ଜଟିଳ ସ୍ଥିତିରେ ଭାରତ-ଚୀନ ସମ୍ପର୍କ

ନୂଆଦିଲ୍ଲୀ : ଚୀନ ସହିତ ଭାରତର ସମ୍ପର୍କ ଜଟିଳତା ମଧ୍ୟ ଦେଇ ଗତି କରୁଛି । ଏଲଏସିର ସ୍ଥିତାବସ୍ଥାରେ ପରିବର୍ତ୍ତନ ନିମନ୍ତେ ଚୀନର ଏକପାଖିଆ ଉଦ୍ୟମ ଦ୍ୱିପାକ୍ଷିକ ସମ୍ପର୍କକୁ ତିକ୍ତ କରିଛି ବୋଲି ଭାରତ କହିଛି । ସୋମବାର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ୨୦୨୧-୨୨ ବାର୍ଷିକ ରିପୋର୍ଟରେ ଏପରି କୁହାଯାଇଛି । ମନ୍ତ୍ରଣାଳୟ ଏହାର ରିପୋର୍ଟରେ ଦର୍ଶାଇଛି ଯେ ୨୦୨୦ ମେ ମାସ ପରଠାରୁ ଚୀନ ଏଲଏସିର ସ୍ଥିତାବସ୍ଥାରେ ପରିବର୍ତ୍ତନ ନିମନ୍ତେ ବାରମ୍ବାର ଉଦ୍ୟମ କରିଛି । ସୀମା ସ୍ଥିତିରେ ପରିବର୍ତ୍ତନ ଆଣିବା ପୂର୍ବରୁ ଭାରତ ସହିତ ଆଲୋଚନା କରିବାର ଆବଶ୍ୟକତାକୁ ଚୀନ ଉପେକ୍ଷା କରିଛନ୍ତି । ଚୀନର ଏପରି ଏକପାଖିଆ ଉଦ୍ୟମ ଯୋଗୁଁ ସୀମାରେ ଶାନ୍ତି ଓ ସ୍ଥିରତା ବ୍ୟାହତ ହେବା ସହିତ ଦ୍ୱିପାକ୍ଷିକ ସମ୍ପର୍କ ତିକ୍ତ କରିଛି । ସୀମା ସ୍ଥିତିରେ ପରିବର୍ତ୍ତନ ନିମନ୍ତେ ଚୀନର ଏକପାଖିଆ ଉଦ୍ୟମକୁ ଭାରତ ସେନା ପ୍ରତିଥର ବିରୋଧ କରିବା ସହିତ ଏହାର ଉପଯୁକ୍ତ ଜବାବ ଦେଇଛି । ବୈଦେଶିକ ମନ୍ତ୍ରଣାଳୟର ଯୋଜନା ଓ ନୀତି ପ୍ରଣୟନକାରୀ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ କୁହାଯାଇଛି ? ଚୀନ ସହିତ ସମ୍ପର୍କ ଜଟିଳ ରହିଥିଲେ ମଧ୍ୟ ଦୁଇ ଦେଶ ବିବାଦକୁ ଆପୋସ ସମାଧାନ ନିମନ୍ତେ ସମ୍ମତି ପ୍ରକାଶ କରିଛନ୍ତି । ଦ୍ୱିପାକ୍ଷିକ ମତଭେଦକୁ ବିବାଦର ରୂପ ନ ଦେବା ଲାଗି ଉଭୟ ଦେଶ ମିଳିତ ପ୍ରୟାସ କରି ଚାଲିଛନ୍ତି । ଦୁଇ ଦେଶ ମଧ୍ୟରେ ରହିଥିବା ସୀମା ବିବାଦକୁ ସମାଧାନ କରିବା ସହିତ ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଆଗାମୀ ଦିନରେ ମଧ୍ୟ ପ୍ରୟାସ କରିବେ । ସୀମାର ସମସ୍ତ ବିବାଦୀୟ ଅଞ୍ଚଳରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରିବା ଲାଗି ସାମରିକ ଓ କୂଟନୈତିକ ସ୍ତରରେ କଥାବାର୍ତ୍ତା ଜାରି ରହିଛି । ୨୦୨୧ ସେପ୍ଟେମ୍ବର ୧୬ରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ୍ ଆଲୋଚନା ହୋଇଥିଲା । ତାଜିକସ୍ତାନର ଦୁସାନବେରେ ଅନୁଷ୍ଠିତ ଏସସିଓ ବୈଠକ ଅବସରରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ତାଙ୍କ ଚୀନ ପ୍ରତିପକ୍ଷ ୱାଙ୍ଗ ୱିଙ୍କୁ ଭେଟିଥିଲେ ।

Related Articles

Leave a Reply

Your email address will not be published.

Back to top button