ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ମଙ୍ଗଳବାର ରାତିରେ ବ୍ରହ୍ମପୁତ୍ର ହଷ୍ଟେଲର 52 ନମ୍ବର ରୁମରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଛାତ୍ର ଜଣଙ୍କ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଅଞ୍ଚଳର ସୁରଜ କୁଜୁର । ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପିଜି ଅର୍ଥନୀତି ବିଭାଗର ଦ୍ଵିତୀୟ ବର୍ଷର ଛାତ୍ର । ଘଟଣାସ୍ଥଳରୁ ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି । ମୃତ୍ୟୁ ପଛର କାରଣ କଣ ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ସୁରଜ କୁଜୁରଙ୍କ ମୃତଦେହ ହଷ୍ଟେଲରେ ଦେଖିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବୁର୍ଲା ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ମୃତକଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲା। କେଉଁ ପରିସ୍ଥିତିରେ ଛାତ୍ରଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ l ବୁର୍ଲା ଥାନା ଅଧିକାରୀ ସୋମ୍ୟକାନ୍ତ ବଳିୟାରସିଂଙ୍କ କହିବା ଅନୁସାରେ ମଙ୍ଗଳବାର ରାତିରେ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ଆମକୁ ଏହି ଘଟଣା ନେଇ ସୂଚନା ଦେଇଥିଲେ । ପରେ ବୁର୍ଲା ପୋଲିସ ହଷ୍ଟେଲରେ ଛାତ୍ର ସୁରଜ କୁଜୁରଙ୍କ ମୃତଦେହ ଉଦ୍ଧାର କରିବା ସହ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ହୋଇ ଥାଇ ପରେ ବୋଲି ସନ୍ଦେହ କରୁଛୁ, ଏହାର ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ଥାନା ଅଧିକାରୀ। ଏନେଇ ବୁର୍ଲା ଥାନାରେ କେସ ନମ୍ବର 43 ରେ ମଙ୍ଗଳବାର ଏକ ମାମଲା ରୁଜୁ ହୋଇଛି ।



