ପ୍ରଖ୍ୟାତ ଓଡିଆ ଚଳଚ୍ଚିତ୍ର ବ୍ୟକ୍ତିତ୍ବ ସାଧୁ ମେହେରଙ୍କ ପରଲୋକ

ଭୁବନେଶ୍ବର: ପ୍ରଖ୍ୟାତ ଓଡିଆ ତଥା ହିନ୍ଦି ଚଳଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ସାଧୁ ମେହେରଙ୍କ ପରଲୋକ ହୋଇଯାଇଛି। ୮୪ ବର୍ଷ ବୟସରେ ମୁମ୍ବାଇସ୍ଥିତ ତାଙ୍କ ବାସ ଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ଉଭୟ ଓଡିଆ ଏବଂ ହିନ୍ଦି ଚଳଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି। ସାଧୁ ମେହେର ଓଡ଼ିଆ, ସମ୍ବଲପୁରୀ ଓ ହିନ୍ଦୀ ଆଦି ପ୍ରାୟ ୨୭ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି । ୧୯୬୯ ମସିହାରେ ସେ ଭୂବନ ସୋମ କଥାଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏଥିରେ ସେ ଏକ ମୂକ ପକ୍ଷୀଧରାଳୀ ଚରିତ୍ରରେ ଅଭିନୟ କରିଥିଲେ । ୧୯୭୪ର ଚଳଚ୍ଚିତ୍ର ଅଙ୍କୁର ତାଙ୍କୁ ଜାତୀୟ ସ୍ଥରରେ ଜଣେ ଭଲ ଅଭିନେତାର ସ୍ୱୀକୃତି ଦେଇଥିଲା । ଅଙ୍କୁର ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ସାଧୁ ମେହେର। ୨୦୧୭ ମସିହାରେ ସାଧୁ ମେହେରଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଚଳଚ୍ଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ପଦ୍ମଶ୍ରୀ ସାଧୁ ମେହେରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ଶୋକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପଦ୍ମଶ୍ରୀ ସାଧୁ ମେହେର ତାଙ୍କର ବଳିଷ୍ଠ ଅଭିନୟ ଓ ନିର୍ଦ୍ଦେଶନା ପାଇଁ ଓଡିଶା ସମେତ ଜାତୀୟ ସ୍ତରରେ ଜଣେ ପ୍ରଶଂସନୀୟ ବ୍ୟକ୍ତିତ୍ୱ ଥିଲେ। ଉଭୟ ହିନ୍ଦି ଓ ଓଡିଆ ଚଳଚ୍ଚିତ୍ରରେ ସେ ତାଙ୍କର ନିଖୁଣ ଅଭିନୟର ଛାପ ଛାଡି ଯାଇଛନ୍ତି। ସେ ହେଉଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଥିବା ପ୍ରଥମ ଓଡିଆ ଅଭିନେତା। କଳା କ୍ଷେତ୍ରରେ ପାରଦର୍ଶିତା ପାଇଁ ଅନେକ ସମ୍ମାନ ଓ ପୁରସ୍କାରରେ ସେ ସମ୍ମାନିତ ହୋଇଛନ୍ତି। ତାଙ୍କ ବିୟୋଗ କଳା ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି। ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।

Related Articles

Leave a Reply

Your email address will not be published.

Back to top button