ଆସନ୍ତାକାଲିଠୁ ଆରମ୍ଭ ହେବ ଭିତର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ: ଜାରି ହେଲା SOP

ଭୁବନେଶ୍ବର: ଶ୍ରୀମନ୍ଦିର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ଆସନ୍ତାକାଲିଠାରୁ ଭିତର ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଦୁର୍ଲଭ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଏବଂ ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ଗଣତି ପ୍ରକ୍ରିୟା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା SOP ଅନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପାଦନ ହେବ। ପ୍ରତିଦିନ ଜିଲ୍ଲା ଟ୍ରେଜେରୀରୁ ଭିତର ରତ୍ନଭଣ୍ଡାର ଚାବି ଅଣାଯିବ ଏବଂ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଭଣ୍ଡାର ଖୋଲାଯିବ। କାର୍ଯ୍ୟ ଶେଷ ହେବା ପରେ ପୁଣି ଥରେ ସିଲ୍ କରାଯାଇ ଚାବି ଟ୍ରେଜେରୀକୁ ଫେରସ୍ତ ଯିବ। ଏହି ପ୍ରକ୍ରିୟାରେ ରତ୍ନ ଅଳଙ୍କାର ବିଶେଷଜ୍ଞଙ୍କ ସମେତ ଭାରତୀୟ ରିଜର୍ଭ ବ୍ୟାଙ୍କ ର ଅଧିକାରୀମାନେ ଉପସ୍ଥିତ ରହିବେ। ପ୍ରତ୍ୟେକ ଅଳଙ୍କାରର ଓଜନ କରାଯିବା ସହ ସେଥିରେ ଖଚିତ ଥିବା ମୋତି ଓ ମାଣିକ୍ୟର ସଠିକ୍ ଚିହ୍ନଟ କରାଯିବ। ସ୍ୱଚ୍ଛତା ଓ ଭବିଷ୍ୟତର ସୁବିଧା ପାଇଁ ସବୁ ରତ୍ନର ଥ୍ରୀଡି (3D) ସ୍କାନିଂ ଏବଂ ଡିଜିଟାଲ ଫଟୋଗ୍ରାଫି କରାଯାଇ ଏକ ସ୍ୱତନ୍ତ୍ର କ୍ୟାଟଲଗ ପ୍ରସ୍ତୁତ ହେବ।



