ହିଂସାପ୍ରବଣ ସୁଦାନରେ ଅପରେସନ କା‌ବେରୀ

ନୂଆଦିଲ୍ଳୀ : ହିଂସା ପ୍ରବଣ ସୁଦାନରେ ଫସିଥିବା ଭାରତୀୟଙ୍କର ଉଦ୍ଧାର ପାଇଁ ଅପରେସନ କା‌ବେରୀ ଆରମ୍ଭ ହୋଇଛି। ଏହି ଅପରେସନ ଅନ୍ତର୍ଗତ ସୁଦାନରୁ ପ୍ରଥମ ବ୍ୟାଚ୍‌ରେ ୨୭୮ ନାଗରିକ ସୁଦାନ ଛାଡ଼ିଛନ୍ତି। ସେମାନେ ପୋର୍ଟ ସୁଦାନରୁ ଆଇଏନଏସ ସୁମେଧାରେ ସାଉଦି ଆରବର ଜେଦାହକୁ ଯାତ୍ରା କରିଛନ୍ତି। ବିଦେଶ ବ୍ୟାପାର ମନ୍ତ୍ରଣାଳୟର ଜଣେ ମୁଖପାତ୍ର ଆଜି ଏହି ସୂଚନା ଦେଇଛନ୍ତି। ସୁଦାନରେ ଅପରେସନ କାବେରୀ ଆରମ୍ଭ ହେବାର ଦିନକ ପରେ ୨୭୮ ଲୋକ ସୁଦାନ ଛାଡ଼ି ସାରିଛନ୍ତି। ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି, ପ୍ରାୟ ୫୦୦ ନାଗରିକ ପୋର୍ଟ ସୁଦାନରେ ପହଞ୍ଚି ସାରିଛନ୍ତି। ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ବୋଲି ଜୟଶଙ୍କର ଏକ ଟ୍ବିଟ୍‌ କରି କହିଛନ୍ତି। ଜେଦାହରେ ବା‌ୟୁସେନାର ୨ଟି ବିମାନ ସି-୧୩୦ଜେ ମୁତୟନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବିଦେଶ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୂରଲୀଧରନଙ୍କ ତତ୍ତ୍ବାବଧାନରେ ଅପରେସନ୍‌ କାର୍ଯ୍ୟ ଯାଞ୍ଚ କରାଯାଉଛି। କିଛି ଭାରତୀୟଙ୍କୁ ମଧ୍ୟ ସାଉଦି ଆରବ ଓ ଫ୍ରାନ୍ସ ଦ୍ବାରା ଉଦ୍ଧାର କରାଯାଇଛି। ଫ୍ରାନ୍ସ ଏବଂ ସାଉଦି ଆରବ ନିଜ ନାଗରିକଙ୍କୁ ଉଦ୍ଧାର କରିବାପାଇଁ ଅପରେସନ ଆରମ୍ଭ କରିଥିବାବେଳେ ସେମାନେ କିଛି ଭାରତୀୟ ନାଗରିକଙ୍କୁ ମଧ୍ୟ ଉଦ୍ଧାର କରିଛନ୍ତି। ଇତିମଧ୍ୟରେ ସୁଦାନ ସେନାବାହିନୀ ଦ୍ବାରା ଆଜିଠାରୁ ୭୨ ଘଣ୍ଟାର ଅସ୍ତ୍ରବିରତି ଘୋଷଣା କରାଯାଇଛି। ପଶ୍ଚିମ, ଆରବ ଏବଂ ଏସିୟ ରାଷ୍ଟ୍ରମାନେ ସୁଦାନରୁ ନିଜ ନାଗରିକଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରଖିଥିବା ବେଳେ ଏହି ସମୟରେ ସୁଦାନ ସେନା ଅସ୍ତ୍ରବିରତି ‌ଘୋଷଣା କରିଛି। ଉଲ୍ଳେଖଯୋଗ୍ୟ, ଏସଏଏଫ୍‌ (ସୁଦାନ ଆର୍ମଡ ଫୋର୍ସେସ୍‌) ଏବଂ ଆରଏଏଫ୍‌ (ରୢାପିଡ ସପୋର୍ଟ ଫୋର୍ସ) ଅର୍ଦ୍ଧସାମରିକ ବଳ ମଧ୍ୟରେ ଏପ୍ରିଲ ୧୫ ତାରିଖରୁ ସଂଘର୍ଷ ଜାରି ରହିଛି। ଏଥିଯୋଗୁଁ ୪୨୭ ଲୋକଙ୍କ ମୃତ୍ୟୁ ହେଲାଣି।

Related Articles

Leave a Reply

Your email address will not be published.

Back to top button