’ପାକିସ୍ତାନରେ ଯାହା ଘଟୁଛି, ସେସବୁ ବିଜେପି, ଆରଏସଏସ କରୁଛି’

ନୂଆଦିଲ୍ଲୀ: ପାକିସ୍ତାନରେ ଇମ୍ରାନ ଖାନ ଗିରଫ ହେବା ପରେ ଦେଶର ଅବସ୍ଥା ବିଗିଡି ଯାଇଛି। ପିଟିଆଇ ସମର୍ଥକମାନେ ପାକିସ୍ତାନର ଅନେକ ସହରରେ ହଙ୍ଗାମା ଆରମ୍ଭ କରିଛନ୍ତି। ଏହି ସମୟ ମଧ୍ୟରେ ୧୯ ଜଣ ପ୍ରାଣ ହରାଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ଶାହବାଜ ସରିଫଙ୍କ ସରକାର ବିଫଳ ହୋଇଛି। ସେପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସ୍ୱତନ୍ତ୍ର ସହକାରୀ ଅତ୍ତା ତରାର ଦାବି କରିଛନ୍ତି ଯେ, ଆରଏସଏସ ଏବଂ ବିଜେପି ପଠାଇଥିବା ଲୋକମାନେ ପାକିସ୍ତାନରେ ଭଙ୍ଗାରୁଜା କରୁଛନ୍ତି। ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସ୍ଵତନ୍ତ୍ର ସହକାରୀ ଅତ୍ତା ତରାର ମଇ ୧୦ ତାରିଖରେ ଏକ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ଯେଉଁମାନେ ଭଙ୍ଗାରୁଜା କରୁଛନ୍ତି ଏବଂ ନିଆଁ ଲଗାଉଛନ୍ତି, ଏହି ସମସ୍ତ ଲୋକ ଭାରତରୁ ଆସିଛନ୍ତି। ଏହି ଲୋକଙ୍କୁ ଆରଏସଏସ ଏବଂ ବିଜେପି ପଠାଇଛି। ଇମ୍ରାନ ଖାନଙ୍କ ଗିରଫ ପଛରେ ଆରଏସଏସ ଏବଂ ବିଜେପି ସହ ଜଡିତ ଲୋକମାନେ ଅଛନ୍ତି। ଏହି ଘଟଣା ପରେ ଭାରତରେ ଉତ୍ସବ ପାଳନ କରାଯାଇଥିଲା। ଆରଏସଏସ ଏବଂ ବିଜେପି ଏହି ଉତ୍ସବ ପାଳନ କରିଛନ୍ତି। ପାକିସ୍ତାନରେ ଯାହା ଘଟୁଛି, ତାହାକୁ ନେଇ ଭାରତରେ ମିଠା ବଣ୍ଟନ କରାଯାଇଥିଲା ବୋଲି ଅତ୍ତା ତରାର କହିଛନ୍ତି। ଆରଏସଏସର ନିର୍ଦ୍ଦେଶରେ ସବୁକିଛି ଘଟିଗଲା। ଇମ୍ରାନ ଖାନ ଗିରଫ ହେବା ପରଠାରୁ ସାରା ଦେଶରେ ବ୍ୟାପକ ଅଶାନ୍ତି ଏବଂ ହିଂସାତ୍ମକ ଅରାଜକତା ବ୍ୟାପିଛି।ବିକ୍ଷୋଭକାରୀମାନେ ବୁଦା, ଟାୟାର ଜାଳି ରାୱଲପିଣ୍ଡିର ଜେନେରାଲ ମୁଖ୍ୟାଳୟ (ଜିଏଚକ୍ୟୁ) କୁ ଯାଉଥିବା ରାସ୍ତାରେ ଇଟା ଓ ପଥର ଫିଙ୍ଗିଥିବା ବେଳେ ଅନ୍ୟମାନେ ଜିଏଚକ୍ୟୁର ମୁଖ୍ୟ ଫାଟକରେ ପଥର ଓ ଇଟା ଫିଙ୍ଗିଥିଲେ। ଇସଲାମାବାଦ, ଲାହୋର, କରାଚି, ପେଶୱାର ଏବଂ ଦେଶର ଅନ୍ୟାନ୍ୟ ପ୍ରମୁଖ ସହରରେ ପିଟିଆଇ ର କ୍ରୋଧିତ ସମର୍ଥକମାନେ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ।

Related Articles

Leave a Reply

Your email address will not be published.

Back to top button