ଓଡ଼ିଶାରେ ଜାତୀୟ ସବୁଜ ହାଇଡ୍ରୋଜେନ ମିଶନ ଏବଂ ପିଏମ ସୂର୍ଯ୍ୟଘର ଯୋଜନାର ଅଗ୍ରଗତି ସମୀକ୍ଷା

ଭୁବନେଶ୍ଵର: କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ସଚିବ ଶ୍ରୀ ସନ୍ତୋଷ ଷଡ଼ଙ୍ଗୀ ଆଜି ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଲୋଚନା କରିଛନ୍ତି। ଏହି ବୈଠକରେ ଭାରତ ସରକାରଙ୍କର ଦୁଇଟି ପ୍ରମୁଖ ଯୋଜନା – ଜାତୀୟ ସବୁଜ ହାଇଡ୍ରୋଜେନ ମିଶନ ଏବଂ ‘ପିଏମ ସୂର୍ଯ୍ୟଘର: ମୁଫତ ବିଜଲି’ ଯୋଜନା ବିଷୟରେ ଆଲୋଚନା ହୋଇଥିଲା। ଭାରତର ସବୁଜ ହାଇଡ୍ରୋଜେନ କ୍ଷେତ୍ରରେ ପରିବର୍ତ୍ତନର ନେତୃତ୍ୱ ନେବା ପାଇଁ ଓଡ଼ିଶା ଦୃଢ଼ ସ୍ଥିତିରେ ଅଛି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ଜୋର ଦେଇ କହିଥିଲେ। ଜଳ ଉପଲବ୍ଧତା, ବୃହତ ପରିମାଣର ଅକ୍ଷୟ ଶକ୍ତିର ସମନ୍ୱୟ ଏବଂ ସକ୍ଷମ ଭିତ୍ତିଭୂମି ବିକାଶ ଭଳି ପ୍ରମୁଖ ଆହ୍ବାନଗୁଡ଼ିକୁ ସେ ସ୍ବୀକାର କରିଥିଲେ। ମୁଖ୍ୟ ସଚିବ କହିଥିଲେ, ରାଜ୍ୟର ରଣନୀତିକ ଉପକୂଳବର୍ତ୍ତୀ ସ୍ଥିତି, ଦୃଢ଼ ଶିଳ୍ପ ଇକୋସିଷ୍ଟମ ଏବଂ ସକ୍ରିୟ ନୀତିଗତ ଢାଞ୍ଚା ଓଡ଼ିଶାକୁ ସବୁଜ ହାଇଡ୍ରୋଜେନର ବିଶ୍ୱ ରପ୍ତାନିକାରୀ ହେବା ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିଛି। ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ସଚିବ କହିଥିଲେ, ଭାରତର ସବୁଜ ହାଇଡ୍ରୋଜେନ କ୍ଷେତ୍ରକୁ ବ୍ୟାପକ ଭାବେ ବୃଦ୍ଧି କରିବା ଲାଗି ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଦୃଢ଼ ସ୍ଥିତିରେ ରହିଛି। ରାଜ୍ୟରେ ସବୁଜ ଆମୋନିଆ/ସବୁଜ ମିଥାନଲ ଭଳି ସବୁଜ ହାଇଡ୍ରୋଜେନ ଉପାଦାନର ଉତ୍ପାଦନ ପାଇଁ ଘରୋଇ ନିବେଶକଙ୍କ ମଧ୍ୟରେ ଯଥେଷ୍ଟ ଆଗ୍ରହ ସୃଷ୍ଟି ହୋଇଛି। ବିଶେଷକରି ପାରାଦୀପ ଏବଂ ଗୋପାଳପୁର ଭଳି ପ୍ରମୁଖ ବନ୍ଦର ନିକଟରେ ଏଥିପାଇଁ ଅପାର ସମ୍ଭାବନା ରହିଛି। ଏହି ବୈଠକରେ ଓଡ଼ିଶା ସରକାର, ପ୍ରମୁଖ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ପ୍ରମୁଖ ସବୁଜ ହାଇଡ୍ରୋଜେନ୍ ଡେଭଲପରମାନଙ୍କର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଅଧିକ ପରିମାଣର ସବୁଜ ହାଇଡ୍ରୋଜେନ୍/ ସବୁଜ ଆମୋନିଆ ପ୍ରକଳ୍ପର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଆହ୍ବାନଗୁଡ଼ିକ ଉପରେ ବିଚାରବିମର୍ଶ କରାଯାଇଥିଲା। ବିଶେଷକରି ଗୋପାଳପୁରର ଏସଇଜେଡ ଠାରେ ଏଥିପାଇଁ ରହିଥିବା ସମ୍ଭାବନାକୁ ନେଇ ଆଲୋଚନା ହୋଇଥିଲା। ଏହି ପ୍ରୟାସଗୁଡ଼ିକ ଦ୍ରୁତ ଗତିରେ ବଢ଼ୁଥିବା ଭାରତର ସବୁଜ ହାଇଡ୍ରୋଜେନ୍ ଇକୋସିଷ୍ଟମ ଲାଗି ବ୍ୟାପକ ରୋଡମ୍ୟାପ୍ ପ୍ରସ୍ତୁତ କରିବା ପାଇଁ ପଥ ପ୍ରଶସ୍ତ କରିବ।

Related Articles

Leave a Reply

Your email address will not be published. Required fields are marked *

Back to top button