ଓଡ଼ିଶାରେ ଗଠନ କର ବିଧାନ ପରିଷଦ:ସସ୍ମିତ

ନୂଆଦିଲ୍ଳୀ: ଓଡ଼ିଶାରେ ଗଠନ କର ବିଧାନ ପରିଷଦ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବକେୟା ବାସଗୃହକୁ ମଞ୍ଜୁରୀ ଦିଅ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁ ୨୯୩୦ ଟଙ୍କାକୁ ବୃଦ୍ଧି କର । ରାଜ୍ୟ ସ୍ୱାର୍ଥ ସମ୍ବଳିତ ଏସବୁ ପ୍ରସଙ୍ଗକୁ ଗମ୍ଭୀରତାର ସହ ସଂସଦରେ ଉଠାଇବ ବିଜୁ ଜନତା ଦଳ । ଏହାଛଡ଼ା ଆଉ ୪ଟି ପ୍ରମୁଖ ପ୍ରସଙ୍ଗକୁ ମଧ୍ୟ ଦଳ ଗମ୍ଭୀରତାର ସହ ଗୃହର ଦୃଷ୍ଟି ଆକର୍ଷଣ କରିବ । ପହିଲାରୁ ଆସନ୍ତା ଫେବ୍ରୁଆରୀ ୯ ପର୍ୟ୍ୟନ୍ତ ସଂସଦର କାମଚଳା ବଜେଟ୍‌ ଅଧିବେଶନ ବସିବ । ଏହି ଅଧିବେଶନରେ ରହିବ ମାତ୍ର ୬ଟି କାର୍ୟ୍ୟ ଦିବସ । ସଂସଦର ବଜେଟ୍‌ ଅଧିବେଶନର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ଆଲୋଚନା ସମୟରେ ବିଜେଡି ରାଜ୍ୟର ପ୍ରମୁଖ ପ୍ରସଙ୍ଗକୁ ଉଠାଇବ । ବିଧାନ ପରିଷଦ ଗଠନ ନେଇ ଓଡିଶା ବିଧାନସଭାର ସର୍ବସମ୍ମତ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ନିକଟରେ ବହୁ ବର୍ଷ ଧରି ପଡିରହିଛି । ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ଏହାକୁ ଲାଗୁ କରିବା ପାଇଁ ଦଳ ପକ୍ଷରୁ ଉଠାଯିବ । ଏହାଛଡା ଓଡ଼ିଶାର ୧୬୯ ଅଦିବାସୀ ସଂପ୍ରଦାୟଙ୍କୁ ଅଦିବାସୀ ତାଲିକାରେ ସାମିଲ କରିବା ପାଇଁ ଦଳର ପୂର୍ବ ଦାବିକୁ ପୁଣିଥରେ ଉପସ୍ଥାପନ କରାଯିବ । ହୋ, ମୁଣ୍ଡାରୀ, ଭୂମିଜ୍‌ ଓ କୁଇ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ଦଳ ପୁଣିଥରେ ସଂସଦରେ ଦାବି କରିବ । ସେହିପରି କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଛାଡ କରିବା ପାଇଁ ବିଜେଡି କେନ୍ଦ୍ର ସରକାରଙ୍କ ନିକଟରେ ତାହାର ପୂର୍ବ ଦାବିକୁ ପୁଣି ଉପସ୍ଥାପନ କରିବ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନଙ୍କୁ ଉଚିତ୍‌ ସମୟରେ କ୍ଷତିପୂରଣ ପ୍ରଦାନ କରାଯାଉନାହିଁ । ଏହି ଫସଲ ବୀମା ଯୋଜନାକୁ ଠିକ୍‌ ଭାବେ ଲାଗୁ କରିବାକୁ ବିଜେଡି ଦାବି ରଖିବ । ଧାନର ଏମ୍‌ଏସ୍‌ପି ୨୯୩୦ଟଙ୍କାକୁ ବୃଦ୍ଧି କରିବା ଓ ଉପକୂଳବର୍ତ୍ତୀ ରାଜପଥ ପ୍ରସଙ୍ଗକୁ ଦଳ ଶାଣିତ ଭାବେ ଉଠାଇବ । କଟକ-ସମ୍ବଲପୁର ଜାତୀୟ ରାଜପଥର କାମ ଅଧାପନ୍ତରିଆ ହୋଇ ପଡିରହିଛି । ଭୁବନେଶ୍ୱର ଆଉଟର୍‌ ରିଙ୍ଗରୋଡର କାର୍ୟ୍ୟ ମଧ୍ୟ କାର୍ୟ୍ୟକାରୀ କରାଯାଇ ନାହିଁ । ସଂସଦରେ ଓଡିଶାର ବିଭିନ୍ନ ରାଜପଥମାନଙ୍କର ନିର୍ମାଣ କାର୍ୟ୍ୟକୁ ଯେପରି ତ୍ୱରାନ୍ୱିତ କରାଯାଏ ସେ ନେଇ ବିଜେଡି ଜୋର ଦେବ । ଏହାଛଡା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୭ଲକ୍ଷ ବାସଗୃହ ଏବେବି ରାଜ୍ୟକୁ ପାଇବାକୁ ଅଛି । ତାକୁ ଶୀଘ୍ର ମଞ୍ଜୁର କରିବା ଏବଂ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସାମିଲ କରାଯିବା ଏବଂ କେନ୍ଦ୍ରୀୟ ଶୁଳ୍କର କିଛି ଅଂଶ ରାଜ୍ୟକୁ ପ୍ରଦାନ କରିବା ପାଇଁ ବିଜେଡି ସଂସଦରେ ଦାବି ଉଠାଇବ ବୋଲି ସସ୍ମିତ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button