‘ବିକଶିତ ଭାରତ’ ପାଇଁ ‘ପୂର୍ବୋଦୟ’ ହେଉଛି ଅଭିବୃଦ୍ଧିର ଇଞ୍ଜିନ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ‘ବିକଶିତ ଭାରତ’ ପାଇଁ ‘ପୂର୍ବୋଦୟ’ ହେଉଛି ଅଭିବୃଦ୍ଧିର ଇଞ୍ଜିନ। ଏହି ଆହ୍ୱାନ ମଧ୍ୟରେ ଥିବା ସମ୍ଭାବନାକୁ ବାସ୍ତବର ରୂପ ଦେବା ସହ ସୁଯୋଗର ସମ୍ପୂର୍ଣ୍ଣ ଲାଭ ନେବା ପାଇଁ ସମସ୍ତେ ମିଳିତ ଭାବେ ଆଗେଇ ଆସିବା ଦରକାର ବୋଲି ଆଜି ଭୁବନେଶ୍ୱର ଠାରେ ‘ପୂର୍ବୋଦୟ ଦୃଷ୍ଟିକୋଣ – ୨୦୨୫’ ଉପରେ ଆୟୋଜିତ ଆନ୍ତର୍ଜାତୀୟ ସମ୍ମିଳନୀର ତୃତୀୟ ସଂସ୍କରଣରେ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଏବଂ ଦ ଏନର୍ଜି ଫୋରମ୍ (ଟିଇଏଫ)ର ମିଳିତ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପୂର୍ବୋଦୟ’ ପରିକଳ୍ପନାକୁ ଆଗକୁ ନେବା ଦିଗରେ ଏଭଳି ଆୟୋଜନ ସ୍ୱାଗତଯୋଗ୍ୟ। ୨୦୧୬ ମସିହା ଫେବୃଆରୀ ୬ ତାରିଖରେ ଇଣ୍ଡିଆନ ପାରାଦୀପ ରିଫାଇନାରୀକୁ ଦେଶ ପାଇଁ ଉତ୍ସର୍ଗ କରିବା ସମୟରେ ପ୍ରଧାନମନ୍ତ୍ରୀ ପ୍ରଥମେ ‘ପୂର୍ବୋଦୟ’ର ଆଧାରଶିଳା ରଖିଥିଲେ। କେନ୍ଦ୍ର ବଜେଟ୍ ୨୦୨୪ରେ ମଧ୍ୟ ଏହି ପୂର୍ବୋଦୟ ଯୋଜନାକୁ ଆଣି ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଏବଂ ଆନ୍ଧ୍ରପ୍ରଦେଶକୁ ନେଇ ଗଠିତ ପୂର୍ବାଞ୍ଚଳର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ ହେଉଛି ଏହି ଅଞ୍ଚଳକୁ ବିକଶିତ ଭାରତର ଅଭିବୃଦ୍ଧି ଇଞ୍ଜିନ ଭାବରେ ରୂପାନ୍ତରିତ କରିବା। ପୂର୍ବୋଦୟର ପ୍ରବେଶପଥ ଏବଂ ଶକ୍ତି ନିରାପତ୍ତାଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଇ ସେ କହିଛନ୍ତି ଯେ ପାରାଦୀପ, ଧାମରା ଏବଂ ଗୋପାଳପୁର ଭଳି ପ୍ରମୁଖ ବନ୍ଦର ଏବଂ ଖଣିଜ ଭିତ୍ତିକ ଶିଳ୍ପ ସହିତ ଓଡ଼ିଶା ଆଜି “ପୂର୍ବୋଦୟର ପ୍ରବେଶପଥ” ଭାବରେ ଉଭା ହୋଇଛି । ସେ ଗୁରୁତ୍ୱାରୋପ କରିଛନ୍ତି ଯେ ବନ୍ଦର ଭିତ୍ତିକ ବିକାଶ ଏବଂ ବ୍ଲୁ ଇକୋନୋମି ହେଉଛି ଆମ ସରକାରଙ୍କ ପ୍ରମୁଖ ପ୍ରାଥମିକତା। ଅର୍ଥନୈତିକ କରିଡର କେବଳ ରାସ୍ତା ଓ ବନ୍ଦର ନୁହେଁ, ଏହା ଶକ୍ତି, ତଥ୍ୟ, ଆର୍ଥିକ ଏବଂ ବିଚାରର ପ୍ରବାହକୁ ମଧ୍ୟ ଦର୍ଶାଉଛି। ବର୍ତ୍ତମାନ ସମୟରେ ପୂର୍ବ ଭାରତ ଦ୍ରୁତ ଗତିରେ ଏକ ରଣନୈତିକ ଶକ୍ତି କରିଡର ଭାବରେ ଉଭା ହେଉଛି। ଆଜି ଭାରତରେ ୯,୩୦୦ କିଲୋମିଟରରୁ ଅଧିକ ପେଟ୍ରୋଲିୟମ ଏବଂ ଉତ୍ପାଦ ପାଇପଲାଇନ କାର୍ଯ୍ୟକ୍ଷମ ଅଛି। ଏହି ପାଇପଲାଇନଗୁଡ଼ିକ ପାରାଦୀପ, ଧାମରା, ହଳଦିଆ ଏବଂ ଭାଇଜାଗ ବନ୍ଦର ସହିତ ମିଶି ଅଶୋଧିତ ତୈଳ, ଏଲଏନଜି ଏବଂ ପେଟ୍ରୋକେମିକାଲ୍ ବାଣିଜ୍ୟ ପାଇଁ ଶକ୍ତିଶାଳୀ ପ୍ରବେଶପଥ ପାଲଟିଛନ୍ତି।



