ବିଜେଡି ପାଖରେ କଳାଧନ ରହିଛି: ବିଜେପି

ଭୁବନେଶ୍ୱର: ପୁଣି ବିଜେଡିକୁ ଟାର୍ଗେଟ କରିଛି  ବିଜେପି ।  ଏଡିଆର ରିପୋର୍ଟରେ ବିଜେଡି ଦ୍ୱିତୀୟ ସର୍ବାଧିକ ଆଞ୍ଚଳିକ ଦଳ ପ୍ରସଙ୍ଗରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ବିଜେଡିକୁ ଆଟାକ କରିଛନ୍ତି । ସେ କହିଛନ୍ତି  ଯେ ଏଡିଆର ରିପୋର୍ଟ କେବଳ ସମୁଦ୍ରକୁ ଶଙ୍ଖେ । ଲିଗାଲ ଫଣ୍ଡିଂ ବାଦ ବିଜେଡି ୪ ହଜାର କୋଟିର କଳାଧନ ରଖିଛି ।  ବିଶେଷ କରି ରାଜ୍ୟକୁ ବିଭିନ୍ନ ସ୍ତରରେ ଶୋଷଣ କରି ଏହି ଟଙ୍କା ବିଜେଡି ମହଜୁଦ ରଖିଛି ।  ଶିଳ୍ପସଂସ୍ଥା ସହ ଚୁକ୍ତି  ସ୍ୱାକ୍ଷରବେଳେ ବିଜେଡି ଟଙ୍କା ପାଇଁ ଚାପ ପକାଉଛି ।  ସେଥିପାଇଁ ଓଡ଼ିଶାକୁ ଶିଳ୍ପାନୁଷ୍ଠାନ ଆସୁନାହାନ୍ତି ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ପ୍ରକାଶ ଯେ ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ହେଉଛି ଦେଶର ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ। ତା’ସହ ଆୟରେ ସର୍ବାଧିକ ଅଭିବୃଦ୍ଧି ମଧ୍ୟ ବିଜେଡିର ହୋଇଛି। ଏମିତିକି ବିଜେଡିର ଆୟ ୩୬ଟି ଛୋଟ ବଡ଼ ଆଞ୍ଚଳିକ ଦଳଙ୍କ ମୋଟ ଆୟର ୨୫.୩୩ ପ୍ରତିଶତ ବୋଲି ଆସୋସିଏଟ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମ (ଏଡିଆର୍) ତା’ର ରିପୋର୍ଟରେ ପ୍ରକାଶ କରିଛି।  ଏହି ରିପୋର୍ଟ ଅନୁସାରେ ୩୬ଟି ଆଞ୍ଚଳିକ ଦଳର ମୋଟ ଆୟ ୧୨୧୩. ୧୩୨ କୋଟି ଟଙ୍କା ହୋଇଥିବାବେଳେ, କେବଳ ବିଜେଡିର ଆୟ ହେଉଛି ୩୦୭.୨୮୮ କୋଟି ଟଙ୍କା। ୨୦୨୧ ମସିହାରେ ଦଳ ନିର୍ବାଚନ ପ୍ରଚାର ସମେତ ବିଭିନ୍ନ ବାଟରେ ୨୮.୫୩ କୋଟି ଖର୍ଚ୍ଚ କରିଛି। ବାକି ୨୭୮.୬୫୮ କୋଟି ଅର୍ଥାତ୍ ୯୦ ପ୍ରତିଶତରୁ ଅଧିକ ଟଙ୍କା ବଳକା ରହିଛି। ଦଳର ମୋଟ ଆୟରୁ ୨୯୧ କୋଟି ଅର୍ଥାତ୍ ୯୪ ପ୍ରତିଶତ ଅର୍ଥ ଦାନ ଓ ଅନୁଦାନ ଜରିଆରେ ଆସିଛି। ଏମିତିକି କୋଭିଡ୍ ମହାମାରୀ ସମୟରେ ବି ଦଳର ପାଣ୍ଠି ବୃଦ୍ଧିରେ ବିରାମ ଲାଗି ନଥିଲା। ଭାରତୀୟ ନିର୍ବାଚନ କମିଶନ ସବୁ ରାଜନୀତିକ ଦଳଙ୍କୁ ସେମାନଙ୍କ ଆୟ-ବ୍ୟୟର ବିବରଣୀ ଅକ୍ଟୋବର ଶେଷ ସୁଦ୍ଧା ଦାଖଲ କରିବାକୁ କହିଥିଲେ। ୩୧୮. ୭୪୫ କୋଟି ସହ ସବୁଠୁ ଧନୀ ଆଞ୍ଚଳିକ ଦଳ ଭାବେ ଡିଏମକେ ତାଲିକାର ୧ ନମ୍ବରରେ ରହିଥିବାବେଳେ ଟିଆରଏସ୍ (୨୧୮.୧୧୨ କୋଟି) ତୃତୀୟ ଓ ୱାଇଏସଆର୍ କଂଗ୍ରେସ (୯୩.୭୨୪ କୋଟି) ଚତୁର୍ଥ ସ୍ଥାନରେ ରହିଛନ୍ତି। ସେହିପରି ଆମ୍ ଆଦମି ପାର୍ଟି (୪୪.୫୩୯ କୋଟି) ୭ ନମ୍ବର ସ୍ଥାନରେ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button