‘ଆମ ହସ୍ପିଟାଲ’ ଲୋକାର୍ପିତ କଲେ ନବୀନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୧୫ ଜିଲ୍ଲାରେ ୬୭ ‘ଆମ ହସ୍ପିଟାଲ’, ଉମରକୋଟ ଉପଖଣ୍ଡ ହସ୍ପିଟାଲରେ ଡାଏଲେସିସ୍‌ ସେଂଟର, ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ଓ ଝାରସୁଗୁଡାରେ ବିଏମଆରସି କାର୍ଡିଆକ୍‌ କେୟାର ହସ୍ପିଟାଲ ଲୋକାର୍ପିତ କରିଛନ୍ତି । ଏହା ସହିତ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଉପଜିଲ୍ଲା ଡାକ୍ତରଖାନାର ଭିତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେଯେ, ‘ଆମ ହସ୍ପିଟାଲ’ରେ ସବୁ ବ୍ୟବସ୍ଥା ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି କରାଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଫୋକସ୍‌ ହେଉଛି ରୋଗୀଙ୍କ ସୁବିଧା ଓ ସେମାନଙ୍କ ପାଇଁ ଉନ୍ନତ ଚିକିତ୍ସା ବ୍ୟବସ୍ଥା  । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ‘ଆମ ହସ୍ପିଟାଲ’ଗୁଡିକ ଏକ ନୂଆ ଯୁଗ ରାଜ୍ୟରେ ଆରମ୍ଭ କରିବ  । ସରକାରୀ ହସ୍ପିଟାଲଗୁଡିକରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଏକ ବିରାଟ ପରିବର୍ତନ ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  । ସେ ଆହୁରି ମଧ୍ୟ କହିଥିଲେଯେ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରୂପାନ୍ତରର ଚିତ୍ରକୁ ‘ଆମ ହସ୍ପିଟାଲ’ ଆହୁରି ଉଜ୍ଜ୍ୱଳ କରିବ  । ୫ଟି ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତରୁ ମିଳିଥିବା ପ୍ରସ୍ତାବ ଓ ‘ମୋ ସରକାର’ ଜନମତ ସଂଗ୍ରହ ଭିତିରେ ‘ଆମ ହସ୍ପିଟାଲ’ ଆରମ୍ଭ କରାଯାଇଛି ବୋଲି ସେ କହିଥିଲେ  । ଏହା ସରକାରୀସ୍ତରରେ ଆମର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବିରାଟ ପରିବର୍ତନ ବୋଲି କହି ମୁଖ୍ୟମନ୍ତ୍ରୀ କହିଥିଲେଯେ, ୫ଟି ଉପକ୍ରମରେ ହସ୍ପିଟାଲଗୁଡିକର ଭିତିଭୂମି ବ୍ୟବସ୍ଥା, ରୋଗୀମାନଙ୍କ ପାଇଁ ମୌଳିକ ସୁବିଧା ସୁଯୋଗ ଏବଂ ସେବା ଯୋଗାଇବା ପଦ୍ଧତିରେ ଉନ୍ନତି ଅଣାଯାଇଛି  । ଗୁଣବତାକୁ ମଧ୍ୟ ଏଠାରେ ସୁନିଶ୍ଚିତ କରାଯାଇଛି । ଆଗାମୀ ୫ ବର୍ଷ ମଧ୍ୟରେ ୧୮୫୮ଟି ଡାକ୍ତରଖାନାକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି ଏବଂ ଏଥିପାଇଁ ୨୦୨୩-୨୮ ମଧ୍ୟରେ ୩୩ ଶହ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି । ସଂପ୍ରତି ୧୪୯ଟି ଡାକ୍ତରଖାନାର ରୂପାନ୍ତରଣ କାର୍ଯ୍ୟ ଜାରି ରହିଛି ବୋଲି ସେ ସୂଚନା ଦେଇଥିଲେ । ରାଜ୍ୟର ସ୍ୱାସ୍ଥ୍ୟ ସେବା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେଯେ, ଲୋକଙ୍କୁ ଭଲ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଗତ ୧ ବର୍ଷ ମଧ୍ୟରେ ୪ ହଜାର ଡାକ୍ତର ଓ ୩୭ ଶହରୁ ଅଧିକ ନର୍ସଙ୍କୁ ନିଯୁକ୍ତି ଦିଆଯାଇଛି  । ଧନୀ, ଗରୀବ ସମସ୍ତଙ୍କ ପାଇଁ ସରକାରୀ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ସୁବିଧା କରାଯାଇଛି  । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଜି ସାରା ଓଡିଶାରେ ମଡେଲ ହୋଇଛି । ଓଡିଶାବାସୀଙ୍କ ଚିକିତ୍ସା ଚିନ୍ତା ଦୂର କରିଛି  । ‘ମୋ ପାଇଁ ସବୁ ଜୀବନ ମୂଲ୍ୟବାନ’ ଏହି ମନ୍ତ୍ରକୁ କାର୍ଯ୍ୟକାରୀ କରି ଆମେ ସମସ୍ତଙ୍କ ସହଯୋଗରେ ‘ସୁସ୍ଥ ଓଡିଶା, ସୁଖୀ ଓଡିଶା’ର ସ୍ୱପ୍ନ ନିଶ୍ଚୟ ପୂରଣ କରିବୁ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ ।

Related Articles

Leave a Reply

Your email address will not be published.

Back to top button