ବାଲିଯାତ୍ରାରେ ନିଆରା ଚିତ୍ର: ଇଣ୍ଡୋନେସିଆ ଲାଇଭ୍ କିଚେନ୍

ଭୁବନେଶ୍ବର: ଦିନ ଥିଲା ବଣିଜ କରିବାକୁ କଟକରୁ ସାଧବ ପୁଅମାନେ ଇଣ୍ଡୋନେସିଆ ଯାଉଥିଲେ । ମହାନଦୀ କୂଳରୁ ବୋଇତରେ ବାହାରି ବାଲି ସମେତ ବିଭିନ୍ନ ଦେଶକୁ ନୌବାଣିଜ୍ୟ ପାଇଁ ଯାଉଥିଲେ । ଏଠାକାର ସାମଗ୍ରୀକୁ ନେଇ ସେଠାରେ ବ୍ୟବସାୟ କରୁଥିଲେ । କିନ୍ତୁ ଏହି ନୌବାଣିଜ୍ୟ ପରମ୍ପରାରେ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି । ବ୍ୟବସାୟ କରିବାକୁ ଏଥର ଇଣ୍ଡୋନେସିଆରୁ କିଛି ବ୍ୟବସାୟୀ କଟକ ବାଲିଯାତ୍ରାକୁ ଆସିଛନ୍ତି । ଜିଲ୍ଲା ପ୍ରଶାସନ ଦ୍ୱାରା ଇଣ୍ଡୋନେସିଆ ପାଭିଲିଅନ୍ ହୋଇଥିଲାବେଳେ ସେଥିରେ ବିକ୍ରି ହେଉଛି ବିଭିନ୍ନ ଇଣ୍ଡୋନେସିଆ ସାମଗ୍ରୀ । ସବୁଠୁ ବଡ଼ କଥା ହେଉଛି ଯେ, ବାଲିଯାତ୍ରାରେ ଲୋକେ ଇଣ୍ଡୋନେସିଆ ଖାଦ୍ୟର ସ୍ୱାଦ ଅନୁଭବ କରୁଛନ୍ତି । ଚଳିତ ବର୍ଷ ପ୍ରଶାସନ ଦ୍ୱାରା ଏହି ନୈବାଣିଜ୍ୟ ସ୍ମୃତିକୁ ପୁନଜୀବିତ କରାଯାଇଛି । ପ୍ରଥମ ଥର ପାଇଁ ଇଣ୍ଡୋନେସିଆ ବାଲିଯାତ୍ରାରେ ସହଭାଗିତା ଦେଶ ଭାବେ ଅଂଶଗ୍ରହଣ କରିଥିଲା । ପ୍ରଥମ ସନ୍ଧ୍ୟାରେ ସାଂସ୍କୃତିକ ମଞ୍ଚରେ ଇଣ୍ଡୋନେସିଆର କଳାକାରମାନେ ସୁନ୍ଦର ସଙ୍ଗୀତ ପରିବେଷଣ କରିଥିଲେ । ଏହାପରେ ଏବେ ମହାନଦୀ କୂଳରେ ଚାଲିଥିବା ବାଲିଯାତ୍ରାରେ ସ୍ୱତନ୍ତ୍ର ଇଣ୍ଡୋନେସିଆ ପାଭିଲିଅନ୍ରେ ବିକ୍ରି ହେଉଛି ଇଣ୍ଡୋନେସିଆ ସାମଗ୍ରୀ । ସେଠାରୁ ଆସିଥିବା କିଛି ବ୍ୟବସାୟୀ ଆସି ପସରା ମେଲାଇଛନ୍ତି । ଏଥିରେ ପଶୁଙ୍କ ପାଇଁ ସ୍ୱତନ୍ତ୍ର ବାଲି ଦେଶର ସ୍ୱାସ୍ଥ୍ୟକର ଖାଦ୍ୟ ରହିଛି । ତାହାବାଦ୍ ୩୦ରୁ ଅଧିକ ପ୍ରକାରର ଇଣ୍ଡୋନେସିଆ ନୁଡୁଲ୍ ଉପଲବ୍ଧ ରହିଛି । ଯାହାକୁ ଲୋକଙ୍କ ଚାହିଦା ମୁତାବକ ଜଣେ ମହିଳା ଲାଇଭ୍ କିଚେନ୍ ମାଧ୍ୟମରେ ରୋଷେଇ କରି ଚାଖିବାକୁ ଦେଉଛନ୍ତି । ଯାହା ସମ୍ପୂର୍ଣ୍ଣ ନିଆରା । ସେହିଭଳି ଇଣ୍ଡୋନେସିଆର ଚକୋଲେଟ୍ ସମେତ ବିସ୍କୁଟ୍ ଓ ବିଭିନ୍ନ ହସ୍ତତନ୍ତ ସାମଗ୍ରୀ ବିକ୍ରି କରାଯାଉଛି । ଯାହାକୁ ଦେଖିବା ସହିତ କିଣାକିଣି କରି ଲୋକେ ଖୁସି ବ୍ୟକ୍ତି କରୁଥିବା ଇଣ୍ଡୋନେସିଆ ଆମ୍ବାସଡର୍ ଆଲମ ସୂଚନା ଦେଇଛନ୍ତି ।



