ଏଥର ସହଜ ହେବନି ହଜ୍ ଯାତ୍ରା, ଭାରତ ସମେତ ୧୪ ଦେଶର ଯାତ୍ରୀଙ୍କ ପାଇଁ ଭିସା ଉପରେ ରୋକ୍

ରିୟାଦ୍: ଆଗକୁ ହଜ୍ ଯାତ୍ରା ଆରମ୍ଭ ହେବ ଏବଂ ଏହା ଜୁନ୍ ମଧ୍ୟଭାଗ ପର୍ଯ୍ୟନ୍ତ ଚାଲିବ। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ କୋଟି କୋଟି ସଂଖ୍ୟକ ମୁସଲିମ୍ ଧର୍ମାବଲମ୍ବୀ, ହଜ୍ ଆସି ନିଜ ଇସଲାମ୍ ଧର୍ମର ସାର୍ଥକତା ହାସଲ ପାଇଁ ବେଶ୍ ଉତ୍ସୁକ ରହିଛନ୍ତି। ତେବେ ଏହା ପୂର୍ବରୁ ହଜ୍ ଆଶାୟୀଙ୍କୁ ବଡ଼ ଝଟ୍କା ଦେଇଛନ୍ତି ସାଉଦି ସରକାର। ସାଉଦି କ୍ରାଉନ୍ ପ୍ରିନ୍ସ ମହମ୍ମଦ୍ ବିନ୍ ସଲମାନ୍ଙ୍କ ନିର୍ଦ୍ଦେଶକ୍ରମେ ସାଉଦିଆରବ ସରକାର ଏଥର ଭାରତ ସମେତ ୧୪ଟି ଦେଶର ନାଗରିକଙ୍କ ପାଇଁ ଉମ୍ରା, ବ୍ୟବସାୟ ଏବଂ ପରିବାର ଭିସା ଉପରେ ସାମୟିକ ଭାବେ (ଅସ୍ଥାୟୀ) କଟକଣା ଲଗାଇଛନ୍ତି। ସାଉଦିଆରବ ସରକାର ଯେଉଁ ୧୪ଟି ଦେଶକୁ ପ୍ରତିବନ୍ଧିତ ତାଲିକାରେ ରଖିଛନ୍ତି ସେଥିରେ ଭାରତ ସାମିଲ ରହିଛି। ଏନେଇ ଭାରତ ସରକାରଙ୍କ ପକ୍ଷରୁ କୌଣସି ବିଧିବଦ୍ଧ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ। କିନ୍ତୁ ଏକ ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ୍, ସାଉଦି କୂଟନୈତିକ ସୂତ୍ରଗୁଡ଼ିକୁ ଉଦ୍ଧାର କରି ଏହି ରିପୋର୍ଟ ପ୍ରକାଶ କରିଛି, ସାଉଦିଆରବ ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା ଏହି କଟକଣା ଜୁନ୍ ମଧ୍ୟଭାଗ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ତେବେ ସାଉଦି ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ପ୍ରଭାବିତ ହେବାକୁ ଥିବା ଦେଶମାନଙ୍କ ମଧ୍ୟରେ ଭାରତ, ପାକିସ୍ତାନ, ବାଂଲାଦେଶ, ଇଜିପ୍ଟ, ଇଣ୍ଡୋନେସିଆ, ଇରାକ୍, ନାଇଜେରିଆ, ଜୋର୍ଡାନ୍, ଆଲଜେରିଆ, ସୁଡାନ, ଇଥିଓପିଆ, ଟ୍ୟୁନିସିଆ ଏବଂ ୟେମେନ୍ ଆଦି ଦେଶ ଅନ୍ତର୍ଭୁକ୍ତ। ତଥାପି, ଯେଉଁମାନଙ୍କର ଉମରା ଭିସା ଅଛି ସେମାନେ ଏପ୍ରିଲ ୧୩ ପର୍ଯ୍ୟନ୍ତ ସାଉଦିଆରବ ଆସିପାରିବେ ଏବଂ ଏଠାରେ ରହିପାରିବେ ବୋଲି ରିପୋର୍ଟ ଦର୍ଶାଇଛି। ଏହା ପରଠାରୁ ହଜ୍ ଶେଷ ପର୍ଯ୍ୟନ୍ତ ଆଉ ଉମ୍ରା ଭିସା ମଧ୍ୟ ଜାରି କରାଯିବ ନାହିଁ। ସାଉଦିଆରବର ଅଧିକାରୀମାନେ ଏହା ପଛରେ ଦୁଇଟି ମୁଖ୍ୟ କାରଣ ଉଲ୍ଲେଖ କରିଛନ୍ତି। ପ୍ରଥମ କାରଣ ହେଉଛି ଅନଧିକୃତ ଲୋକମାନେ ମଲ୍ଟିପଲ୍-ଏଣ୍ଟ୍ରି ଭିସାରେ ହଜ୍ରେ ଅଂଶଗ୍ରହଣ କରିବା ଦ୍ୱାରା ଏଠାରେ ଅଯଥା ଭିଡ଼ ଏବଂ ସୁରକ୍ଷା ବିପଦ ବୃଦ୍ଧି ପାଉଛି। ଦ୍ୱିତୀୟ କାରଣ ହେଉଛି କିଛି ଦେଶର ନାଗରିକ ବ୍ୟବସାୟ ଏବଂ ପାରିବାରିକ ଭିସା ମାଧ୍ୟମରେ ଏଠାକୁ ଆସି ଅନୁମତି ବିନା କାମ କରୁଛନ୍ତି। ଏହି କାରଣରୁ ଦେଶର ଶ୍ରମ ବଜାରରେ ସମସ୍ୟା ମଧ୍ୟ ବୃଦ୍ଧି ପାଉଛି। ପ୍ରକାଶ, ୨୦୨୪ ହଜ୍ ଯାତ୍ରା ସମୟରେ ଏଠାରେ ଅସମ୍ଭାଳ ଭିଡ଼ ତଥା ବର୍ଦ୍ଧିତ ତାପମାତ୍ରା ଯୋଗୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା, ଯେଉଁଥିରେ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା। ଏଭଳି ଅଭାବନୀୟ ଘଟଣାକୁ ଏଡ଼ାଇବା ପାଇଁ ବିନା ପଞ୍ଜିକରଣରେ ହଜ୍ ଯିବାକୁ ଶ୍ରଦ୍ଧାଳୁଙ୍କୁ ଅନୁମତି ଦିଆଯିବ ନାହିଁ ବୋଲି ସାଉଦି ସରକାର ତଥା ହଜ୍ ପ୍ରଶାସନ ଏଥର ନିଷ୍ପତ୍ତି ନେଇଛନ୍ତି। ସେହିପରି ସାଉଦି ସରକାର ହଜ୍ ଶ୍ରଦ୍ଧାଳୁଙ୍କ ପାଇଁ ଉଦ୍ଦିଷ୍ଟ ଭିସା ନିୟମରେ ମଧ୍ୟ ଏଥର କେତେକ ପରିବର୍ତ୍ତନ କରିଛନ୍ତି। ନିୟମ ଅବମାନନା କ୍ଷେତ୍ରରେ ଜେଲ୍ କିମ୍ବା ୫ବର୍ଷରୁ ଅଧିକ ସମୟ ଯାଏ ବ୍ୟାନ୍ ଭଳି ଦଣ୍ଡାଦେଶର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ସ୍ପଷ୍ଟ କରାଯାଇଛି।