ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ, ଜୁନ୍ ୩୦ରେ ଦାୟିତ୍ୱ ଗ୍ରହଣ

ନୂଆଦିଲ୍ଲୀ: ଭାରତର ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍ ନିଯୁକ୍ତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ବର୍ତ୍ତମାନର ସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀଙ୍କ ସ୍ଥାନରେ ସେ ଦାୟିତ୍ୱ ଗ୍ରହଣ କରିବେ । ଆସନ୍ତା ଜୁନ୍ ୩୦ ତାରିଖରେ ଲେଫ୍ଟନାଣ୍ଟ ଜେନେରାଲ୍ ସେଠ୍ ସ୍ଥଳସେନାର ଏହି ସର୍ବୋଚ୍ଚ ପଦବୀର କାର୍ଯ୍ୟଭାର ସମ୍ଭାଳିବେ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି । ବର୍ତ୍ତମାନ ସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ ଧୀରଜ ସେଠ୍ ଖଡ଼କୱାସଲା ସ୍ଥିତ ଜାତୀୟ ପ୍ରତିରକ୍ଷା ଏକାଡେମୀ (NDA)ର ପୂର୍ବତନ ଛାତ୍ର । ସେ ଭାରତୀୟ ସେନାର ପ୍ରତିଷ୍ଠିତ ‘ଆର୍ମର୍ଡ କୋର୍’ ର ଜଣେ ବରିଷ୍ଠ ଅଧିକାରୀ । ସେନା ବାହିନୀରେ ତାଙ୍କର ପ୍ରାୟ ଚାରି ଦଶନ୍ଧିର ଗୌରବମୟ ସେବା ଅଭିଜ୍ଞତା ରହିଛି । ଏହି ଦୀର୍ଘ କାର୍ଯ୍ୟକାଳ ମଧ୍ୟରେ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରଣନୀତିକ, ପ୍ରଶାସନିକ ଏବଂ କମାଣ୍ଡ ପଦବୀରେ ସଫଳତାର ସହ ନେତୃତ୍ୱ ପ୍ରଦର୍ଶନ କରିଛନ୍ତି ।



