ପିପିଲି ପାଇଁ ବିଶ୍ୱକେଶନଙ୍କୁ ପ୍ରାର୍ଥୀକଲା କଂଗ୍ରେସ

ଭୁବନେଶ୍ୱର: ଦିବଗଂତ କଂଗ୍ରେସ ନେତା ତଥା ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ତାଙ୍କ ପରିବାରର ଜଣକୁ ପ୍ରାର୍ଥୀ କରିବାକୁ କଂଗ୍ରେସ ଚାହୁଁଥିବା ବେଳେ ଅଜିତ୍‌ଙ୍କ ପରିବାର ଏଥିରେ ରାଜି ନ ହେବାରୁ ଶୁକ୍ରବାର ଆଉ ଜଣଙ୍କୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ପୁରୀ ଜିଲ୍ଲା ସେବାଦଳର ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ସେ ଆସନ୍ତା ୨୬ ତାରିଖ ସକାଳେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏଆଇସିସି ସାଧାରଣ ସମ୍ପାଦକ ମୁକୁଲ ୱାସନିକ ଶୁକ୍ରବାର ମହାପାତ୍ରଙ୍କୁ ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ କରାଯିବା ସମ୍ପର୍କରେ ଗଣମାଧ୍ୟମକୁ ପ୍ରେସ୍ ରିଲିଜ୍ ମାଧ୍ୟମରେ ସୂଚନା ଦେଇଛନ୍ତି। ପିପିଲି ଉପନିର୍ବାଚନ ପାଇଁ ଗତ ଏପ୍ରିଲ୍‌ ୧୭ ତାରିଖରେ ମତଦାନ ହେବାର ଥିଲା। କିନ୍ତୁ ଏପ୍ରିଲ୍‌ ୧୪ ତାରିଖରେ କୋରୋନାରେ ସଂକ୍ରମିତ ହୋଇ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଥିଲା। ପରେ ନିର୍ବାଚନ କମିଶନର ପିପିଲି ନିର୍ବାଚନକୁ ବାତିଲ୍‌ କରିଥିଲେ। ତେବେ ମେ’ ୧୩ରେ ମତଦାନ ହେବା ନେଇ ଘୋଷଣା କରାଯାଇଥିଲା କିନ୍ତୁ ଇଦ୍‌-ଉଲ୍‌-ଫିତର ପଡ଼ୁଥିବାରୁ  ମେ ୧୬ରେ ମତଦାନ ହେବା ନେଇ ସାନି ବିଜ୍ଞପ୍ତି ଜାରି କରିଥିଲେ ମୁଖ୍ୟ ନିର୍ବାଚନ କମିଶନର। କଂଗ୍ରେସ ପ୍ରାର୍ଥୀ ଅଜିତ୍‌ ମଙ୍ଗରାଜଙ୍କ ଦେହାନ୍ତ ପରେ ପିପିଲିରେ କଂଗ୍ରେସ ପ୍ରାର୍ଥୀ କିଏ ହେବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଅଜିତ୍‌ଙ୍କ ସ୍ତ୍ରୀ କିମ୍ବା ତାଙ୍କ ଭାଇଙ୍କୁ ପ୍ରାର୍ଥୀ କରିବା ସକାଶେ ଦଳ ତରଫରୁ ଚେଷ୍ଟା କରାଯାଇଥିଲା। ଦଳର ପ୍ରାର୍ଥୀ ଚୟନ କମିଟିକୁ ଅଜିତଙ୍କ ପରିବାର ଲୋକେ ସିଧାସଳଖ ମନା କରିଦେଇଥିଲେ। ଏହାପରେ ୩ ଜଣଙ୍କ ନାଁ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ନିକଟକୁ ପଠାଇ ଦିଆଯାଇଛି। ଉକ୍ତ ତାଲିକାରେ ପୁରୀ ଜିଲ୍ଲା କଂଗ୍ରେସ ସେବା ଦଳର ସଭାପତି ଥିବା ବିଶ୍ବକେତନଙ୍କ ନାଁ ରହିଥିଲା। ବିଶ୍ବକେତନ ମହାପାତ୍ରଙ୍କ ପ୍ରାର୍ଥୀତ୍ୱକୁ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧି ଅନୁମୋଦନ କରିବାପରେ ଏଆଇସିସି ପକ୍ଷରୁ ଏନେଇ ଆନୁଷ୍ଠାନିକ ସୂଚନା ଦିଆଯାଇଛି।

Related Articles

Leave a Reply

Your email address will not be published.

Back to top button