ଦୀପାଳିଙ୍କ ବୟାନ: ସିବିଆଇକୁ ଚିଠି ଲେଖିବୁ
ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ତାଙ୍କ ଝିଅ ଦୀପାଳି ଦାସ ବୁଧବାର ଏକ ବଡ଼ ବୟାନ ଦେଇଛନ୍ତି । ତାଙ୍କ ବାପାଙ୍କ ହତ୍ୟା ମାମଲାର ତଦନ୍ତ ପାଇଁ ସିବିଆଇକୁ ଚିଠି ଲେଖିବୁ ବୋଲି ଦିପାଳି ଦାସ କହିଛନ୍ତି । ସେ କହିଛନ୍ତି ଯେ ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ଆମେ ଦାବି କରିବୁ । ଏନେଇ ଚିଠି ପ୍ରସ୍ତୁତ କରୁଛୁ, ଖୁବଶୀଘ୍ର ସିବିଆଇକୁ ଦେବୁ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଠିକ ଦୁଇବର୍ଷ ତଳେ ଆଜିର ଦିନରେ ନବ ଦାସଙ୍କୁ ହତ୍ୟା କରାଯାଇଥିଲା । ପ୍ରକାଶ ଯେ ନବ ଦାସ ହତ୍ୟାକାଣ୍ଡ ମାମଲାରେ ସିବିଆଇ ତଦନ୍ତ କରିବାକୁ ଝିଅ ଦୀପାଳି ବାରମ୍ବାର ଦାବି କରିଆସୁଛନ୍ତି । ହେଲେ ଲିଖିତ ଆକାରରେ ଦେବାକୁ ବହୁ ବିଜେପି ନେତା କହିଆସୁଥିଲେ ।ସିବିଆଇ ତଦନ୍ତ କରିବାକୁ ଝିଅ ଦୀପାଳି ଦାବି କରିବା ପରେ ଏହାକୁ ନେଇ ରାଜନୈତିକ ବୟାନବାଜି ଜାରି ରହିଛି। ମାସେ ହେଲାଣି ନବଙ୍କ ମୃତ୍ୟୁକୁ ନେଇ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ଆଉ ଏହି ସମୟରେ ବଡ ବୟାନ ଦେଇଥିଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କହିଥିଲେ ଏହି ମାମଲାରେ ତଦନ୍ତ ପ୍ରକ୍ରିୟା କଣ ହେବ, ସେ ନେଇ ସରକାର ଆଗକୁ ନିଷ୍ପତ୍ତି ନେବେ, ବିଭିନ୍ନ ତଥ୍ୟ ଗୋଟି ଗୋଟି କରି ସାମ୍ନାକୁ ଆସୁଛି। ସେ ଆହୁରି ମଧ୍ୟ କହିଥିଲେ, ପୂର୍ବ ସରକାର ସମୟରେ ଭୟର ବାତାବରଣ ଥିବାରୁ ଅନେକ ଲୋକ ମୁହଁ ଖୋଲୁନଥିଲେ, ଏପରିକି ନବ ଦାସଙ୍କ ପରିବାର ଲୋକ ମଧ୍ୟ ମୁହଁ ଖୋଲିବାକୁ ସାହାସ କରୁନଥିଲେ, ସେ ଭୟ ଦୂରେଇ ଯାଇଛି । ତେଣୁ ଅନେକ ତଥ୍ୟ ଧୀରେ ଧୀରେ ସାମ୍ନାକୁ ଆସିବା ଆରମ୍ଭ ହୋଇଛି ଆଉ ସେହି ସବୁ ତଥ୍ୟକୁ ହୁଏତ ଆଗାମୀ ଦିନରେ ତଦନ୍ତ ପରିସରଭୁକ୍ତ କରାଯିବ।