩୨ ଏବଂ ୧୯୩୬ ମସିହା ଅଲିମ୍ପିକରେ ଭାରତ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲା । ସ୍ୱାଧୀନତା ପରେ ମଧ୍ୟ ଅଲିମ୍ପିକରେ ଭାରତ ହ୍ୟାଟ୍ରିକ ସ୍ୱର୍ଣ୍ଣ ପଦକ ଜିତିଥିଲା ବୋଲି ସେ କହିଥିଲେ । କୋଭିଡ ମହାମାରୀ ସମୟରେ ୨୦୨୨ ଅଲିମ୍ପିକରେ ଭାରତକୁ ମିଳିଥିଲା ବ୍ରୋଞ୍ଜ ପଦକ । ପଦକ ଜିତିବା କ୍ଷେତ୍ରରେ ୪୧ବର୍ଷ ବ୍ୟବଧାନର ଅନ୍ତ ଘଟିଥିଲା । ଭାରତୀୟ ଦଳର ଅଭ୍ୟାସ ପାଇଁ ଓଡ଼ିଶା ସରକାର ସମସ୍ତ ପ୍ରକାର ସହଯୋଗ କରିଥିଲେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ସମସ୍ତ ଶ୍ରେୟ ଦେଇଥିଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଶ୍ରୀଠାକୁର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିଭାଷଣ ସ୍ୱଳ୍ପ ସମୟର ଥିଲେ ସୁଦ୍ଧା ଷ୍ଟାଡିୟମର ପ୍ରତ୍ୟେକ ଦର୍ଶକଙ୍କ ହୃଦୟକୁ ସ୍ପର୍ଶ କରିଥିଲା । ଦୁଇ ମାସ୍କଟଙ୍କ ହାତଧରି ମଂଚକୁ ପ୍ରବେଶ କରିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ । ଯାହା ଦର୍ଶକମାନଙ୍କ ମନକୁ ବେଶ୍ ଛୁଇଁ ପାରିଥିଲା । ଜୟ ଜଗନ୍ନାଥ ଉଚ୍ଚାରଣ କରିବା ସହିତ ସମସ୍ତଙ୍କୁ ନମସ୍କାର ଓ ନବବର୍ଷର ଅଭିବାଦନ ଜଣାଇ ମୁଖ୍ୟମନ୍ତ୍ରୀ ଅଭିଭାଷଣ ଆରମ୍ଭ କରିଥିଲେ । ଅତିଥିମାନଙ୍କୁ ସୁସ୍ୱାଗତ ଜଣାଇବା କ୍ଷେତ୍ରରେ ଓଡ଼ିଶାର ପରିଚୟ ସ୍ୱତନ୍ତ୍ର ବୋଲି ସେ କହିଥିଲେ । ଏହାଛଡ଼ା ଓଡ଼ିଶାରେ ହକି ବିଶ୍ୱକପ୍ ଆୟୋଜନ ହେଉଛି । କଟକରେ ଉଦ୍‌ଘାଟନୀ ଉତ୍ସବ ପାଳିତ ହେଉଛି । ଏଥି ନିମନ୍ତେ ସମସ୍ତ ସହଯୋଗ କରିଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଭିନ୍ନ ଦେଶର ଖେଳାଳି ଉପସ୍ଥିତ ଥିଲେ । ୫-ଟି ସଚିବ ଭି.କେ ପାଣ୍ଡିଆନ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସମତେ ରାଜ୍ୟର ବରିଷ୍ଠ ରାଜନେତା, ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ ।

Related Articles

Leave a Reply

Your email address will not be published.

Back to top button