ଅଧିକ ଗହଳି ଯୋଗୁଁ ସଂକ୍ରମଣ ହାର ବେଶୀ : ଆଇସିଏମ୍‌ଆର୍

ନୂଆଦିଲ୍ଲୀ: ମହାମାରୀ କୋଭିଡ୍‌-୧୯ର ଏହି ଦ୍ବିତୀୟ ଲହର ସଂକ୍ରମଣରେ ଅଧିକ ସଂଖ୍ୟକ ଯୁବଗୋଷ୍ଠୀ ହିଁ ସଂକ୍ରମିତ ହେଉଥିବା ଜଣାଯାଇଛି। ତେବେ ସେମାନଙ୍କର ଅପେକ୍ଷାକୃତ ଅଧିକ ଅବାଧ ବିଚରଣ ଯୋଗୁଁ ସେମାନେ ଏପରି ଅଧିକ ସଂଖ୍ୟାରେ ସଂକ୍ରମଣର ଶିକାର ହେଉଥିବା ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍‌ଆର୍) ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ପ୍ରାରମ୍ଭରେ ସରକାର ଗତବର୍ଷର କୋଭିଡ୍‌-୧୯ କଟକଣାଗୁଡ଼ିକୁ ସାମନ୍ୟ କୋହଳ କରିବା ମାତ୍ରେ ଏହି ଯୁବବର୍ଗମାନେ ହିଁ ହଠାତ୍‌ ବାହାରକୁ ବାହାରି ନିଜର ଯାତାୟାତକୁ ପୂର୍ବଭଳି ସ୍ବାଭାବିକ କରି ପକାଇଲେ। ଅପରପକ୍ଷେ, ସେହି ସମୟକୁ ଦ୍ବିତୀୟ ଲହର ସଂକ୍ରମଣରେ ଅଧିକ ସଂକ୍ରମଣଶୀଳ ରୂପାନ୍ତରିତ ପ୍ରଜାତିର କରୋନାଭୂତାଣୁଗୁଡ଼ିକ ସକ୍ରିୟ ରହିଥିଲା। ଫଳରେ ଦେଶରେ ସଂକ୍ରମଣ ସ୍ଥିତି ଏପରି ହୁ ହୁ ହୋଇ ବଢ଼ିଚାଲିଲା ବୋଲି ଆଇସିଏମ୍‌ଆର୍ ନିର୍ଦ୍ଦେଶକ ଡା. ବଳରାମ ଭାର୍ଗବ କହିଛନ୍ତି। ତେବେ ପ୍ରଥମ ଓ ଦ୍ବିତୀୟ ଲହର ସଂକ୍ରମଣର ଶିକାର ହୋଇଥିବା ଲୋକଙ୍କ ବୟସରେ ସେଭଳି ବେଶୀ କିଛି ଫରକ ନଥିବା ସେ କହିଛନ୍ତି। ଗତବର୍ଷ ସଂକ୍ରମିତଙ୍କ ମଧ୍ୟରୁ ୩୧ ପ୍ରତିଶତଙ୍କ ବୟସ ୩୦ ବର୍ଷରୁ କମ୍‌ ହୋଇଥିବା ବେଳେ ଚଳିତ ବର୍ଷ ସେହି ସମାନ ବର୍ଗ ସଂକ୍ରମିତଙ୍କର ଭାଗ ରହିଛି ୩୨ ପ୍ରତିଶତ। ଅପରପକ୍ଷେ, ୪୦ ବର୍ଷରୁ ଅଧିକ ବୟସ୍କମାନେ ହିଁ ବେଶି ପ୍ରତିକୂଳ ପରିଣାମର ଶିକାର ହେଉଛନ୍ତି ବୋଲି ସେ କହିଛନ୍ତି।

Related Articles

Leave a Reply

Your email address will not be published.

Back to top button