ଶେଲି ଓବେରୟ ଦିଲ୍ଲୀ ମେୟର ନିର୍ବାଚିତ

ନୂଆଦିଲ୍ଲୀ: ନାନା ବାଦନୁବାଦ ଓ ଆଇନଗତ ଲଢେଇ ପରେ ବୁଧବାର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (ଏମ୍ସିଡି) ମେୟର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଆପ୍ ପ୍ରାର୍ଥୀ ଶେଲି ଓବେରୟ ସର୍ବାଧିକ ୧୫୦ ଭୋଟ୍ ପାଇ ମେୟର ନିର୍ବାଚିତ ହୋଇଥିବାବେଳେ ବିରୋଧୀ ବିଜେପି ପ୍ରାର୍ଥୀ ରେଖା ଗୁପ୍ତାଙ୍କୁ ୧୧୬ ଭୋଟ୍ରେ ସନ୍ତୁଷ୍ଟ ହେବାକୁ ପଡିଛି । ଅପରପକ୍ଷରେ ଆପ୍ ପ୍ରାର୍ଥୀ ମହମ୍ମଦ ଇକ୍ବାଲ ଡେପୁଟୀ ମେୟର ନିର୍ବାଚିତ ହୋଇଛନ୍ତି । ଦିଲ୍ଲୀ ଉପରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ଏମ୍ସିଡି ସଦସ୍ୟଙ୍କର ଭୋଟଦାନ ଅଧିକାର ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେବାପରେ ଆପ୍ ପ୍ରାର୍ଥୀଙ୍କ ବିଜୟ ଏକପ୍ରକାର ନିଶ୍ଚିତ ହୋଇପଡିଥିଲା । ଏମ୍ସିଡିର ୨୫୦ ଆସନ ପାଇଁ ୨୦୨୨ ଡିସେମ୍ବର ପ୍ରଥମ ସପ୍ତାହରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ଆପ୍ ସର୍ବାଧିକ ୧୩୪ଟି ଆସନରେ ବିଜୟଲାଭ କରିଥିବାବେଳେ ବିଜେପିକୁ ୧୦୪, କଂଗ୍ରେସକୁ ୯ ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ୩ଟି ଆସନ ମିଳିଥିଲା । ତେବେ ମନୋନୀତ ସଦସ୍ୟଙ୍କ ଭୋଟଦାନ ପ୍ରସଙ୍ଗକୁ କେନ୍ଦ୍ରକରି ପ୍ରବଳ ହଟ୍ଟଗୋଳ ସୃଷ୍ଟି ହେବାରୁ ଚାରି ଚାରିଥର ମେୟର ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ଶେଷରେ ଆପ୍ ପକ୍ଷରୁ ସୁପ୍ରିମକୋର୍ଟରେ ପିଟିସନ ଦାଏର କରାଯାଇଥିଲା । ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ମନୋନୀତ ସଦସ୍ୟଙ୍କ ଭୋଟଦାନ ଅଧିକାରକୁ ସ୍ପଷ୍ଟ ମନା କରିବାପରେ ଆପ୍ର ବିଜୟ ଘଟିଥିଲା । ଏମ୍ସିଡି ମେୟର ଓ ଡେପୁଟୀ ମେୟର ନିର୍ବାଚନରେ ମୋଟ ୨୭୪ ଜଣଙ୍କର ଭୋଟଦାନ ଅଧିକାର ରହିଛି । ଏମ୍ସିଡିର ନବନିର୍ବାଚିତ ୨୫୦ ସଦସ୍ୟଙ୍କ ବ୍ୟତୀତ ଦିଲ୍ଲୀର ୭ ଲୋକସଭା ସାଂସଦ, ୩ ରାଜ୍ୟସଭା ସାଂସଦ ଏବଂ ୧୪ ମନୋନୀତ ବିଧାୟକଙ୍କୁ ଏହି ଅଧିକାର ମିଳିଥାଏ ।