କରୋନାରେ ୧୦ବର୍ଷର ପିଲା ମୃତ

ବ୍ରହ୍ମପୁର: ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ କୋଭିଡ୍‌ ହସ୍ପିଟାଲ୍‌ରେ ୧୦ବର୍ଷର ପିଲାର ମୃତ୍ୟୁ ଘଟିଛି। ପିଲାଟି କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ତାକୁ ରବିବାର ସକାଳେ ଏମ୍‌କେସିଜି ମେଡିକାଲ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାର ମୃତ୍ୟୁ ଘଟିଛି। ସେପଟେ ପିଲାଟି ହିମୋଫିଲିଆ ରୋଗରେ ପୀଡ଼ିତ ଥିଲେ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ଏଥିପାଇଁ ସେ ବିିଭିନ୍ନ ସମୟରେ ଚିକିତ୍ସିତ ହେଉଥିଲେ। ଶିଶୁଟିର ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଥିଲା। ତା’ର ଜୀବନ ବଞ୍ଚାଇବା ପାଇଁ ଡାକ୍ତର ଅକ୍ଳାନ୍ତ ପରିଶ୍ରମ କରିଥିଲେ। କିନ୍ତୁ ଶିଶୁର ଜୀବନ ରକ୍ଷା କରାଯାଇ ପାରି ନଥିଲା ବୋଲି ଜିଲ୍ଲାପାଳ କହିଛନ୍ତି। ବ୍ରହ୍ମପୁର ହାଉସିଂବୋର୍ଡ ଅଞ୍ଚଳର ଏହି ୧୦ବର୍ଷର ପିଲାର ଦେହ ଅସୁସ୍ଥ ହୋଇଥିଲା। ପରିବାରବର୍ଗ ଗତ ଶନିବାର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। କୋଭିଡ୍‌ ପରୀକ୍ଷା କରିବା ପରେ ସେ ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ଗତକାଲି ଦିନ ୧୧ଟା ବେଳେ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ତାର ଅବସ୍ଥା ଜଟିଳ ରହିଥିବାବେଳେ ଅକ୍ସିଜେନ୍‌ସ୍ତର ମଧ୍ୟ କମିଯାଇଥିଲା। ତାକୁ ୧୫ଲିଟର୍‌ ବିଶିଷ୍ଟ ଅକ୍ସିଜେନ୍‌ ସିଲିଣ୍ଡର୍‌ ଦିଆଯାଇଥିଲା। କିନ୍ତୁ ତାର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ହୋଇ ନଥିଲା। ଶେଷରେ ରାତି ପ୍ରାୟ ୮ଟା ବେଳେ ତାର ମୃତ୍ୟୁ ଘଟିଥିଲା। କରୋନାରେ ଆକ୍ରାନ୍ତ ହୋଇ ୧୦ ବର୍ଷର ପିଲା ମୃତ୍ୟୁ ଘଟଣା ଓଡ଼ିଶାରେ ପ୍ରଥମ ବୋଲି କୁହାଯାଉଛି। ଏମ୍‌କେସିଜି ମେଡିକାଲର ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡା. ସୁନୀଲ ଅଗ୍ରୱାଲ୍‌ କହିଛନ୍ତି, ପିଲାଟିର ଅନ୍ୟ ଜଟିଳ ରୋଗ ରହିଥିବାରୁ ସେ ଗୁରୁତର ଥିଲେ। କେବଳ କରୋନା ପାଇଁ ତାଙ୍କର ମୃତ୍ୟୁ ଘଟି ନାହିଁ। ସେ ହିମୋଫିଲିଆରେ ପୀଡ଼ିତ ଥିଲେ। ତଥାପି ଡାକ୍ତରୀ ଟିମ୍‌ ବହୁ ଚେଷ୍ଟା କରିଥିଲେ। ହେଲେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସି ନଥିଲା। ଏଣୁ ତାର ମୃତ୍ୟୁ ଘଟିଥିଲା ବୋଲି ‌ଡା. ଅଗ୍ରୱାଲ୍‌ କହିଛନ୍ତି।

Related Articles

Leave a Reply

Your email address will not be published.

Back to top button