ଆପ୍କୁ ଜାତୀୟ ଦଳର ମାନ୍ୟତା
ନୂଆଦିଲ୍ଲୀ : ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ସୋମବାର ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦ୍ମୀ ପାର୍ଟି (ଆପ୍)କୁ ଜାତୀୟ ଦଳର ମାନ୍ୟତା ପ୍ରଦାନ କରାଯାଇଛି । ଦିଲ୍ଲୀ, ଗୋଆ, ପଞ୍ଜାବ ଓ ଗୁଜରାଟ ବିଧାନସଭା ନିର୍ବାଚନରେ ଦଳର ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଆପ୍କୁ ଏହି ମାନ୍ୟତା ମିଳିଥିବା ଜଣାପଡିଛି । ଅପରପକ୍ଷରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମ୍ସି), ଶରଦ ପୱାରଙ୍କ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍ସିପି) ଏବଂ ସିିପିଆଇ ଜାତୀୟ ଦଳର ମାନ୍ୟତା ହରାଇଛନ୍ତି । ବର୍ତ୍ତମାନ ଏହି ତିନିଟି ଦଳ ଆଞ୍ଚଳିକ ରାଜନୈତିକ ଦଳଭାବେ ବିବେଚିତ ହେବେ । ୨୦୧୨ରେ ଆନ୍ନା ହଜାରେଙ୍କ ଦୁର୍ନୀତି ହଟାଓ ଅଭିଯାନରୁ ଆପ୍ ଜନ୍ମ ନେଇଥିଲା । କେବଳ ୧୧ ବର୍ଷ ମଧ୍ୟରେ ଆପ୍କୁ ଜାତୀୟ ଦଳର ମାନ୍ୟତା ମିଳିବା ସୌଭାଗ୍ୟର ବିଷୟ ଏବଂ ଏକ ଚମତ୍କାର ଘଟଣା ବୋଲି କେଜ୍ରିୱାଲ କହିଛନ୍ତି । ଏଭଳି ମାନ୍ୟତା ମିଳିବାପରେ ଆମର ଦାୟିତ୍ୱ ବୃଦ୍ଧି ପାଇଛି ଏବଂ ଜନସାଧାରଣଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବାକୁ ଆମେ ଶହେ ପ୍ରତିଶତ ଉଦ୍ୟମ ଜାରି ରଖିବୁ ବୋଲି କେଜ୍ରିୱାଲ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଏଥିପାଇଁ ଦଳର ସବୁ କର୍ମକର୍ତ୍ତା ଧନ୍ୟବାଦର ପାତ୍ର ବୋଲି ମଧ୍ୟ ସେ କହିଛନ୍ତି । ଆପ୍ ବର୍ତ୍ତମାନ ଦିଲ୍ଲୀ ଓ ପଞ୍ଜାବରେ କ୍ଷମତାରେ ରହିଛି । ଜାତୀୟ ଦଳର ମାନ୍ୟତା ମିଳିବାପରେ କର୍ମୀ ଓ ନେତା ଅଧିକ ପ୍ରୋତ୍ସାହିତ ହେବେ ବୋଲି ଆପ୍ ସାଂସଦ ରାଘବ ଚଢା କହିଛନ୍ତି । ମାନ୍ୟତା ତାଲିକାରେ ଅଦଳ ବଦଳ ପରେ ବର୍ତ୍ତମାନ ଦେଶରେ ଜାତୀୟ ଦଳର ସଂଖ୍ୟା ୬କୁ ହ୍ରାସ ପାଇଛି । ଏଗୁଡିକ ହେଲା ବିଜେପି, କଂଗ୍ରେସ, ସିପିଏମ, ବହୁଜନ ସମାଜ ପାର୍ଟି, ନ୍ୟାସନାଲ ପିପୁଲ୍ସ ପାର୍ଟି ଓ ଆପ୍ । ଅପରପକ୍ଷରେ ଇସି ପକ୍ଷରୁ ଉତ୍ତରପ୍ରଦେଶରେ ରାଷ୍ଟ୍ରୀୟ ଲୋକ ଦଳ, ଆନ୍ଧ୍ରପ୍ରଦେଶରେ ଭାରତ ରାଷ୍ଟ୍ର ସମିତି, ମଣିପୁରରେ ପିପୁଲ୍ସ ଡେମୋକ୍ରାଟିକ୍ ଆଲାଏନ୍ସ, ପୁଦୁଚେରୀରେ ପିଏମ୍କେ, ପଶ୍ଚିମବଙ୍ଗରେ ଆରଏସ୍ପି ଏବଂ ମିଜୋରାମରେ ଏମ୍ପିସିକୁ ରାଜ୍ୟ ଦଳର ମାନ୍ୟତା ପ୍ରତ୍ୟାହାର କରିନେଇଛନ୍ତି । ଜାତୀୟ ଦଳର ମାନ୍ୟତା ପାଇବାକୁ ହେଲେ ନିର୍ଦ୍ଦିଷ୍ଟ ଦଳକୁ ଗତ ବିଧାନସଭା କିମ୍ବା ଲୋକସଭା ନିର୍ବାଚନରେ ୪ଟି ରାଜ୍ୟରେ ମୋଟ ଭୋଟ୍ର ୬ ପ୍ରତିଶତ ଭୋଟ ହାତେଇବାକୁ ପଡିବ । ଏହାବ୍ୟତୀତ ଲୋକସଭା ଆସନର ଅତିକମରେ ୨ ପ୍ରତିଶତ ଆସନ ହାସଲ କରିବାକୁ ପଡିବ ଏବଂ ଅତିକମରେ ୪ଟି ରାଜ୍ୟରେ ଏହି ଦଳକୁ ରାଜ୍ୟ ଦଳର ମାନ୍ୟତା ମିଳିଥିବ ।