କଂଗ୍ରେସ ସଭାପତି ନିର୍ବାଚନ ପୁଣି ଘୁଞ୍ଚିଲା

ନୂଆଦିଲ୍ଲୀ: କୋଭିଡ ସଂକ୍ରମଣ ପାଇଁ ପୁଣି ଥରେ କଂଗ୍ରେସ ସଭାପତି ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି। ଜୁନ ମଧ୍ୟରେ କଂଗ୍ରେସ ସଭାପତି ନିର୍ବାଚନ ଶେଷ କରିବା ପାଇଁ ଗତ ଜାନୁଆରୀ ୨୨ ତାରିଖରେ କଂଗ୍ରେସ କାର୍ଯ୍ୟକାରିଣୀରେ ସ୍ଥିର ହୋଇଥିଲା। ମାତ୍ର ଏହାରି ଭିତରେ ଦେଶରେ ଯେପରି ଭାବେ କୋରୋନା ସଂକ୍ରମଣ ବଢ଼ି ଚାଲିଛି ଓ କୋରୋନାରେ ଲୋକ ପ୍ରାଣ ହରାଉଛନ୍ତି, ସେହିପରି ସ୍ଥିତିରେ ଆମେ ଦଳୀୟ ସଭାପତି ନିର୍ବାଚନକୁ ଗୁରୁତ୍ବ ନ ଦେଇ ଲୋକଙ୍କ ଜୀବନ ବଞ୍ଚାଇବାକୁ କାର୍ଯ୍ୟ କରିବୁ ବୋଲି ଦଳୀୟ ମୁଖ୍ୟ ମୁଖପାତ୍ର ରଣଦୀପ ସୂରଜେୱାଲା କହିଛନ୍ତି। ଆମର କର୍ମକର୍ତ୍ତା କୋରୋନା ବିରୋଧୀ ଲଢ଼େଇରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ସଭାପତି ନିର୍ବାଚନ ଆଉ ଦୁଇ ତିନି ମାସ ପର୍ଯ୍ୟନ୍ତ ଗଡ଼ାଇ ଦେବାକୁ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇଥିବା କଥା ସୁରଜେୱାଲା ସୂଚନା ଦେଇଛନ୍ତି।  ତେବେ ଆସନ୍ତା ଜୁନ୍‌ ୨୩ ତାରିଖରେ ନିର୍ବାଚନର ଆୟୋଜନ କରାଯିବାକୁ ପ୍ରାୟ ସ୍ଥିର ହୋଇଛି। ପୁନଶ୍ଚ ଦଳର ଅଧ୍ୟକ୍ଷ ହେବା ଲାଗି ରାହୁଲ୍‌ ଗାନ୍ଧିଙ୍କୁ ଦଳର ବରିଷ୍ଠ ନେତାମାନେ ପ୍ରାୟ ଦୁଇ ବର୍ଷ ଧରି ବୁଝାଇବାରେ ବିଫଳ ହେବାରୁ କଂଗ୍ରେସ କାର୍ଯ୍ୟକାରିଣୀରେ ଏକଥା ସ୍ଥିର ହୋଇଥିବା ଜଣାପଡ଼ିଛି। ଏଠାରେ ସୂଚନାଯୋଗ୍ୟ ଯେ ମଧୁସୂଦନ ମିସ୍ତ୍ରୀଙ୍କ ନେତୃତ୍ବରେ କଂଗ୍ରେସ ପକ୍ଷରୁ ଏକ ନିର୍ବାଚନ କମିଟି ଗଠନ କରାଯାଇଥିଲା। ଯେଉଁମାନଙ୍କ ଉପରେ ଦଳୀୟ ସଭାପତି ନିର୍ବାଚନ ପ୍ରକ୍ରିୟା ଦାୟିତ୍ବ ନ୍ୟସ୍ତ ହୋଇଥିଲା। କମିଟିରେ ସ୍ଥାନ ପାଇଥିବା କେତେକ ସଦସ୍ୟ ସଭାପତି ନିର୍ବାଚନକୁ ଆଉ ଥରେ ସ୍ଥଗିତ ରଖିବା ପାଇଁ ଅମଙ୍ଗ ଥିଲେ ବି ନିରବ ରହିଛନ୍ତି। ବର୍ତ୍ତମାନ କଂଗ୍ରେସର କେହି ସ୍ଥାୟୀ ସଭାପତି ନ ଥିଲା ବେଳେ ସୋନିଆ ଗାନ୍ଧି ମଧ୍ୟବର୍ତ୍ତୀକାଳୀନ ସଭାପତି ଭାବେ କାର୍ଯ୍ୟ ତୁଲାଇ ଆସୁଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧି ସଭାପତି ପଦରୁ ଇସ୍ତଫା ଦେବା ପରଠାରୁ କେହି ସ୍ଥାୟୀ ଭାବେ ଦାୟିତ୍ବ ନେଇ ନାହାନ୍ତି। ଏହାକୁ ନେଇ ଦଳର ବରିଷ୍ଠ ନେତାମାନେ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ଅସନ୍ତୋଷ ଝାଡ଼ିବାକୁ ନେଇ ଦଳ ଭିତରେ ବିଦ୍ରୋହ ବି ସାମ୍ନାକୁ ଆସିଛି। ଏସବୁ ସତ୍ତ୍ବେ କଂଗ୍ରେସ ସଭାପତି ନିର୍ବାଚନ ଏବେ ବି ଲଟକି ରହିଛି।

Related Articles

Leave a Reply

Your email address will not be published.

Back to top button