ଅଲଗା ହେଲେ ସାଇନା ନେହୱାଲ ଏବଂ ପାରୁପଲ୍ଲୀ କଶ୍ୟପ

ନୂଆଦିଲ୍ଲୀ: ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ ତାଙ୍କ ସ୍ୱାମୀ ପାରୁପଲ୍ଲୀ କଶ୍ୟପଙ୍କଠାରୁ ଅଲଗା ହେବାର ନିଷ୍ପତ୍ତି ସାର୍ବଜନୀନ କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ନୋଟ୍ ସେୟାର କରି ଏ ବିଷୟରେ ସୂଚନା ଦେଇଛନ୍ତି। ଉଭୟଙ୍କ ପ୍ରେମ କାହାଣୀ ବ୍ୟାଡମିଣ୍ଟନ କୋର୍ଟରୁ ହିଁ ଆରମ୍ଭ ହୋଇଥିଲା। ଉଭୟ ହାଇଦ୍ରାବାଦର ପୁଲେଲା ଗୋପୀଚାନ୍ଦ ଏକାଡେମୀରେ ଏକାଠି ତାଲିମ ନେଇଥିଲେ, ଏହିଠାରୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା ଯାହା ପରେ ପ୍ରେମରେ ପରିଣତ ହୋଇଥିଲା। ସାଇନା ନେହୱାଲ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ନୋଟ୍ ସେୟାର କରି ଲେଖିଛନ୍ତି ଯେ, “ଜୀବନ କେତେବେଳେ ଆମକୁ ଭିନ୍ନ ରାସ୍ତାରେ ନେଇଯାଏ। ବହୁତ ଚିନ୍ତା କରିବା ପରେ, ପାରୁପଲ୍ଲୀ କଶ୍ୟପ ଏବଂ ମୁଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମେ ପରସ୍ପର ପାଇଁ ଶାନ୍ତି, ବିକାଶ ଏବଂ ସୁସ୍ଥ ଜୀବନ ବାଛିବାକୁ ନିଷ୍ପତ୍ତି ନେଇଛୁ। ମୁଁ ଏହି ସ୍ମରଣୀୟ ମୁହୂର୍ତ୍ତଗୁଡ଼ିକ ପାଇଁ କୃତଜ୍ଞ ଏବଂ ଭବିଷ୍ୟତ ପାଇଁ ଆପଣଙ୍କୁ ଶୁଭକାମନା ଜଣାଉଛି। ଏହି ସମୟରେ ଆମର ଗୋପନୀୟତାକୁ ବୁଝିବା ଏବଂ ସମ୍ମାନ କରିବା ପାଇଁ ଧନ୍ୟବାଦ।” ସାଇନା ଏବଂ ପାରୁପଲ୍ଲୀ ୧୪ ଡିସେମ୍ବର ୨୦୧୮ରେ ବିବାହ କରିଥିଲେ। ହରିୟାଣାର ହିସାରରେ ଜନ୍ମଗ୍ରହଣ କରିଥିବା ସାଇନା ପାରୁପଲ୍ଲୀ କଶ୍ୟପଙ୍କଠାରୁ ୩ ବର୍ଷ ସାନ। ବିବାହ ସମୟରେ ପାରୁପଲ୍ଲୀ ୩୧ ବର୍ଷ ଏବଂ ସାଇନା ନେହୱାଲ ୨୮ ବର୍ଷ ବୟସର ଥିଲେ। ୩୦ ବର୍ଷ ବୟସରେ ସାଇନା ମଧ୍ୟ ରାଜନୀତିରେ ପ୍ରବେଶ କରିଥିଲେ, ସେ ୨୦୨୦ ମସିହାରେ ବିଜେପି ଦଳରେ ଯୋଗ ଦେଇଥିଲେ।