ଦିଲ୍ଲୀରେ କୋଭିଡ୍ କଟକଣା କୋହଳ, ହଟିଲା ଯୁଗ୍ମ-ଅଯୁଗ୍ମ ନିୟମ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ସଂକ୍ରମଣ ଯଥେଷ୍ଟ ମାତ୍ରାରେ ନିୟନ୍ତ୍ରଣାଧୀନ ରହିବା ପରେ ଅନଲକ୍ ୩.୦ ଲାଗୁ ହୋଇଛି। ପୂର୍ବରୁ ଲାଗୁ ହୋଇଥିବା ଲକଡାଉନକୁ କେବଳ ହଟସ୍ପଟ୍ ଅଞ୍ଚଳକୁ ବାଦ୍ ଦେଲେ ବାକି ସମସ୍ତ ଅଞ୍ଚଳରେ ହଟାଇ ଦିଆଯାଇଛି। ସୋମବାରଠାରୁ ଏହି କଟକଣାକୁ ଆହୁରି ଅଧିକ କୋହଳ କରାଯିବ ବୋଲି ରବିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ଘୋଷଣା କରିଛନ୍ତି। ପୂର୍ବରୁ ଅନଲକ ୩.୦ ସମୟରେ ବିଭିନ୍ନ ଦୋକାନ ଯୁଗ୍ମ ଓ ଅଯୁଗ୍ମ ଫର୍ମୂଲାରେ ଖୋଲାଯାଉଥିବା ବେଳେ ସୋମବାରଠାରୁ ଉକ୍ତ କଟକଣାକୁ ବି ହଟାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହ ସମସ୍ତ ପ୍ରକାର ଅର୍ଥନୈତିକ କାର୍ଯ୍ୟକ୍ରମ ମଧ୍ୟ କ୍ରମଶଃ ସ୍ବାଭାବିକ ହେବ। ଅବଶ୍ୟ କେତେକ ଅର୍ଥନୈତିକ କାର୍ଯ୍ୟକ୍ରମ ଉପରେ କଟକଣା ରହିବ ଓ ଆଉ କେତେକକୁ ଏବେ କାର୍ଯ୍ୟକ୍ଷମ ହେବାକୁ ଅନୁମତି ଦିଆଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ କେଜରିୱାଲ୍ କହିଛନ୍ତି ଯେ ବଜାର ଓ ମଲରେ ଯୁଗ୍ମ ଓ ଅଯୁଗ୍ମ ସଂଖ୍ୟାର ଦୋକାନ ନିର୍ଦ୍ଦିଷ୍ଟ ଦିନରେ ଖୋଲାଯିବା ସକାଶେ ପ୍ରଥମେ ନିଷ୍ପତ୍ତି ହୋଇଥିଲା। କିନ୍ତୁ ସୋମବାରଠାରୁ ଏହି କଟକଣାକୁ ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଯିବ। ସମସ୍ତ ଦୋକାନ ବଜାର ପୂର୍ବାହ୍ନ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ। ସେହିପରି ରେସ୍ତୋରାଁଗୁଡ଼ିକ କେବଳ ୫୦ ପ୍ରତିଶତ ସ୍ଥାନରେ ଖାଦ୍ୟ ପରଷିବାକୁ ଅନୁମତି ପାଇବେ।

ତେବେ ଏପରି ବନ୍ଦୋବସ୍ତ ସପ୍ତାହକ ପାଇଁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯିବ। ଯଦି ଏପରି ସ୍ଥିତିରେ କୋରୋନ ସଂକ୍ରମିତଙ୍କ ସଂଖ୍ୟାରେ କୌଣସି ପ୍ରକାର ବଦ୍ଧି ପରିଲକ୍ଷିତ ହୁଏ, ତା’ହେଲେ ପୁଣିଥରେ କଟକଣା ଲାଗୁ ହେବ ବୋଲି କେଜରିୱାଲ୍ କହିଛନ୍ତି। ସେହିପରି ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଗ୍ରୁପ-ଏ’ ଅଫିସରମାନେ ଶତପ୍ରତିଶତ କାର୍ଯ୍ୟରେ ଯୋଗଦେବେ ଓ ଅନ୍ୟାନ୍ୟ ଗ୍ରୁପର କର୍ମଚାରୀ ୫୦ ପ୍ରତିଶତ ଉପସ୍ଥିତ ରହିବେ। ଏହାଛଡ଼ା ସମସ୍ତ ବେସରକାରୀ କାର୍ଯ୍ୟାଳୟଗୁଡ଼ିକ ୫୦ ପ୍ରତିଶତ କର୍ମଚାରୀଙ୍କ ସହ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ  କାର୍ଯ୍ୟ କରିବେ। ଏହାଛଡ଼ା ସମସ୍ତ ଦୋକାନ ବଜାର, ମାର୍କେଟ କମ୍ପ୍ଲେକ୍ସ ଓ ମଲଗୁଡ଼ିକ ପୂର୍ବାହ୍ନ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ। କିନ୍ତୁ ବିବାହ ଉତ୍ସବ କିମ୍ବା ଦାହ ସଂସ୍କାର କାର୍ଯ୍ୟରେ ୨୦ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ବୋଲି କୁହାଯାଇଛି। ସେହିପରି ଦିଲ୍ଲୀ ମେଟ୍ରୋ ଓ ବସ ଆଦିରେ ୫୦ ପ୍ରତିଶତ ସିଟରେ ଲୋକଙ୍କୁ ଯାତାୟାତ ସୁଯୋଗ ଦିଆଯିବ। ତା’ଛଡ଼ା ଧାର୍ମିକ ସ୍ଥଳଗୁଡ଼ିକୁ ଖୋଲାଯିବା ସକାଶେ ଯଦିଓ ଅନୁମତି ଦିଆଯାଇଛି, କିନ୍ତୁ ସେଠାକୁ କୌଣସି ଶ୍ରଦ୍ଧାଳୁ ଯାଇ ଦର୍ଶନ କରିବା ଉପରେ କଟକଣା କାଏମ ରହିଥିବା ଜଣାପଡ଼ିଛି।

Related Articles

Leave a Reply

Your email address will not be published.

Back to top button