ହିମାଚଳ ନିର୍ବାଚନ ପାଇଁ ବିଜେପି ସଂକଳ୍ପପତ୍ର ଜାରି: ୮ ଲକ୍ଷ ଚାକିରି, କଲେଜ ଛାତ୍ରୀଙ୍କୁ ସ୍କୁଟି

ସିମ୍‌ଳା : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ରବିବାର ଘୋଷଣାପତ୍ର ଜାରି କରିଛି । ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସିମ୍‌ଳାରେ ଏହାକୁ ଲଞ୍ଚ୍ କରିଛନ୍ତି । ୭୩ ପୃଷ୍ଠାରୁ ସଂକଳ୍ପପତ୍ରରେ ପାର୍ଟି ୧୧ ଘୋଷଣା ଉପରେ ଫୋକସ୍ କରିଛି । ସେହିପରି ପ୍ରଦେଶର ଅଧା ଜନସଂଖ୍ୟା ମହିଳାଙ୍କ ପାଇଁ ଅଲଗା ସ୍ତ୍ରୀଶକ୍ତି ସଂକଳ୍ପପତ୍ର ମଧ୍ୟ ଜାରି କରାଯାଇଛି । ସଂକଳ୍ପପତ୍ର ଜାରି ଅବସରରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର, ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, ବିଜେପି ପ୍ରଦେଶ ସଭାପତି ସୁରେଶ କଶ୍ୟପ, ପାର୍ଟି ଜାତୀୟ ଉପାଧ୍ୟକ୍ଷ ସୌଦାନ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ସଂକଳ୍ପପତ୍ର ଜାରିକରି ଜେପି ନଡ୍ଡା କହିଛନ୍ତି, ପାର୍ଟି କ୍ଷମତାକୁ ଆସିଲେ ରାଜ୍ୟରେ ସମାନ ନାଗରିକ ସଂହିତା ଲାଗୁ କରିବ । ଏଥିପାଇଁ ଏକ ଏକ୍ସପର୍ଟ କମିଟି ଗଠନ କରାଯିବ । ପାର୍ଟି ସଂକଳ୍ପପତ୍ରରେ ରାଜ୍ୟର ୮ ଲକ୍ଷରୁ ଊର୍ଦ୍ଧ୍ୱ ଯୁବକଙ୍କ ଚାକିରି ପ୍ରଦାନ କରାଯିବା ସହ ସବୁ ଗାଁରେ ପକ୍କା ସଡ଼କ ନିର୍ମାଣ କରାଯିବ । ଶକ୍ତି ମାନକ କାର୍ଯ୍ୟକ୍ରମ ଅଧୀନରେ ସମସ୍ତ ମନ୍ଦିର ଓ ଧାର୍ମିକ ସ୍ଥାନକୁ ସଡ଼କ ସହ ଯୋଡ଼ାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ପାର୍ଟି କ୍ଷମତାକୁ ଆସିଲେ ସହିଦ ସୈନିକ ପରିଜନଙ୍କ ସହାୟତା ରାଶିରେ ବୃଦ୍ଧି, ଦ୍ୱାଦଶରେ ଟପ୍ କରିଥିବା ଛାତ୍ରୀଙ୍କୁ ଗ୍ରାଜୁଏସନ୍ ପର୍ଯ୍ୟନ୍ତ ପ୍ରତିମାସରେ ଦେଢ଼ହଜାର ଟଙ୍କା ସ୍କଲାରଶିପ୍‌, ଯୁବକଙ୍କ ପାଇଁ ହିମ ଷ୍ଟାର୍ଟଅପ୍ ଯୋଜନା ଅଧୀନରେ ୯୦୦ କୋଟି ଟଙ୍କାର ଫଣ୍ଡ୍ ସହ ଷ୍ଟାର୍ଟଅପ୍ ୟୁନିଟ୍‌ର ଆରମ୍ଭ କରାଯିବ ବୋଲି ଏଥିରେ ପ୍ରତିଶ୍ରୁତି ଦିଆଯାଇଛି । ସେଓ ପ୍ୟାକେଜିଂ ଉପରେ ରାଜ୍ୟ ସରକାରଙ୍କ ଦ୍ୱାରା ୧୨ ପ୍ରତିଶତ ଜିଏସ୍‌ଟି ପ୍ରଦାନ କରାଯିବ । ପ୍ରଦେଶରେ ପାଞ୍ଚ ନୂଆ ମେଡିକାଲ୍ କଲେଜ ସ୍ଥାପନ ସହ ମୋବାଇଲ୍ କ୍ଲିନିକ୍ ଭ୍ୟାନ୍ ଦୁଇଗୁଣ କରାଯିବ । ପ୍ରତ୍ୟେକ ଜିଲ୍ଲାରେ ଦୁଇଟି ଗାର୍ଲ୍ସ ହଷ୍ଟ୍ରେଲ୍ ସ୍ଥାପନ ସହ ଅବୈଧ ଉପଯୋଗ ରୋକିବା ପାଇଁ ୱାକଫ୍ ସମ୍ପତ୍ତିର ସର୍ଭେ କରାଯିବ ବୋଲି ସଂକଳ୍ପପତ୍ରରେ ଉଲ୍ଲେଖ ରହିଛି ।
ସେହିପରି ମହିଳାଙ୍କ ପାଇଁ ମଧ୍ୟ ଏଥିରେ ବହୁ ପ୍ରତିଶ୍ରୁତି ରହିଛି । ବିପିଏଲ୍ ପରିବାରର ଯୁବତୀଙ୍କ ବିବାହ ପାଇଁ ୫୧ ହଜାର ଟଙ୍କା ପ୍ରଦାନ ସହ ସ୍କୁଲ ଛାତ୍ରୀଙ୍କ ସାଇକେଲ୍ ଏବଂ କଲେଜ ଛାତ୍ରୀଙ୍କୁ ସ୍କୁଟି ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି । ମହିଳାଙ୍କୁ ହୋମ୍‌ଷ୍ଟେ ନିର୍ମାଣ ପାଇଁ ସୁଧମୁକ୍ତ ଋଣ, ସ୍ୱୟଂ ସହାୟତା ସମୂହଙ୍କ ଋଣ ରାଶିରେ ବୃଦ୍ଧି, ମାତା ଏବଂ ନବଜାତକଙ୍କ ଦେଖାଶୁଣା ପାଇଁ ମହିଳାଙ୍କୁ ୨୫ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ବିଜେପି କହିଛି । ଦେବୀ ଅନ୍ନପୂର୍ଣ୍ଣ ଯୋଜନାରେ ଗରିବ ମହିଳାଙ୍କୁ ତିନିଟି ମାଗଣା ରୋଷେଇ ଗ୍ୟାସ୍ ପ୍ରଦାନ କରାଯିବ ବୋଲି ନଡ୍ଡା କହିଛନ୍ତି । ସେହିପରି ଗରିବ ପରିବାରର ୩୦ ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଅଟଳ ପେନସନ୍ ଯୋଜନାରେ ସାମିଲ କରାଯିବା ସହ ସରକାରୀ ଚାକିରିରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଦେବ ବୋଲି ବିଜେପି ଘୋଷଣା କରିଛି ।

Related Articles

Leave a Reply

Your email address will not be published.

Back to top button