ଆଜିଠାରୁ ଭୁବନେଶ୍ବରରେ ଆରମ୍ଭ ହେବ ଇଂଜିନିୟର ମହାକୁମ୍ଭ

ଭୁବନେଶ୍ବର: ଆଜିଠାରୁ ଭୁବନେଶ୍ବରରେ ଆରମ୍ଭ ହେଉଛି ଭାରତୀୟ ରୋଡ କଂଗ୍ରେସ ବା ଆଇଆରସି ସମ୍ମିଳନୀ। ଏଥିରେ ଦେଶ ତଥା ବିଦେଶରୁ ଶହଶହ ଇଂଜିନିୟର ଯୋଗଦେବେ। ୧୯୩୪ ମସିହାରୁ ଆଇଆରସି ଗଠନ ହୋଇଥିବାବେଳେ ଏଯାବତ୍ ଓଡ଼ିଶାରେ ଆଇଆର୍ସିର ୫ଟି ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଛି। ପୁଣିଥରେ ୬ଷ୍ଠ ଥର ପାଇଁ ଆୟୋଜନ କରିବାର ସୁଯୋଗ ପାଇଛି ଓଡ଼ିଶା।ଏହି ମହାକୁମ୍ଭକୁ ଉଦ୍ଘାଟନ କରିବେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ୍ ଗଡ଼କରୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ। ଏହି ଅଧିବେଶନ ନଭେମ୍ବର ୬ ରୁ ୧୦ ତାରିଖ ପର୍ୟ୍ୟନ୍ତ ୫ ଦିନ ଧରି ସଡ଼କ ଭିତ୍ତିଭୂମି ଉନ୍ନତୀକରଣ,ନୂଆ ଜ୍ଞାନକୌଶଳ, ଜଳବାୟୁ ଅନୁକୂଳ ରାସ୍ତାନିର୍ମାଣ ଇତ୍ୟାଦି ଅନେକ ବୈଷୟିକ ବାବଦରେ ଜ୍ଞାନର ଆଦାନପ୍ରଦାନର କେନ୍ଦ୍ରବିନ୍ଦୁ ହେବ।ଆଇଆର୍ସିର ଏହି ବାର୍ଷିକ ସମ୍ମିଳନୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଜୟ ତମ୍ତା, ଶ୍ରୀ ହର୍ଷ ମାଲହୋତ୍ରା ଓ ମଧ୍ୟପ୍ରଦେଶର ପୂର୍ତ୍ତ ମନ୍ତ୍ରୀ ଶ୍ରୀ ରାକେଶ ସିଂହ ଏବଂ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଅତିଥି ଭାବେ ଯୋଗଦାନ କରିବେ। ସମଗ୍ର ଭାରତ ବର୍ଷରୁ ଅନେକ ବିଶେଷଜ୍ଞ, ବୈଜ୍ଞାନିକ, ସଡ଼କ ଯନ୍ତ୍ରୀ ସମେତ ୩୫୦୦ରୁ ଉର୍ଦ୍ଧ୍ବ ପ୍ରତିନିଧି ଆଲୋଚନାରେ ଭାଗ ନେବାର କାର୍ୟ୍ୟକ୍ରମ ରହିଛି। ଏଥିସହିତ ଆଇଆଇଟି,ଏନଆଇଟି, ଇଂଜିନିୟରିଂ ଛାତ୍ରଛାତ୍ରୀ ଓ ଗବେଷକଙ୍କୁ ନେଇ ବୈଷୟିକ ଅଧିବେଶନ ଅନୁଷ୍ଠିତ ହେବ। ଏହି ବୈଠକରେ ଅନ୍ୟତମ ଆକର୍ଷଣ ସାଜିବ ୨୦ଟି ‘ଓପନ ଟୁ ସ୍କାଏ ଷ୍ଟଲ’ ଯେଉଁଥିରେ ସଡ଼କ ଭିଭିଭୂମି ମଡେଲ ସହ ବିଭିନ୍ନ ଜ୍ଞାନକୌଶଳର ପ୍ରୟୋଗ ପ୍ରଦର୍ଶିତ ହେବ। ଏଠାରେ ଅନୁଷ୍ଠିତ ବୈଷୟିକ ପ୍ରଦର୍ଶନୀରେ ମେକାନାଇଜିଡ୍ ମାଷ୍ଟିକର ଡେମୋ ପ୍ରଦର୍ଶିତ ହେବ।



