ଜୁନ ୧୮ରେ ଦେଶବ୍ୟାପୀ ପ୍ରତିବାଦ କରିବେ ଡାକ୍ତର: ଆଇଏମଏ

ନୂଆଦିଲ୍ଲୀ: କୋରୋନା ମହାମାରୀ କାଳରେ ଆଗଧାଡ଼ିର ଯୋଦ୍ଧା ଭାବେ ନିଜ ଜୀବନକୁ ବିପନ୍ନ କରି ଲୋକଙ୍କୁ ସେବା ଯୋଗାଇ ଆସୁଥିବା ଡାକ୍ତରମାନେ ଆସନ୍ତା ୧୮ ତାରିଖରେ ଦେଶବ୍ୟାପୀ ପ୍ରତିବାଦ କରିବାକୁ ସୂଚନା ଦେଇଛନ୍ତି। ସର୍ବଭାରତୀୟ ମେଡିକାଲ ମହାସଂଘ (ଆଇଏମଏ) ମୁଖ୍ୟ ଡାକ୍ତର ଜେଏ ଜୟଲାଲ ଏନେଇ ଶନିବାର ସୂଚନା ଦେଇଛନ୍ତି। ନିକଟ ଅତୀତରେ ଡାକ୍ତରଙ୍କ ଉପରେ ଆକ୍ରମଣ ବଢ଼ୁଥିବାରୁ ଆଇଏମଏ ପ୍ରତିବାଦ କରି କେନ୍ଦ୍ର ସରକାରଙ୍କ ପାଖରେ ନିଜର ଦାବି ରଖିବାକୁ ନିଷ୍ପତ୍ତି ନେଇଛି। ୧୮ ତାରିଖରେ ପ୍ରତିବାଦ ବେଳେ ଡାକ୍ତରମାନେ କାର୍ଯ୍ୟ ବନ୍ଦ କରିବେ ନାହିଁ। କଳା ବ୍ୟାଜ ଓ ମୁଖା ପିନ୍ଧି କାମ କରି ପ୍ରତିବାଦ କରିବେ। କେନ୍ଦ୍ର ସରକାର ଡାକ୍ତରଙ୍କ ସୁରକ୍ଷା ପାଇଁ ସିଆରପିସି ଓ ଆଇପିସିରେ ସ୍ବତନ୍ତ୍ର ବ୍ୟବସ୍ଥା କରନ୍ତୁ ବୋଲି ଡାକ୍ତର ଜୟଲାଲ ଦାବି ଜଣାଇଛନ୍ତି।

ନିକଟ ଅତୀତରେ ଆସାମ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ପଶ୍ଚିମବଙ୍ଗରେ କୋଭିଡ ଚିକିତ୍ସା ବେଳେ ରୋଗୀ ସମ୍ପର୍କୀୟମାନେ ଡାକ୍ତରଙ୍କୁ ମାଡ଼ ମାରିଛନ୍ତି। ଡାକ୍ତରଙ୍କୁ ରୋଗୀ ସମ୍ପର୍କୀୟ କିପରି ଘୋଷାଡ଼ି ଘୋଷାଡ଼ି ବିଧା ଗୋଇଠା ମାରୁଥିଲେ ତାହାର ଭିଡିଓ ଭାଇରାଲ ହୋଇ ସାରିଛି। ତେଣୁ ଏପରି ସ୍ଥିତିରେ ସରକାର କାହିଁକି ଡାକ୍ତରମାନଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଉ ନାହାନ୍ତି ବୋଲି ଡାକ୍ତର ଜୟଲାଲ ପ୍ରଶ୍ନ କରିଛନ୍ତି। ‘ସେଭ ଦ ସେଭିୟର୍ସ’ ସ୍ଲୋଗାନ ଦେଇ ଡାକ୍ତରମାନେ ସବୁ ଘରୋଇ ଓ ସରକାରୀ ହସ୍ପିଟାଲମାନଙ୍କରେ କାର୍ଯ୍ୟ କରୁଥିବା ଡାକ୍ତରମାନଙ୍କ ପାଇଁ ସୁରକ୍ଷା ଯୋଗାଇ ଦେବାର ବ୍ୟବସ୍ଥା ହେଉ ବୋଲି ଦାବି ଜଣାଇବା ପାଇଁ ଆସନ୍ତା ୧୮ରେ ପ୍ରତିକାତ୍ମକ ପ୍ରତିବାଦ କରିବାକୁ ଯାଉଛନ୍ତି।

Related Articles

Leave a Reply

Your email address will not be published.

Back to top button