ପଦ୍ମ ଧରିବେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ସବୁ ଦଳ ନିଜ ନିଜ ସଂଗଠନ ସଜାଡ଼ିବା ସହ ନିଜର ବଳ ବଢାଉଛନ୍ତି । ମିଶ୍ରଣ ପର୍ବ ଜରିଆରେ କର୍ମୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରୁଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେପି ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ନିଜ ଦଳରେ ସାମିଲ କରିବାକୁ ଯାଉଛି । ସେ ହେଉଛନ୍ତି ଅର୍ଦ୍ଧେନ୍ଦୁ ଦାସ । ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଶ୍ରୀ ଦାସ ବିଜେପିର ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ପଦ୍ମ ଧରିବେ ବୋଲି ଜଣାଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଶ୍ରୀ ଦାସ ‘ବଡ଼ଖବର’ ନାମକ ଏକ ଘରୋଇ ଟିଭି ଚ୍ୟାନେଲର ସମ୍ମାଦକଭାବେ କାର୍ଯ୍ୟ କରୁଛନ୍ତି । ପ୍ରକାଶ ଯେ ରାଜ୍ୟର ଜଣେ ବରିଷ୍ଠ ସାମ୍ବାଦିକ, ବିଶେଷକରି ଟିଭି ଜର୍ଣ୍ଣାଲିଜିମରେ ବଡ଼ ନାଁ ଅର୍ଦ୍ଧେନ୍ଦୁ । ସମ୍ବାଦ, ଅନୁପମ ଭାରତ, ଆରମ୍ଭ ଭଳି ଖବର କାଗଜରେ ବିଭିନ୍ନ ଜିଲ୍ଲାରେ ସାମ୍ବାଦିକତା ସହ ଭୁବନେଶ୍ୱରରେ ବିଭିନ୍ନ ପଦପଦବୀରେ କାମ କରିଛନ୍ତି । ଟିଭିରେ ‘ଇଟିଭି’ରୁ ସେ କାମ ଆରମ୍ଭ କରିଥିଲେ । ଏହା ପରେ ସେ ‘ଓଟିଭି’କୁ ଆସିଥିଲେ । ସେତେବେଳେ ଓଟିଭି ଏତେଟା ଲୋକପ୍ରିୟ ନ ଥିଲା । ହେଲେ ଅର୍ଦ୍ଧେନ୍ଦୁଙ୍କ ‘ନ୍ୟୁଜଫ୍ୟୁଜ’ କନସେପ୍ଟ ଚ୍ୟାନେଲକୁ ଘରେ ଘରେ ପହଞ୍ଚାଇଥିଲା । ପରେ କାମୟାବରେ ମାତ୍ର କିଛି ମାସ କାର୍ୟ୍ୟ କରି ଚ୍ୟାନେଲକୁ ଆଗକୁ ନେଇ ପାରିଥିଲେ । ଏହା ପରେ ୨୦୧୦ରେ ସେ ନ୍ୟୁଜ୭ ଚ୍ୟାନେଲରେ ପ୍ରତିଷ୍ଠାତା ସଂପାଦକ ଭାବେ ଦାୟିତ୍ୱ ନେଇଥିଲେ । ଚ୍ୟାନେଲ ଆରମ୍ଭ ହେଉ ହେଉ ଭଣ୍ଡ ସାରଥୀର ପର୍ଦ୍ଦାଫାଶ କରି ସେ ରାତାରାତି ନ୍ୟୁଜ୭କୁ ସଫଳତା ଦେଇଥିଲେ। ଗୋଟିଏ ପରେ ଗୋଟିଏ ଦୁର୍ନୀତିର ଖୁଲାସା ହୋଇଥିଲା । ମଦ ବିରୋଧରେ ଅଭିଯାନ ହୋଇଥିଲା । ହେଲେପରେ ତାଙ୍କୁ ନ୍ୟୁଜ୭ ଛାଡ଼ିବାକୁ ହୋଇଥିଲା। ଏହା ପରେ ସେ ନିଜେ ‘ବଡ଼ଖବର’ ନାମକ ଏକ ଟିଭି ଚ୍ୟାନେଲ କରିବାକୁ ଅଣ୍ଟା ଭିଡ଼ିଥିଲେ । ତାଙ୍କ ପାଖରେ ଅର୍ଥବଳ ନାହିଁ । ଓଡ଼ିଶାବାସୀଙ୍କ ସହଯୋଗରେ ସେ ଚ୍ୟାନେଲ ଚାଲିବ ବୋଲି ଘୋଷଣା କରିଥିଲେ । ତାଙ୍କ ଚ୍ୟାନେଲ କୌଣସି ଖବରରେ ସାଲିସ କରିବ ନାହିଁ । ଓଡ଼ିଶାବାସୀଙ୍କ ସ୍ୱର ହେବ ବୋଲି ସେ ଦୃଢୋକ୍ତି ରଖିଥିଲେ।