ରାଷ୍ଟ୍ରୀୟ ଗୀତର ୧୫୦ତମ ବାର୍ଷିକୀ ଉପଲକ୍ଷେ ବର୍ଷବ୍ୟାପୀ ସ୍ମାରକୀ ଉତ୍ସବର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀଠାରେ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ର ୧୫୦ତମ ବାର୍ଷିକୀ ପାଳନ ଲାଗି ଏକ ବର୍ଷବ୍ୟାପୀ ସମାରୋହର ଶୁଭାରମ୍ଭ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ଯେ, ବନ୍ଦେ ମାତରମ୍ କେବଳ ଏକ ଶବ୍ଦ ନୁହେଁ – ଏହା ଏକ ମନ୍ତ୍ର, ଏକ ଶକ୍ତି, ଏକ ସ୍ୱପ୍ନ ଏବଂ ଏକ ପବିତ୍ର ସଂକଳ୍ପ। ସେ ଏହା ମଧ୍ୟ କହିଛନ୍ତି ଯେ ‘ବନ୍ଦେ ମାତରମ୍’ ଭାରତ ମାତାଙ୍କ ପ୍ରତି ଭକ୍ତି ଏବଂ ଆଧ୍ୟାତ୍ମିକ ସମର୍ପଣର ପ୍ରତୀକ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଶବ୍ଦ ଆମକୁ ଆମର ଇତିହାସ ସହିତ ଯୋଡେ, ଆମର ବର୍ତ୍ତମାନକୁ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ କରେ ଏବଂ ଆମର ଭବିଷ୍ୟତକୁ ଏହି ବିଶ୍ୱାସ କରିବାର ସାହସ ଦିଏ ଯେ, କୌଣସି ସଂକଳ୍ପ ପୂରଣ କରିବା ଅସମ୍ଭବ ନୁହେଁ, କୌଣସି ଲକ୍ଷ୍ୟ ଆମ ପାଇଁ ଅପହଞ୍ଚ ନୁହେଁ। ‘ବନ୍ଦେ ମାତରମ୍’ର ସାମୂହିକ ଗାନକୁ ଅଭିବ୍ୟକ୍ତିର ସୀମା ବାହାରେ ଏକ ପ୍ରକୃତ ଅନନ୍ୟ ଅଭିଜ୍ଞତା ଭାବରେ ବର୍ଣ୍ଣନା କରି ଶ୍ରୀ ମୋଦୀ କହିଛନ୍ତି ଯେ, ଅନେକ ସ୍ୱର ମଧ୍ୟରେ ଏକ ଅନନ୍ୟ ତାଳର ଉଦ୍ଭବ ହୋଇଥିଲା, ଏକ ଏକୀକୃତ ସ୍ୱର, ଏକ ସହଭାଗୀ ରୋମାଞ୍ଚ ଏବଂ ଏକ ଅବିଚ୍ଛିନ୍ନ ପ୍ରବାହ ଦେଖାଦେଇଥିଲା। ସେ ସେହି ସ୍ୱରସମୂହ ଓ ସମନ୍ୱୟର ତରଙ୍ଗ ବିଷୟରେ କହିଲେ, ଯାହା ହୃଦୟକୁ ଉତ୍ସାହ ଓ ଶକ୍ତିରେ ଭରିଦେଇଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ନଭେମ୍ବର ୭ ତାରିଖ ଏକ ଐତିହାସିକ ଦିନ, କାରଣ ଦେଶ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପାଳନ କରୁଛି। ସେ କହିଥିଲେ ଯେ, ଏହି ପବିତ୍ର ଅବସର ଆମର ନାଗରିକମାନଙ୍କୁ ନୂତନ ପ୍ରେରଣା ଏବଂ ଶକ୍ତି ପ୍ରଦାନ କରିବ। ଇତିହାସର ପୃଷ୍ଠାରେ ଏହି ଦିନକୁ ସ୍ମରଣ କରିବା ପାଇଁ, ‘ବନ୍ଦେ ମାତରମ୍’ ପାଇଁ ଏକ ବିଶେଷ ସ୍ମାରକୀ ମୁଦ୍ରା ଏବଂ ଡାକ ଟିକେଟ୍ ଜାରି କରାଯାଇଛି। ଭାରତ ମାତାଙ୍କୁ ନିଜର ଜୀବନ ଉତ୍ସର୍ଗ କରିଥିବା ଭାରତର ସମସ୍ତ ବୀର ଏବଂ ମହାନ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଶ୍ରୀ ମୋଦୀ ଉପସ୍ଥିତ ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ ଏବଂ ବନ୍ଦେ ମାତରମର ୧୫୦ ବର୍ଷ ପୂରଣ ପାଇଁ ପ୍ରତ୍ୟେକ ନାଗରିକଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button