ପଞ୍ଜାବ ପୁଲିସ୍‌କୁ ବଡ଼ ସଫଳତା: ଆଇଏସ୍‌ଆଇ ମଡ୍ୟୁଲ୍ ପର୍ଦ୍ଦାଫାସ୍‌, ୪ ଆତଙ୍କୀ ଗିରଫ

ନୂଆଦିଲ୍ଲୀ: ଅଗଷ୍ଟ ୧୫ ସ୍ୱାଧୀନତା ଦିବସର ଠିକ୍ ପୂର୍ବରୁ ପଞ୍ଜାବ ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ରବିବାର ଦିଲ୍ଲୀ ପୁଲିସ ସହଯୋଗରେ ପଞ୍ଜାବ ପୁଲିସ ଏକ ଆଇଏସ୍‌ଆଇ ସମର୍ଥିତ ଆତଙ୍କୀ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍ କରିବା ସହ ୪ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ବହୁ ସଂଖ୍ୟକ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି । ପଞ୍ଜାବ ପୁଲିସ କାନାଡାରେ ଥିବା ଅର୍ଶ ଡଲ୍ଲା ଏବଂ ଅଷ୍ଟ୍ରେଲିଆର ଗୁରଜନ୍ତ ସିଂହ ସହିତ ସମ୍ପୃକ୍ତ ମଡ୍ୟୁଲ୍‌ର ୪ ଜଣ ସଦସ୍ୟଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୩ଟି ହ୍ୟାଣ୍ଡ୍ ଗ୍ରେନେଡ୍‌, ଗୋଟିଏ ଆଇଡି, ଦୁଇଟି ୯ ଏମ୍‌ଏମ୍ ପିସ୍ତଲ ସହିତ ୪୦ ଗୁଳି ଜବତ କରିଛି । ଜବତ ଅସ୍ତ୍ରଶସ୍ତ୍ର ଅନୁସାରେ ଏକ ବଡ଼ ଆକ୍ରମଣ ଯୋଜନା କରାଯାଇଥିବା ଜଣାଯାଇଛି ।
ଅନ୍ୟପକ୍ଷରେ ଆସାମର ଚରାଇଦେବ ଜିଲ୍ଲାର ସୋନାରୀ ଅଞ୍ଚଳରୁ ସେନା ଓ ପୁଲିସ ରବିବାର ଜଣେ ସଶସ୍ତ୍ର ଉଲ୍‌ଫା (ଆଇ) କ୍ୟାଡର୍‌କୁ ଗିରଫ କରିଛନ୍ତି । ତା’ ନିକଟରେ ଗୋଟିଏ ପିସ୍ତଲ ଏବଂ ଅନ୍ୟାନ୍ୟ ଯୁଦ୍ଧ ପରି ସାମଗ୍ରୀ ଜବତ କରାଯାଇଛି । ସେହିପରି ଦିଲ୍ଲୀର ଦକ୍ଷିଣ ଦ୍ୱାରକାରେ ଚେକିଂ ବେଳେ ପୁଲିସ ଦୁଇଜଣ ବାଂଶଦେଶୀ ନାଗରିକଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଡଜନେ ପାସ୍‌ପୋର୍ଟ ସମେତ ବାଂଲାଦେଶ ମନ୍ତ୍ରଣାଳୟର ୧୦ଟି ନକଲି ରବର ଷ୍ଟାମ୍ପ୍ ଜବତ କରାଯାଇଛି । ଗିରଫ ଦୁଇଜଣ ହେଲେ ମହମ୍ମଦ ମୁସ୍ତାଫା ଏବଂ ମହମ୍ମଦ ହୁସେନ । ସେମାନଙ୍କୁ ପୁଲିସ ପଚରା ଉଚରା ଚଳାଇଛି । ସ୍ୱାଧୀନତା ଦିବସକୁ ନେଇ ସୁରକ୍ଷା ଏଜେନ୍ସିଗୁଡ଼ିକୁ ଆତଙ୍କବାଦୀ ଆକ୍ରମଣର ସ୍ପେଶିଫିକ୍ ଆଲର୍ଟ ମିଳିଛି । ଏଜେନ୍ସିଗୁଡ଼ିକ ଦିଲ୍ଲୀ ସମେତ ସମସ୍ତ ରାଜ୍ୟ ପୁଲିସକୁ ଏହି ଆଲର୍ଟ ଜାରି କରିଛି । ପାକିସ୍ତାନରୁ ଡ୍ରୋନ୍ ଯୋଗେ ଦେଶର ବିଭିନ୍ନ ସ୍ଥାନକୁ ଇତିମଧ୍ୟରେ ଆଇଇଡି ପଠାଯାଇଥିବା ଦିଲ୍ଲୀ ଓ ସମସ୍ତ ରାଜ୍ୟ ପୁଲିସ୍‌କୁ ସୂଚନା ଦିଆଯାଇଛି । ସେହିପରି ଡ୍ରୋନ୍ ମାଧ୍ୟମରେ ସୀମା ଦେଇ ପାକିସ୍ତାନ ଏକେ-୪୭ ପରି ଅସ୍ତ୍ରଶସ୍ତ୍ର ମଧ୍ୟ ପଠାଯାଇଥିବା ଆଲର୍ଟ ଜାରି କରାଯାଇଛି ।

Related Articles

Leave a Reply

Your email address will not be published.

Back to top button