ରାଜନୈତିକ କାରଣରୁ ପୁରସ୍କାର ଫେରସ୍ତକୁ ରୋକିବା ପାଇଁ ସଂସଦୀୟ କମିଟିର ପରାମର୍ଶ
ନୂଆଦିଲ୍ଲୀ: ବିଗତ ବର୍ଷମାନଙ୍କରେ ୩୯ ଜଣ ଲେଖକ ବିଭିନ୍ନ ରାଜନୈତିକ ପ୍ରସଙ୍ଗରେ ଅସନ୍ତୁଷ୍ଟ ହୋଇ ସେମାନଙ୍କ ପୁରସ୍କାର ସରକାରଙ୍କୁ ଫେରାଇ ଦେଇଛନ୍ତି । ଭବିଷ୍ୟତରେ ‘ପୁରସ୍କାର ଫେରସ୍ତ’ ଲଜ୍ଜାକୁ ରୋକିବା ପାଇଁ ସଂସଦୀୟ କମିଟି ସୁପାରିସ କରିଛି । କୌଣସି ରାଜନୈତିକ ଘଟଣାର ପ୍ରତିବାଦ କରିବା ପାଇଁ ସରକାରଙ୍କଠାରୁ ପୁରସ୍କାର ପାଉଥିବା ବ୍ୟକ୍ତ କୌଣସି ସମୟରେ ପୁରସ୍କାର ଫେରସ୍ତ କରିବେ ନାହିଁ ବୋଲି ପୁରସ୍କାର ନେବା ପୂର୍ବରୁ ସେମାନଙ୍କଠାରୁ ସମ୍ମତି ଆଣିବାକୁ ପ୍ରସ୍ତବରେ କୁହାଯାଇଛି। ସେହି ସମୟରେ କର୍ଣ୍ଣାଟକର ବିଶିଷ୍ଟ ଲେଖକ କଲବୁର୍ଗିଙ୍କ ହତ୍ୟାକୁ ବିରୋଧ କରି ପୁରସ୍କାର ଫେରାଇବାର କାରଣ ବୋଲି ଲେଖକମାନେ ସାହିତ୍ୟ ଏକାଡେମୀକୁ ଜଣାଇଥିଲେ। ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି ସଂକ୍ରାନ୍ତ ସଂସଦୀୟ ସ୍ଥାୟୀ କମିଟି ସୋମବାର ସଂସଦର ଉଭୟ ଗୃହରେ ଏକ ରିପୋର୍ଟ ଉପସ୍ଥାପନ କରି କହିଛି ଯେ ପୁରସ୍କାର ଫେରସ୍ତ ସହିତ ଜଡ଼ିତ ଏଭଳି ଅନୁପଯୁକ୍ତ ଘଟଣା ଅନ୍ୟ ପୁରସ୍କାର ବିଜେତାଙ୍କ ସଫଳତାକୁ କ୍ଷୁର୍ଣ୍ଣ କରିବା ସହ ପୁରସ୍କାରର ସାମଗ୍ରିକ ପ୍ରତିଷ୍ଠାକୁ ମଧ୍ୟ ପ୍ରଭାବିତ କରିଥାଏ । ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ରାଜନୈତିକ ପ୍ରସଙ୍ଗଗୁଡ଼ିକ ସାଂସ୍କୃତିକ କ୍ଷେତ୍ର ଏବଂ ସମ୍ପୃକ୍ତ ଏକାଡେମୀର ସ୍ୱୟଂଶାସିତ କାର୍ଯ୍ୟକଳାପ ପରିସର ବାହାରେ ରହିଛି । ତେଣୁ ଏଥିରେ ପରାମର୍ଶ ଦିଆଯାଇଛି ଯେ ଯେତେବେଳେ ବି ପୁରସ୍କାର ଦିଆଯିବ, ସେତେବେଳେ ଗ୍ରହଣକାରୀଙ୍କ ସମ୍ମତି ନିଆଯିବା ଦରକାର, ଯାହାଫଳରେ ସେ ରାଜନୈତିକ କାରଣରୁ ଏହାକୁ ଫେରସ୍ତ କରିବେ ନାହିଁ । କାରଣ ଏହା ଦେଶ ପାଇଁ ଲଜ୍ଜାଜନକ । ପୁରସ୍କାର ଚୂଡ଼ାନ୍ତ କରିବା ପୂର୍ବରୁ ପୁରସ୍କାର ପାଇଁ ଚୟନ ହୋଇଥିବା ପ୍ରାର୍ଥୀଙ୍କ ପୂର୍ବ ସହମତି ନେବାକୁ ରିପୋର୍ଟରେ ସୁପାରିସ କରାଯାଇଛି । ପ୍ୟାନେଲ କହିଛି ଯେ ପ୍ରସ୍ତାବିତ ପୁରସ୍କାର ଗ୍ରହଣକାରୀଙ୍କଠାରୁ ପ୍ରତିଶ୍ରୁତି ନେବା ପାଇଁ ଏକ ବ୍ୟବସ୍ଥା କରାଯାଇପାରେ ଏବଂ ପୁରସ୍କାର ବିଜେତାମାନେ ଭବିଷ୍ୟତରେ କୌଣସି ସମୟରେ ପୁରସ୍କାରକୁ ଅସମ୍ମାନ କରିପାରିବେ ନାହିଁ । ବିନା ପ୍ରତିଶ୍ରୁତିରେ ପୁରସ୍କାର ଦିଆଯାଇପାରିବ ନାହିଁ । ଯଦି ପୁରସ୍କାର ଫେରସ୍ତ ହୁଏ, ତେବେ ଭବିଷ୍ୟତରେ ପୁରସ୍କାର ବିଜେତାଙ୍କୁ ଏଭଳି ପୁରସ୍କାର ପାଇଁ ବିବେଚନା କରାଯିବ ନାହିଁ ବୋଲି କମିଟି ମତବ୍ୟକ୍ତ କରିଛି। ୱାଇଏସଆର କଂଗ୍ରେସର ଭି ବିଜୟସାଇ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ୧୦ ଜଣ ରାଜ୍ୟସଭା ସାଂସଦ ଓ ୩୧ ଜଣ ଲୋକସଭା ସାଂସଦ ରହିଛନ୍ତି। ଏହି ରିପୋର୍ଟରେ କମିଟିର ଜଣେ ସଦସ୍ୟଙ୍କ ଅସନ୍ତୋଷକୁ ମଧ୍ୟ ରେକର୍ଡ କରାଯାଇଛି, ଯିଏ କି ଏଭଳି ପ୍ରତିଶ୍ରୁତିକୁ ବିରୋଧ କରି କହିଛନ୍ତି, ‘ଭାରତ ଏକ ଗଣତାନ୍ତ୍ରିକ ଦେଶ ଏବଂ ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ବାକ୍ ଓ ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ଯେକୌଣସି ରୂପରେ ପ୍ରତିବାଦ କରିବାର ସ୍ୱାଧୀନତା ପ୍ରଦାନ କରିଛି । ପୁରସ୍କାର ଫେରାଇବା କେବଳ ପ୍ରତିବାଦର ଏକ ରୂପ।ବାସ୍ତବରେ ଯେଉଁ ପ୍ରକୃତ ପ୍ରସଙ୍ଗକୁ ବିରୋଧ କରି ଏଭଳି ପୁରସ୍କାର ଫେରସ୍ତ କରାଯାଇଛି, ତାହା ଉପରେ ଦୃଷ୍ଟି ଦେବାର ଦାୟିତ୍ୱ ସରକାରଙ୍କ ଉପରେ ରହିଛି ବୋଲି ଉକ୍ତ ସଦସ୍ୟ କହିଛନ୍ତି। ତାଙ୍କୁ ଅନ୍ୟଜଣେ ସଦସ୍ୟ ସମର୍ଥନ କରିଥିଲେ। ଜାତୀୟ ଏକାଡେମୀ ଓ ଅନ୍ୟାନ୍ୟ ସାଂସ୍କୃତିକ ଅନୁଷ୍ଠାନର କାର୍ଯ୍ୟକାରିତା ସଂକ୍ରାନ୍ତ କମିଟିର ଶୁଣାଣି ସମୟରେ ସଂସ୍କୃତି ମନ୍ତ୍ରଣାୟ ପ୍ୟାନେଲକୁ ଜଣାଇଥିଲା ଯେ କୌଣସି ପୁରସ୍କାର ବିଜେତା ପୁରସ୍କାର ଗ୍ରହଣ କରିବା ସମୟରେ ପୁରସ୍କାର ଫେରସ୍ତ କରିନଥିଲେ କିମ୍ବା ଏହା ପାଇବା ପରେ କୌଣସି ପ୍ରତିବାଦ କରିନଥିଲେ । ୩୯ ଜଣ ଲେଖକଙ୍କ ମଧ୍ୟରୁ ଅଧିକାଂଶ ପରେ ପୁରସ୍କାର ଫେରାଇ ଦେଇଥିଲେ। ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ସେହି ସମୟରେ ଏକାଡେମୀ ଲେଖକମାନଙ୍କୁ ସେମାନଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଥିଲା ଏବଂ ପୁରସ୍କାର ଫେରସ୍ତ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ରାଜସ୍ଥାନୀ ଲେଖକ ନନ୍ଦ ଭରଦ୍ୱାଜଙ୍କୁ ବୁଝାଇବାରେ ସକ୍ଷମ ହୋଇଥିଲା । ୨୦୧୫ ପରେ ପୁରସ୍କାର ଫେରିବାର କୌଣସି ଉଦାହରଣ ନାହିଁ ଏବଂ ପୁରସ୍କାର ଘୋଷଣା ପୂର୍ବରୁ ସଂଗଠନଗୁଡ଼ିକ ଉପଯୁକ୍ତ ସତର୍କତାମୂଳକ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି । ସେପ୍ଟେମ୍ବରରୁ ଅକ୍ଟୋବର ୨୦୧୫ ମଧ୍ୟରେ ପ୍ରାୟ ୩୯ ଜଣ ଏହି ପୁରସ୍କାର ଫେରସ୍ତ କରିଥିଲେ, ଯେଉଁଥିରେ ଏକ ରାଶି (୧୯୭୦ ଦଶକରେ ୫୦୦୦ ଟଙ୍କା) ଏବଂ ଏକ ପ୍ରଶଂସାପତ୍ର ଥିଲା । କିଛି ଲୋକ ଫଳକ ପଠାଇଥିବାବେଳେ କିଛି ଲୋକ ଏପର୍ଯ୍ୟନ୍ତ ଫଳକ ପଠାଇ ନାହାନ୍ତି । କେତେକ ଏକାଡେମୀ ଅନୁଯାୟୀ ଚେକ୍ ମଧ୍ୟ ପଠାଇଥିଲେ । ତେବେ ପୁରସ୍କାର ପ୍ରତ୍ୟାହାର ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ଚେକ୍ ଜମା କରାଯାଇନାହିଁ ବୋଲି ସେମାନଙ୍କୁ ଅବଗତ କରାଯାଇଥିଲା । ଏମାନଙ୍କ ମଧ୍ୟରୁ ଅନେକ ଲୋକ ପୁଣି ଥରେ ଏକାଡେମୀ ସହ ଜଡ଼ିତ ଅଛନ୍ତି ଏବଂ ସେମାନେ ବେଳେବେଳେ ଜୁରୀରେ କାର୍ଯ୍ୟ କରୁଛନ୍ତି ଏବଂ କାର୍ଯ୍ୟକ୍ରମରେ ଭାଗ ନେଉଛନ୍ତି ବୋଲି ଏକାଡେମୀ ସୂଚନା ଦେଇଛି। ଏକାଡେମୀକୁ ଅପମାନିତ କରିଥିବା ଏଭଳି ପୁରସ୍କାର ବିଜେତାଙ୍କୁ ପୁନର୍ବାର ନିଯୁକ୍ତି ଦେବା ନେଇ କମିଟି ପ୍ରଶ୍ନ ଉଠାଇଛି ।