ଅଲିମ୍ପିକ୍ ପାଇଁ ଭାରତୀୟ ପୁରୁଷ ଦଳରେ ବୀରେନ୍ଦ୍ରଙ୍କ ସମେତ ୩ ଓଡ଼ିଆ

ନୂଆଦିଲ୍ଲୀ: ଆଗାମୀ ଜୁଲାଇ-ଅଗଷ୍ଟରେ ଖେଳାଯିବାକୁ ଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ଦଳ ଶୁକ୍ରବାର ଘୋଷିତ ହୋଇଥିବା ବେଳେ ଏଥିରେ ୩ ଜଣ ଓଡ଼ିଆ ଖେଳାଳି ସାମିଲ୍ ହୋଇଛନ୍ତି। ଏହି ଦଳରେ ଡିଫେଣ୍ଡର୍ ବୀରେନ୍ଦ୍ର ଲାକ୍ରାଙ୍କ ସମେତ ସମୁଦାୟ ୩ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ଅନ୍ୟ ଦୁଇ ଓଡ଼ିଆ ଖେଳାଳି ହେଲେ ଡିଫେଣ୍ଡର୍ ଅମିତ୍ ରୋହିଦାସ ଓ ମିଡଫିଲ୍ଡର୍ ବିବେକ ସାଗର ପ୍ରସାଦ। ଏହି ୧୬ ଜଣିଆ ଦଳରେ ଗୋଲକିପର୍ ଭାବେ ଅଭିଜ୍ଞ ତଥା ପୂର୍ବତନ ଅଧିନାୟକ ପିଆର ଶ୍ରୀଜେଶ ସାମିଲ୍ ହୋଇଥିବା ବେଳେ ସମୁଦାୟ ୧୦ ଜଣ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ବର୍ତ୍ତମାନ ପୁରୁଷ ଖେଳାଳିମାନେ ବେଙ୍ଗାଲୁରୁସ୍ଥିତ ସାଇ ସେଣ୍ଟରଠାରେ ଅଭ୍ୟାସ ଜାରି ରଖିଥିବା ବେଳେ ସେମାନଙ୍କ ପ୍ରଦର୍ଶନ ଭିତ୍ତିରେ ଦଳ ଚୟନ କରାଯାଇଛି। ଦଳରେ ସାମିଲ୍ ଥିବା ଖେଳାଳିଙ୍କ ମଧ୍ୟରେ ଭେଟେରାନ୍ ହରମନପ୍ରୀତ୍ ସିଂ, ରୂପିନ୍ଦର ପାଲ୍ ସିଂ, ସୁରେନ୍ଦର କୁମାର ଓ ମନଦୀପ ସିଂ ପ୍ରମୁଖ। ସେହିପରି ଓଡ଼ିଶାର ବୀରେନ୍ଦ୍ର ଗତ ୨୦୧୬ ଅଲିମ୍ପିକ୍ସରେ ଆଘାତଜନିତ କାରଣରୁ ଭାଗ ନେବାର ସୁଯୋଗ ହରାଇଥିଲେ ହେଁ ଏଥର ତାଙ୍କୁ ଏହି ସୁଯୋଗ ମିଳିଛି। ସେହିପରି ଦଳରେ ହାର୍ଦ୍ଦିକ ସିଂ, ନୀଳକାନ୍ତ ଶର୍ମା, ସୁମିତ୍ ଓ ଡେବ୍ୟୁଟାଣ୍ଟ୍ ଫରୱାର୍ଡ ଶମଶେର୍ ସିଂ, ଦିଲପ୍ରୀତ୍ ସିଂ, ଗୁରଜନ୍ତ ସିଂ ଓ ଲଳିତ କୁମାର ଉପାଧ୍ୟାୟ ସ୍ଥାନ ପାଇଛନ୍ତି। ଗୁରୁବାର ଭାରତୀୟ ମହିଳା ଦଳ ଘୋଷଣା ହୋଇଥିବା ବେଳେ ସେଥିରେ ମାତ୍ର ଦୀପ ଗ୍ରେସ୍ ଏକ୍କା ସ୍ଥାନ ପାଇଥିବାରୁ ଓଡ଼ିଶାର ହକିପ୍ରେମୀ ନିରାଶ ହୋଇଥିଲେ। କିନ୍ତୁ ଶୁକ୍ରବାର ପୁରୁଷ ଦଳରେ ୩ ଜଣ ଖେଳାଳି ସ୍ଥାନ ପାଇଥିବାରୁ ରାଜ୍ୟ ହକିପ୍ରେମୀମାନଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି।

Related Articles

Leave a Reply

Your email address will not be published.

Back to top button