ଓଡ଼ିଶା ଛୁଇଁଲା ମୌସୁମୀ, ଘନୀଭୂତ ହେଉଛି ଲଘୁଚାପ

ଭୁବନେଶ୍ୱର: ଓଡ଼ିଶା ଛୁଇଁଲା ମୌସୁମୀ। ପାଗ ଅନୁକୂଳ ଥିବାରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ବୁଧବାର ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ଅଗ୍ରସର ହୋଇଛି। ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାର କିଛି ଅଞ୍ଚଳ ସହିତ ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା ଏବଂ ଗଜପତି ଜିଲ୍ଲାର କିଛି ଅଞ୍ଚଳରେ ମୌସୁମୀ ବାୟୁ ପ୍ରବେଶ କରିଛି। ଚଳିତବର୍ଷ ଆଗୁଆ ଅଗ୍ରସର ହୋଇଛି ମୌସୁମୀ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ସମ୍ପ୍ରତି ଏହା ଧିରେ ଧିରେ ଅଗ୍ରସର ହେଉଛି। ଓଡ଼ିଶାର ଦୁଇ ଜିଲ୍ଲା ଅତିକ୍ରାନ୍ତ କରିସାରିଥିବା ବେଳେ ଏହା ଓଡ଼ିଶାର ଅନ୍ୟ ଜିଲ୍ଲା ଆଡ଼କୁ ଅଗ୍ରସର ହେଉଛି। ତେବେ ନିର୍ଦ୍ଧାରିତ ସମୟଠାରୁ ୧୪ ଦିନ ଆଗୁଆ ଓଡ଼ିଶା ଛୁଇଁଛି ମୌସୁମୀ। ତଥ୍ୟ ଅନୁଯାୟୀ ୧୯୬୦ ମସିହାରୁ ଆଜି ପର୍ଯ୍ୟନ୍ତ କେବଳ ୨ ଥର ମେ’ ମାସରେ ଓଡ଼ିଶା ଛୁଇଁଛି ମୌସୁମୀ। ପୂର୍ବରୁ ୨୫ ମଇ ୨୦୦୯ ଏବଂ ୨୮ ମଇ ୧୯୯୯ରେ ଓଡ଼ିଶା ଛୁଇଁଥିଲା ମୌସୁମୀ ସୂଚନା ଦେଇଛି ପାଣିପାଗ ବିଭାଗ। ମୌସୁମୀ ଶୀଘ୍ର ଆସିବା ପଛରେ ଆରବ ସାଗର ଏବଂ ବଙ୍ଗୋପସାଗରରେ ଆର୍ଦ୍ରତା ବୃଦ୍ଧି ଏବଂ ସମୁଦ୍ର ତାପମାତ୍ରା ବୃଦ୍ଧି ମୁଖ୍ୟ କାରଣ। ଏଥର ଏଲ୍ ନିନୋ ନଥିବାରୁ, ଅଧିକ ବର୍ଷା ଆଶା କରାଯାଉଛି। ଅନ୍ୟପକ୍ଷରେ ମୌସୁମୀ ପ୍ରଭାବରେ ସମଗ୍ର ଦେଶରେ ୯୬%ରୁ ୧୦୪% ବର୍ଷା ହେବ। ଉତ୍ତର ଭାଗର ଅଧିକାଂଶ ଅଞ୍ଚଳ, ଏହାକୁ ଲାଗି ରହିଥିବା କେନ୍ଦ୍ରୀୟ ଭାରତୀୟ ଅଞ୍ଚଳ ଓ ଉତ୍ତର-ପଶ୍ଚିମ ଭାଗର କିଛି ସ୍ଥାନରେ ସ୍ୱାଭାବିକ କିମ୍ବା ତା’ଠାରୁ ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ତେବେ ଉତ୍ତର-ପୂର୍ବ ଭାରତର ଅନେକ ସ୍ଥାନ, ଉତ୍ତର-ପଶ୍ଚିମର କିଛି ଅଂଶ ଓ ଦକ୍ଷିଣ-ପୂର୍ବ ଭାଗରେ ସ୍ୱାଭାବିକଠାରୁ କମ୍ ବର୍ଷାହେବ ବୋଲି ଆକଳନ କରାଯାଇଛି। ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓଡ଼ିଶା ଉପକୂଳ ନିକଟରେ ସୃଷ୍ଟି ହୋଇଛି ଲଘୁଚାପ। ଲଘୁଚାପ ଘନୀଭୂତ ହେବା ନେଇ ଚିତ୍ର ସ୍ପଷ୍ଟ ହୋଇଛି। ଏହା କ୍ରମଶଃ ଉତ୍ତର ଦିଗରେ ଗତି କରି ଆସନ୍ତା ୪୮ଘଣ୍ଟାରେ ଅଧିକ ଘନୀଭୂତ ହେବ। ୨୪ ଘଣ୍ଟାରେ ଏହା ଉତ୍ତର ଦିଗକୁ ଗତି କରି ଅବପାତର ରୂପ ନେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ଆଜିଠାରୁ ରାଜ୍ୟରେ ପ୍ରବଳ ବର୍ଷା ହେବ। ଆଗାମୀ ୨୪ ଘଣ୍ଟା ୪ ଉପକୂଳ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଲଘୁଚାପ ଯୋଗୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ରାୟଗଡ଼ା, କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ଓ ଘଡ଼ଘଡ଼ି ହେବାର ଆଶଙ୍କା ରହିଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଘଣ୍ଟା ପ୍ରତି ୪୦ରୁ ୫୦କିମି ବେଗରେ ଝଟ୍କା ଝଟକା ପବନ ମଧ୍ୟ ବହିବା ସହ ବିଜୁଳି ଘଡ଼ଘଡ଼ି ସମ୍ଭାବନା ରହିଛି। ଏନେଇ ଆସନ୍ତାକାଲି ପାଇଁ ଗଞ୍ଜାମ ଗଜପତି, କୋରାପୁଟ, ରାୟଗଡ଼ା, ଭଦ୍ରକ କେଦ୍ରାପଡା, ଜଗତସିଂହପୁର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ସେହିପରି ଅବଶିଷ୍ଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ବାଲେଶ୍ୱର, ପୁରୀ, ନୟାଗଡ଼, ଖୋର୍ଦ୍ଧା କଟକ ଓ ଯାଜପୁର ସମେତ ବିଜୁଳି ଘଡ଼ଘଡ଼ି ସହ ଝଡ଼ବତାସର ମଧ୍ୟ ୟେଲୋ ୱାର୍ଣ୍ଣିଂ ରହିଛି। ସେହିପରି ୟେଲୋ ୱାର୍ଣ୍ଣିଂ ମଧ୍ୟ କେଉଁଝର, ଢ଼େଙ୍କାନାଳ, ମୟୂରଭଞ୍ଜ, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, ବୌଦ୍ଧ, ଦେବଗଡ଼, ଅନୁଗୁଳ, ବଲାଙ୍ଗୀର, ବରଗଡ଼, ନୂଆପଡ଼ାରେ ମଧ୍ୟ ଅପରାହ୍ଣ ଓ ସନ୍ଧ୍ୟାରେ ଝଡବତାସ ସହ ବିଜୁଳି ଘଡ଼ଘଡ଼ିର ସତର୍କ ସୂଚନା ଦିଆଯାଇଛି। ସେହିପରି ମୟୂରଭଂଜ, ବାଲେଶ୍ୱର, ଭଦ୍ରକ କେଦ୍ରାପଡ଼ାରେ ମଧ୍ୟ ଅରେଜ ୱାର୍ଣ୍ଣିଂ ଜାରି ସହିତ ସେଠାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବିଜୁ ଘଡ଼ଘଡ଼ିର ମଧ୍ୟ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ। ବାକି ଅନ୍ୟ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ରହିଛି। ତେବେ ୩୧ରୁ କମିବ ବର୍ଷାର ପରିମାଣ। ସମୁଦ୍ର ଅଶାନ୍ତ ଥିବାରୁ ୩୧ ତାରିଖ ଯାଏ ମତ୍ସ୍ୟବୀଜୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।