ଆଜି ରାଷ୍ଟ୍ରପତି ଭାବେ ଶପଥନେବେ ଟ୍ରମ୍ପ୍‌

ୱାଶିଂଟନ୍‌ : ଆସନ୍ତା କାଲି ଆମେରିକାର ନୂଆ ତଥା ୪୭ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ଡୋନାଲ୍ଡ ଟ୍ରମ୍ପ୍‌। ଦ୍ୱିତୀୟଥର ପାଇଁ ଟ୍ରମ୍ପ୍ ଆମେରିକା ଭଳି ବିଶାଳ ଦେଶର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇଛି। ଟ୍ରମ୍ପ୍‌ଙ୍କ ଶପଥ ସମାରୋହରେ ଯୋଗଦେବା ପାଇଁ ସି ଜିନ୍‌ପିଙ୍ଗ୍‌ଙ୍କ ସମେତ ବିଶ୍ୱର ବହୁ ପ୍ରଭାବଶାଳୀ ନେତା ଏବେ ୱାଶିଂଟନ୍ ଡିସିରେ ଡେରା ପକାଇଛନ୍ତି। ଆମେରିକାର ଏହି ରିପବ୍ଲିକାନ୍ ନେତା ଅନେକ ରାଷ୍ଟ୍ରମୁଖ୍ୟଙ୍କୁ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ କରିଛନ୍ତି। ତେବେ ସରକାରୀ କାର୍ଯ୍ୟବ୍ୟସ୍ତତା କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଟ୍ରମ୍ପ୍‌ଙ୍କ କାର୍ଯ୍ୟକ୍ରମରେ ସାମିଲ ହୋଇପାରୁନଥିବା ବେଳେ ଭାରତ ପକ୍ଷରୁ କେନ୍ଦ୍ର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଟ୍ରମ୍ପ୍‌ଙ୍କ ଶପଥ ସମାରୋହରେ ପ୍ରତିନିଧିତ୍ୱ କରିବେ। ତେବେ ଟ୍ରମ୍ପ୍‌ଙ୍କ ଏହି ଶପଥ ସମାରୋହ ଉପରେ ସମଗ୍ର ବିଶ୍ୱର ନଜର ରହିଛି। ଆମେରିକାରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବାରୁ ଟ୍ରମ୍ପ୍‌ଙ୍କ ଶପଥ ସମାରୋହ ୟୁଏସ୍ କ୍ୟାପିଟାଲ୍‌ରେ ଇନ୍‌ଡୋର୍‌ଭିତ୍ତିକ ହେବ ବୋଲି ଜଣାପଡ଼ିଛି। ଏପରି ହେଲେ କୌଣସି ନିର୍ବାଚିତ ରାଷ୍ଟ୍ରପତି ଇନ୍‌ଡୋର୍ କାର୍ଯ୍ୟକ୍ରମରେ ଶପଥଗ୍ରହଣ କରିବା ଆମେରିକାର ୨୪୮ବର୍ଷର ଇତିହାସରେ ପ୍ରଥମ ଘଟଣା ହେବ। ଆଜି ପର୍ଯ୍ୟନ୍ତ ଆମେରିକାର ସମସ୍ତ ନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ସମାରୋହ ଆଉଟ୍‌ଡୋର୍ ଅର୍ଥାତ୍ ଜନତାଙ୍କ ସମ୍ମୁଖରେ ହିଁ ଆୟୋଜିତ ହୋଇଥାଏ। ତେବେ ଗତବର୍ଷ ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ୱାସିଂଟନ୍ ଡିସି ଓ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି। ଆମେରିକାର ମୁଖ୍ୟ ବିଚାରପତି ଟ୍ରମ୍ପଙ୍କୁ ଶପଥପାଠ କରାଇବେ। ଏହାପରେ ରାଷ୍ଟ୍ରପତି ଟ୍ରମ୍ପ୍ ଦେଶ ଜାତି ତଥା ଉଦ୍ଦେଶ୍ୟରେ ଅଭିଭାଷଣ ରଖିବେ। ଟ୍ରମ୍ପ୍‌ଙ୍କ ଭାଷଣ ପରେ ଔପଚାରିକ ପ୍ରେସିଡେନ୍ସିଆଲ୍ ଲଞ୍ଚ୍‌ହେବ ଏବଂ ଲଞ୍ଚ୍ ପରେ କ୍ୟାପିଟାଲ୍ ହିଲ୍ସରୁ ହ୍ୱାଇଟ ହାଉସ୍ ଯାଏ ରାଷ୍ଟ୍ରପତିଙ୍କ ପରେଡ୍ ଆୟୋଜିତ ହେବ। ଏହି ପରେଡ୍‌ରେ ସାମିଲ ପୂର୍ବକ ଟ୍ରମ୍ପ ହ୍ୱାଇଟ୍ ହାଉସ୍‌ରେ ପହଞ୍ଚିବେ। ଶପଥ ଗ୍ରହଣ ସମାରୋହ ପାଇଁ ପ୍ରାୟ ୧୭୦ ମିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ କରାଯାଇଥିବା ସୂଚନା ମିଳିଛି। ତେବେ ଆମେରିକା ଫାଷ୍ଟର ନାରା ଦେଉଥିବା ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ ପାଳି କେମିତି ରହିବ ତା’ ଉପରେ ସମସ୍ତଙ୍କ ନଜର ରହିବ।

Related Articles

Leave a Reply

Your email address will not be published. Required fields are marked *

Back to top button