ଇସ୍ରାଏଲ ଆକ୍ରମଣରେ ୧୦ ହଜାରରୁ ଅଧିକ ପାଲେଷ୍ଟାଇନ ସାଧାରଣ ନାଗରିକଙ୍କ ମୃତ୍ୟୁ

ଜେରୁଜେଲମ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନାହିଁ। ଏହି ଯୁଦ୍ଧରେ ଏ ପର୍ଯ୍ୟନ୍ତ ୧୦ ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଥିବା ଅଲ ଜଜିରାର ଏକ ରିପୋର୍ଟରେ ଦାବି କରାଯାଇଛି। ରିପୋର୍ଟ ଅନୁଯାୟୀ, ଗାଜାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ସୂଚନା ଦେଇଛି ଯେ, ମୃତ୍ୟୁ ସଂଖ୍ୟା ୧୦,୦୨୨ରେ ପହଞ୍ଚିଛି। ଇସ୍ରାଏଲର ଆକ୍ରମଣରେ ଏ ପର୍ଯ୍ୟନ୍ତ ୪୧୦୧ ପିଲାଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଅତି କମରେ ୨୦୦୦ ଲୋକ ଭଗ୍ନାବଶେଷ ତଳେ ଫସି ରହିଛନ୍ତି। ଯେଉଁମାନେ ଭାରୀ ଉପକରଣ ଏବଂ ଯନ୍ତ୍ରପାତି ଅଭାବରୁ ବାହାରକୁ ଆସିପାରୁନାହାନ୍ତି। ଅଲ ଜଜିରାଙ୍କ ରିପୋର୍ଟ ଅନୁଯାୟୀ, ଇସ୍ରାଏଲର ଅବରୋଧ ଯୋଗୁ ଲୋକମାନେ ଇନ୍ଧନ, ଖାଦ୍ୟ ଏବଂ ବିଦ୍ୟୁତ୍‌ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପାଇପାରୁନାହାନ୍ତି। ସୂଚନାଯୋଗ୍ୟ, ଅକ୍ଟୋବର ୭ରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ ୧,୪୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଏହା ପରେ ଇସ୍ରାଏଲ ଗାଜା ସ୍ଥିତ ହମାସ ଉପରେ ଭୟଙ୍କର ଆକ୍ରମଣ କରିଛି। ଏକ ମାସ ଧରି ଚାଲିଥିବା ଯୁଦ୍ଧରେ ୧୨ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଉଛି।

Related Articles

Leave a Reply

Your email address will not be published.

Back to top button