ପାକିସ୍ତାନରେ ଟ୍ରେନ୍ ଅପହରଣ: ପଣବନ୍ଦୀ ଅଛନ୍ତି ୧୮୨ ଯାତ୍ରୀ, ବନ୍ଧକଙ୍କ ମଧ୍ୟରେ ଅଧିକାଂଶ ସେନା, ଆଇଏସ୍ଆଇ କର୍ମଚାରୀ

ଇସଲାମାବାଦ୍, କ୍ୱେଟ୍ଟା : ମଙ୍ଗଳବାର ପାକିସ୍ତାନର ବଲୁଚ୍ ଲିବରେସନ୍ ଆର୍ମି (ବିଏଲ୍ଏ) ଜାଫର ଏକ୍ସପ୍ରେସ୍ ଉପରେ ଆକ୍ରମଣ କରିବା ସହ ପୁରା ଟ୍ରେନ୍କୁ ହିଁ ଅପହରଣ କରିନେଇଛି। ବିଏଲ୍ଏ ଏକ ବିବୃତ୍ତି ଜାରି କରି ଏହି ଟ୍ରେନ୍ ଅପହରଣ ସମ୍ପର୍କରେ ସୂଚନା ଦେଇଛି। ବିଏଲଏ ଦର୍ଶାଇଛି ଯେ, ପ୍ରାୟ ୪୫୦ରୁ ଅଧିକ ଯାତ୍ରୀ ଥିବା ଏହି ଟ୍ରେନ୍କୁ ଅପହରଣ କରିନିଆଯାଇଛି। ତେବେ ଟ୍ରେନ୍ରେ ଥିବା ମହିଳା, ଶିଶୁ ଏବଂ ବଲୁଚ ନାଗରିକଙ୍କୁ ମୁକ୍ତ କରିଦିଆଯାଇଛି ଏବଂ ବର୍ତ୍ତମାନ ସୁଦ୍ଧା କେବଳ ୧୮୨ ଜଣ ଯାତ୍ରୀଙ୍କୁ ବନ୍ଧକ ରଖାଯାଇଛି। ଏହି ୧୮୨ ବନ୍ଧକଙ୍କ ମଧ୍ୟରେ ପାକିସ୍ତାନ ସେନାର ଅଧିକାରୀ ତଥା ସୈନିକଙ୍କ ସହ ଆଇଏସଆଇ ଓ ଏଟିଏଫର କିଛି ଅଧିକାରୀ ମଧ୍ୟ ସାମିଲ ଅଛନ୍ତି ଯେତେବେଳେ କି ଅପହରଣ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ପାଇଁ ଚେଷ୍ଟା କରିଥିବା ତଥା ଗୁଳିମାଡ଼ କରିଥିବା ପ୍ରାୟ ୧୧ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରାଯାଇଛି ବୋଲି ବିଏଲ୍ଏ ଦାବି କରିଛି। ସେହିପରି ଟ୍ରେନ୍ର କେତେକ ଟ୍ରାକ୍କୁ ମଧ୍ୟ ଉଡାଇଦେଇଥିବା ଏବଂ ଏକ ଡ୍ରୋନ୍କୁ ଖସାଇଥିବା ସମ୍ପର୍କରେ ମଧ୍ୟ ବିଏଲଏ ସ୍ୱୀକାର କରିଛି। ପ୍ରକାଶ, ପାକ୍ ଅଧିକୃତ ପଞ୍ଜାବ ଅଭିମୂଖେ ଆସୁଥିବା ଏହି ଟ୍ରେନ୍ଟି କ୍ୱେଟାରୁ ପେଶାୱର ରାସ୍ତା ଅର୍ଥାତ୍ ବଲୁଚିସ୍ତାନର ବୋଲାନ ଜିଲ୍ଲାର ମାଶକାଫ ଅଞ୍ଚଳର ଗୁଡାଲାର ଏବଂ ପିରୁ କୁମାରୀ ମଧ୍ୟରେ ଗତି କରୁଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ଅପରାହ୍ନ ପ୍ରାୟ ୧ଟା ସମୟରେ ଏହି ଘଟଣା ଘଟିଥିବା ବେଳେ ଏହାର ୯ଘଣ୍ଟା ପରେ ମଧ୍ୟ, ଜାଫର ଏକ୍ସପ୍ରେସ ସମ୍ପୂର୍ଣ୍ଣ ଭାବରେ ବିଏଲ୍ଏ ନିୟନ୍ତ୍ରଣରେ ରହିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଗୋଟିଏ ପଟେ ବଲୁଚିସ୍ତାନ ସରକାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିବା ବେଳେ ପାକିସ୍ତାନୀ ସେନା ଏହି ଅଞ୍ଚଳକୁ ଆଉ ଏକ ଟ୍ରେନ୍ ପଠାଇଛି ଯେଉଁଥିରେ ଉଦ୍ଧାରକାରୀ ସେନା ଯବାନ୍ ଅଛନ୍ତି। ଏମାନେ ଅପହରଣ ସ୍ଥଳରେ ପହଞ୍ôଚ ଉଦ୍ଧାର ପ୍ରକ୍ରିୟା ଆରମ୍ଭ କରିବେ ବୋଲି କୁହାଯାଉଛି। ତେବେ ପାକିସ୍ତାନ ଗଣମାଧ୍ୟମରେ ଏହା ଦାବି କରାଯାଇଛି ଯେ, ଟ୍ରେନ୍ ଅପହରଣ ସମୟରେ ସୁରକ୍ଷା ବାହିନୀ ଏବଂ ସଶସ୍ତ୍ର ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଟ୍ରେନର ଲୋକୋ ପାଇଲଟ ଆହତ ହୋଇଛନ୍ତି। ପାକିସ୍ତାନ ସେନା ଏବେ ବିଏଲ୍ଏ ଉପରେ ଆକ୍ରମଣ ପୂର୍ବକ ଟ୍ରେନ୍ ଏବଂ ଅପହୃତ୍ଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଚଳାଇଥିବା ବେଳେ ବିଏଲ୍ଏ ବିରୋଧୀ ଅପରେସନରେ ସେନା ସାମିଲ ହେଲେ ସମସ୍ତ ବନ୍ଦୀଙ୍କୁ ହତ୍ୟା କରାଯିବ ବୋଲି ବିଏଲ୍ଏ ଧମକ ଦେଇଛି। ରକ୍ତପାତ ପାଇଁ ପାକିସ୍ତାନ ସେନା ଦାୟୀ ରହିବ ବୋଲି ବିଏଲଏ କହିଛି। ନିଜକୁ ମୁକ୍ତି ବାହିନୀ ଭାବେ ଦର୍ଶାଇଆସୁଥିବା ବିଏଲଏ ଗତ କିଛି ଦଶନ୍ଧି ହେଲା ବଲୁଚିସ୍ତାନକୁ ପାକିସ୍ତାନଠାରୁ ମୁକ୍ତ କରିବାକୁ ଉଦ୍ୟମ କରିଆସୁଛି। ଏଥିପାଇଁ ପାକିସ୍ତାନ ସେନା ଏବଂ ସରକାରଙ୍କ ବିରୋଧରେ ଏହି ସଶସ୍ତ୍ର ବାହିନୀ ସଶସ୍ତ୍ର ସଂଗ୍ରାମ ଚଳାଇଛି। ମାତ୍ର ଏହି ବିଦ୍ରୋହକୁ ପାକିସ୍ତାନ ସେନା କଠୋର ଭାବେ ଦମନ କରିବାକୁ ଉଦ୍ୟମ କରୁଛି। ଏଥିପାଇଁ ବେଲୁଚିସ୍ତାନର ସାଧାରଣ ଜନତାଙ୍କୁ ଉପରେ ଅକଥନୀୟ ଅତ୍ୟାଚାର କରାଯାଉଛି, ଅନେକ ଲୋକଙ୍କୁ ହତ୍ୟା କରାଯାଉଛି। ଏହା ବିରୋଧରେ ସଂଗ୍ରାମ କରୁଛି ବିଏଲ୍ଏ। ପ୍ରକାଶ, ୨ ବର୍ଷ ପୂର୍ବେ ଅର୍ଥାତ୍ ୧୬ ଫେବୃଆରୀ ୨୦୨୩ରେ ମଧ୍ୟ ଜାଫର ଏକ୍ସପ୍ରେସରେ ଏକ ବଡ଼ଧରଣର ବିସ୍ଫୋରଣ ହୋଇଥିଲା। ଏଥିରେ ୨ଜଣ ପ୍ରାଣ ହରାଇଥିଲେ। ତେବେ ସେତେବେଳେ ଏହି ବିସ୍ଫୋରଣ ପାଇଁ ଟିଟିପି (ତେହରିକ-ଏ-ତାଲିବାନ୍ ପାକିସ୍ତାନ) ନିଜକୁ ଦାୟୀ କରିଥିଲା। ସେହିପରି ୧୪ ନଭେମ୍ବର ୨୦୨୪ରେ କ୍ୱେଟ୍ଟା ରେଲୱେ ଷ୍ଟେସନ୍ରେ ବିସ୍ଫୋରଣ ହୋଇଥିଲା ଯେଉଁଥିରେ ୨୬ଜଣ ପ୍ରାଣ ହରାଇଥିଲେ ଏବଂ ୫୦ରୁ ଅଧିକ ଗୁରୁତର ହୋଇଥିଲେ। ଏହି ବିସ୍ଫୋରଣ ପାଇଁ ବିଏଲ୍ଏ ନିଜକୁ ଦାୟୀ କରିଥିଲା।