ଆଜାଦନଗର ବୋମା ବିସ୍ଫୋରଣ ଘଟଣା: ଏୟାରଫିଲ୍ଡ ଥାନାରେ NIA ଟିମର ତନାଘନା

ଭୁବନେଶ୍ୱର: ସୁନ୍ଦରପଦା ଆଜାଦନଗର ବୋମା ବିସ୍ଫୋରଣ ଘଟଣା ଏବେ ଏକ ନୂଆ ମୋଡ଼ ନେଇଛି। ଏହି ବିସ୍ଫୋରଣରେ ମାରାତ୍ମକ ରସାୟନିକ ପଦାର୍ଥ RDX ବ୍ୟବହାର ହୋଇଥିବା ପ୍ରମାଣ ମିଳିବା ପରେ, ଜାତୀୟ ତଦନ୍ତ ସଂସ୍ଥା (NIA) ଏହାର ସମ୍ପୂର୍ଣ୍ଣ ତଦନ୍ତ ଭାର ଗ୍ରହଣ କରିଛି। ଗୁରୁବାର ଦିନ NIAର ଏକ ୩ ଜଣିଆ ପ୍ରତିନିଧି ଦଳ ଏୟାରଫିଲ୍ଡ ଥାନାରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି। ଟିମ୍‌ର ସଦସ୍ୟମାନେ ଥାନା ଅଧିକାରୀଣି ଦୀପିକା ଦେବୀ ରାୟଙ୍କ ସହ ଆଲୋଚନା କରି ମାମଲା ସମ୍ବନ୍ଧିତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବେଜ ଓ ତଥ୍ୟ ସଂଗ୍ରହ କରିଛନ୍ତି। ଲ୍ୟାବ୍ ରିପୋର୍ଟରୁ ବିସ୍ଫୋରଣରେ RDX ସଦୃଶ ରସାୟନିକ ପଦାର୍ଥର ବ୍ୟବହାର ହୋଇଥିବା ଜଣାପଡ଼ିବା ପରେ କେନ୍ଦ୍ରୀୟ ସଂସ୍ଥାର ଚିନ୍ତା ବଢ଼ିଛି। ମୃତ ଅପରାଧୀ ସାହାନୱାଜ ମଲ୍ଲିକ ଓରଫ ମୁଫି ପାଖକୁ ଏହି ବିପଜ୍ଜନକ ବିସ୍ଫୋରକ କେଉଁଠୁ ଆସିଲା, ତାହା ଏବେ ତଦନ୍ତର ମୁଖ୍ୟ ବିଷୟ। ଏହି ଘଟଣାରେ କୌଣସି ଆନ୍ତଃରାଜ୍ୟ କିମ୍ବା ଆତଙ୍କବାଦୀ ସଙ୍ଗଠନର ସଂପୃକ୍ତି ରହିଛି କି ନାହିଁ, ସେ ଦିଗରେ NIA ଗଭୀର ଅନୁସନ୍ଧାନ ଚଳାଇଛି। ଏହି ବୋମା କେଉଁ ବଡ଼ ଧରଣର ଅଘଟଣ ପାଇଁ ପ୍ରସ୍ତୁତ କରାଯାଉଥିଲା, ତାହା ଉପରୁ ପରଦା ହଟାଇବାକୁ ଚେଷ୍ଟା କରାଯାଉଛି। ଭୁବନେଶ୍ୱରସ୍ଥିତ NIA ଶାଖା ପକ୍ଷରୁ ଏନେଇ ଏକ ସ୍ୱତନ୍ତ୍ର ମାମଲା (ନଂ. ୧/୨୦୨୬) ରୁଜୁ କରାଯାଇଛି। ପୂର୍ବରୁ ଏୟାରଫିଲ୍ଡ ଥାନାରେ ଏହି ମାମଲା ରୁଜୁ ହୋଇଥିବା ବେଳେ ଏବେ NIA ପକ୍ଷରୁ ଏହାର ପୂର୍ଣ୍ଣାଙ୍ଗ ତଦନ୍ତ କରାଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button