ଇବ ନଦୀରୁ ୩ ମୃତଦେହ ଉଦ୍ଧାର

ଭୁବନେଶ୍ବର  ସୁନ୍ଦରଗଡ଼ ସହର ନିକଟସ୍ଥ ସେମିନାରେ ଇବ୍ ନଦୀରେ ଗତକାଲି ଗୋଟିଏ ପରିବାରର ୩ ଜଣ ସଦସ୍ୟ ବୁଡ଼ି ଯାଇଥିବା ବେଳେ ଆଜି ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନେ ହେଉଛନ୍ତି ମହମ୍ମଦ ସାଜିଦ (୩୫) ଓ ତାଙ୍କର ଦୁଇ ପୁତୁରା ମହମ୍ମଦ ଫରହାନ (୧୫) ଓ ମହମ୍ମଦ ରିଜୱାନ (୧୭)।
ସୁନ୍ଦରଗଡ଼ ସହରର ରିଜେଣ୍ଟ ମାର୍କେଟ ଅଞ୍ଚଳର ମହମ୍ମଦ ଫରହାନଙ୍କର ଗତକାଲି ଥିଲା ଜନ୍ମଦିନ। ତାଙ୍କ ଜନ୍ମଦିନ ପାଳନ କରିବା ପାଇଁ ପରିବାର ଲୋକେ ସେମିନାକୁ ଯାଇଥିଲେ। ସେଠାରେ ଇବ୍ ନଦୀ କୂଳରେ ସେମାନେ ଭୋଜିର ଆୟୋଜନ କରିଥିଲେ। କେକ୍‌ କାଟି ଭୋଜି ଖାଇ ସାରିବା ପରେ ମହମ୍ମଦ ଫରହାନ ଓ ମହମ୍ମଦ ରିଜୱାନ ଇବ୍ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ସେମାନେ ବୁଡ଼ି ଯାଇଥିଲେ। ବୁଡ଼ି ଯାଉଥିବା ବେଳେ ସେମାନେ ଚିତ୍କାର କରିଥିଲେ। ଫରହାନ ଓ ରିଜୱାନଙ୍କୁ ଉଦ୍ଧାର କରିବାକୁ ନଦୀ ଭିତରକୁ ପଶିଥିଲେ ସେମାନଙ୍କ କକା ମହମ୍ମଦ ସାଜିଦ। ହେଲେ ସେ ମଧ୍ୟ ବୁଡ଼ି ଯାଇଥିଲେ।ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ପର୍ୟ୍ୟନ୍ତ ଅଗ୍ନିଶମ ବାହିନୀ ସେମାନଙ୍କୁ ଖୋଜିଥିଲା। କିନ୍ତୁ କାହାରି ପତ୍ତା ମିଳି ନଥିଲା। ଆଜି ସକାଳେ ପୁଣି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲା ଅଗ୍ନିଶମ ବାହିନୀ। ସେମାନଙ୍କୁ ମହମ୍ମଦ ଫରହାନ ଓ ମହମ୍ମଦ ରିଜୱାନଙ୍କ ମୃତଦେହ ମିଳିଥିଲା। ତେବେ ସେମାନଙ୍କ କକା ମହମ୍ମଦ ସାଜିଙ୍କୁ ଠାବ କରାଯାଇପାରି ନଥିଲା। ଫରହାନ ଓ ରିଜୱାନଙ୍କ ମୃତଦେହ ମିଳିବାର କିଛି ସମୟ ପରେ କିଛି ଗ୍ରାମବାସୀ ମହମ୍ମଦ ସାଜିଦଙ୍କ ମୃତଦେହକୁ ନଦୀରୁ ଉଦ୍ଧାର କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button