ରାଜ୍ୟରେ ୬ ଲକ୍ଷ ଡେଇଁଲା କୋରୋନା

ଭୁବନେଶ୍ବର: ଗତକାଲି ରାଜ୍ୟରୁ ରେକର୍ଡ ସଂଖ୍ୟକ ଦୈନିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ବି ୧୨ ହଜାର ମୁହାଁ ହୋଇଛି ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧ ହଜାର ୮୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ସଂକ୍ରମିତଙ୍କ ମଧରୁ ୬୬୧୧ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟର୍‌ରୁ ଚିହ୍ନଟ ହୋଇଥିବାବେଳେ ବାକି ୫୧୯୪ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଗତ ୧୫ ଦିନରେ ମୋଟ ୧ ଲକ୍ଷ ୫୬ ହଜାର ୧୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ଅତିକ୍ରମ କରିଥିବା ବେଳେ ବର୍ତ୍ତମାନ ଲକ୍ଷେରୁ ଅଧିକ ଚିକିତ୍ସାଧୀନ ଅଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ରାଜ୍ୟର ୨୭ଟି ଜିଲ୍ଲା ଏବେ ରେଡ୍ ଜୋନ୍‌ରେ ସାମିଲ୍‌ ହୋଇସାରିଲାଣି। ଏସବୁ ଜିଲ୍ଲାରେ ହଜାରରୁ ଅଧିକ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଖୋର୍ଦ୍ଧା, ପୁରୀ, କଟକ, ଗଞ୍ଜାମ, ଯାଜପୁର, ଅନୁଗୁଳ, ମୟୂରଭଞ୍ଜ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ନୟାଗଡ଼, ବୌଦ୍ଧ, ସୋନପୁର, କୋରାପୁଟ, ରାୟଗଡ଼ା, ଜଗତ୍‌ସିଂହପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ଦେଓଗଡ଼ ଜିଲ୍ଲା ସାମିଲ୍‌ ହୋଇଛି। ଖୋର୍ଦ୍ଧା ଜିଲ୍ଲା ପୁଣିଥରେ ସଂକ୍ରମିତଙ୍କ ସଂଖ୍ୟାରେ ୧ ନମ୍ବର ସ୍ଥାନରେ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୧୪୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ସୁନ୍ଦରଗଡ଼ ଓ ତୃତୀୟ ସ୍ଥାନରେ କଟକ ରହିଛି। ଏହି ୨ଟି ସ୍ଥାନରୁ ମଧ୍ୟ ହଜାରେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ରାଜ୍ୟରୁ ୯୩୨୯ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସକ୍ରିୟ ମାମଲା ଏବେ ୧ ଲକ୍ଷ ଟପିଛି। ଇତିମଧ୍ୟରେ ରାଜ୍ୟ‌ରେ ୧ କୋଟି ଅତିକ୍ରମ କରିଛି ନମୁନା ପରୀକ୍ଷଣ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ କୋଟି ୮ ଲକ୍ଷ ୨୫ ହଜାର ୯୧୪ ଟି ନମୁନା ପରୀକ୍ଷଣ କରାଯାଇଛି। ସେଥିମଧ୍ୟରୁ ୬ ଲକ୍ଷ ୪୯୨ ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୯୧ ହଜାର ୬୭୪ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧ ଲକ୍ଷ ୬ ହଜାର ୪୭୧ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ସେହିପରି ଆଜି କୋରୋନାରେ ୨୧ ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୨୯୪ କୁ ବୃଦ୍ଧି ପାଇଛି।

Related Articles

Leave a Reply

Your email address will not be published.

Back to top button