ଆଜି ହେଉଛି ପ୍ରଥମାଷ୍ଟମୀ

ଭୁବନେଶ୍ବର: ପ୍ରଥମାଷ୍ଟମୀ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପାଳନ କରାଯାଏ। ଏହାକୁ ପଢୁଆଁ ଅଷ୍ଟମୀ ବୋଲି ମଧ୍ୟ କୁହାଯାଏ। ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟ ପରିଚିତ। ଏହି ପର୍ବ ଓଡିଶାର ଏକ ଲୋକପ୍ରିୟ ପର୍ବ ଭାବେ ପରିଚିତ।

ଏହାକୁ ପ୍ରଥମାଷ୍ଟମୀ ବୋଲି କାହିଁକି କୁହାଯାଏ

ପୂର୍ବେ ବୈଶାଖ ନୁହେଁ ମାର୍ଗଶିର ମାସକୁ ବର୍ଷର ପ୍ରଥମ ମାସ ବୋଲି ବିବେଚନା କରାଯାଉ ଥିଲା। ଏହି ମାସରୁ ବର୍ଷା ଆରମ୍ଭ ହେଉଥିଲା। ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଛି। ହେଲେ ପରବର୍ତ୍ତି ସମୟରେ ଏହା ବର୍ଷର ପ୍ରଥମ ମାସ ହୋଇ ନ ଥିଲେ ମଧ୍ୟ ଏହାର ଅଷ୍ଟମୀଟି ପ୍ରଥମ ଅଷ୍ଟମୀ ଭାବେ ପରିଚିତ ହୋଇ ଆସୁଛି।

ଏହି ଦିନକୁ ଓଡିଆ ଘରେ ପୂଜାପର୍ବ କରାଯାଇଥାଏ। ମୁଖ୍ୟତଃ ଏହା ବର୍ଷର ପ୍ରଥମ ଅଷ୍ଟମୀ ହୋଇଥିବାରୁ ଘରର ପ୍ରଥମ ସନ୍ତାନକୁ ପୂଜା କରାଯିବାର ବିଧାନ ରହିଛି।  ପ୍ରଥମ ସନ୍ତାନଟି ପୁଅ ହେଉ କିମ୍ବା ଝିଅ, ତାଙ୍କୁ ବନ୍ଧାପନା କରାଯାଇ ପୂଜା କରାଯାଇଥାଏ।

ପ୍ରଥମାଷ୍ଟମୀରେ କେମିତି କରାଯାଏ ପୂଜା

ଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ପୂଜାବିଧି ଅନୁଷ୍ଠିତ ହୋଇଥାଏ। ଏହି ଦିନ ସେମାନଙ୍କର ଦୀର୍ଘଜୀବନ କାମନା କରି ମାଆମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିଥାଆନ୍ତି। ପଞ୍ଚପଲ୍ଲବ ଓ ପଞ୍ଚଶସ୍ୟରେ କଳସ ପୂଜା ଓ ବରୁଣ ପୂଜା ହୋଇଥାଏ।

ଓଡ଼ିଆ ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ ସେ କନ୍ୟା ହେଉ କି ପୁତ୍ର, ତାଙ୍କୁ ସ୍ନାନ କରାଯାଇ ନୂତନ ବସ୍ତ୍ର ପିନ୍ଧାଯାଇଥାଏ। ଏହାପରେ ଦିଅଁଙ୍କ ଆଗରେ ଏକ ପିଢ଼ା ଉପରେ ବସାଇ ଦୁଇ କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳ ମିଶାଇ ସେଥିରେ ସନ୍ତାନର ମାଆ ବନ୍ଦାପନା କରିଥାନ୍ତି।

ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ପିତାମାତାଙ୍କୁ ଓ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି। ପରିବାରର ଜ୍ୟେଷ୍ଠ ପୁତ୍ର ବା ଜ୍ୟେଷ୍ଠା କନ୍ୟାର ନବ ବସ୍ତ୍ର ପରିଧାନ ଓ ବନ୍ଦାପନା ହେବାର ଏହି ବିଶେଷ ବିଧିକୁ ‘ପଢୁଆଁ ହେବା’ କହିଥାନ୍ତି।

ପ୍ରଥମାଷ୍ଟମୀର ମୁଖ୍ୟ ଭୋଗ ହେଉଛି ହଳଦୀ ପତ୍ରର ଏଣ୍ଡୁରି ପିଠା

ପରମ୍ପରା ଅନୁଯାୟୀ ଏହି ଦିନ ଜ୍ୟେଷ୍ଠ ସନ୍ତାନ ପିନ୍ଧୁଥିବା ନୂତନ ବସ୍ତ୍ର ମାମୁ ଘରୁ ଆସିଥାଏ। ଏହିଦିନ ମାମୁଁମାନେ ନୂଆଲୁଗା, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଭଣଜା ଭାଣିଜୀ ଘରକୁ ଯାଇ ପଢୁଆଁ କରନ୍ତି। ସେଥିପାଇଁ ମାମୁଁଙ୍କୁ ଶ୍ରଦ୍ଧାରେ ଅଷ୍ଟମୀ ବନ୍ଧୁ ବୋଲି କୁହାଯାଏ। ଅବଶ୍ୟ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଘରର ଜ୍ୟେଷ୍ଠପୁତ୍ର ବା ଜ୍ୟେଷ୍ଠକନ୍ୟାକୁ ନୂଆ ଲୁଗାପଟା ବାପ ମାଆମାନେ ପିନ୍ଧେଇ ପୂଜା କରିବାର ପରଂପରା କେତେକ ଅଞ୍ଚଳରେ ରହିଛି।

ଏଣ୍ଡୁରି ପିଠା ପ୍ରଥମାଷ୍ଟମୀର ବିଶେଷତ୍ୱ। ଏହି ପିଠା ପାଇଁ ହଳଦୀପତ୍ର ବ୍ୟବହାର ମଧ୍ୟ ଅନ୍ୟ ଏକ ବିଶେଷତ୍ୱ। ଅନ୍ୟ କୌଣସି ପିଠାରେ ହଳଦୀ ପତ୍ର ବ୍ୟବହୃତ ହୁଏ ନାହିଁ। କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଏଣ୍ଡୁରି ପିଠାରେ ହଳଦୀପତ୍ରର ବ୍ୟବହାର ରହିଛି।

Related Articles

Leave a Reply

Your email address will not be published.

Back to top button