ପାରିବାରିକ ଅଶାନ୍ତିର କରୁଣ ପରିଣତି: ବିଷପିଇ ଜୀବନ ହାରିଲେ ମାଆ, ପୁଅ ଓ ଝିଅ

ଭୁବନେଶ୍ଗର: ଗଞ୍ଜାମ ଥାନା ଅନ୍ତର୍ଗତ ପାଳିବନ୍ଧ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଗୋଟିଏ ପରିବାରର ତିନିଜଣ ମାଆ, ପୁଅ ଓ ଝିଅ ବିଷପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପଡ଼ିନଥିଲେ ମଧ୍ୟ ପାରିବାରିକ ଅଶାନ୍ତିକୁ ନେଇ ଏଭଳି କାଣ୍ଡ ଘଟିଥିବା କୁହାଯାଉଛି। ମୃତକମାନେ ହେଲେ ମାଆ ଏସ୍. ମାମି ରେଡ୍ଡୀ, ତାଙ୍କ ଝିଅ ଏସ୍. ମିନା ରେଡ୍ଡୀ ଓ ପୁଅ ଏସ୍. ରାକେଶ ରେଡ୍ଡୀ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଛାନଭିନ ଆରମ୍ଭ କରିଛି। ଅପରାହ୍ଣରେ ଶୋକାକୂଳ ପରିବେଶ ମଧ୍ୟରେ ଗ୍ରାମ ମଶାଣିରେ ତିନିଜଣଙ୍କ ଜୁଇ ଜଳିଛି। ସୂଚନା ମୁତାବକ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ଗ୍ରାମର ଏସ୍.ରବୀନ୍ଦ୍ର ରେଡ୍ଡୀ ଆନ୍ଧ୍ରପ୍ରଦେଶରେ ଗତ ୨ବର୍ଷ ପୂର୍ବେ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ତାଙ୍କର ସ୍ତ୍ରୀ, ପୁଅ ଓ ଝିଅ ଗ୍ରାମରେ ରହୁଥିଲେ। ସ୍ତ୍ରୀ ମାମି ଦିନ ମଜୁରିଆ ଭାବେ କାମକରି ଚଳୁଥିଲେ। ପୁଅ ରାକେଶ ଛତ୍ରପୁରଠାରେ ମାମୁ ଘରେ ରହି ଡିପ୍ଲୋମା ପାଠ ପଢୁଥିବା ବେଳେ ଝିଅ ମିନା ଗଞ୍ଜାମ ମହାବିଦ୍ୟାଳୟରେ ଚଳିତବର୍ଷ ଯୁକ୍ତଦୁଇ ପରୀକ୍ଷା ଦେଇଛନ୍ତି। ଗତକାଲି ପୁଅ ରାକେଶ ଗ୍ରାମକୁ ଆସିଥିଲେ। ମାଆ ମାମି ପ୍ରତିଦିନ ପରି କାମ ସାରି ସନ୍ଧ୍ୟାରେ ଘରକୁ ଫେରିଥିଲେ। ସବୁ ଠିକ୍ଠାକ୍ ଚାଲିଥିବା ବେଳେ ହଠାତ୍ ଝିଅ ମିନା ବାହାରକୁ ଆସି ଆମେ ବିଷପିଇ ଦେଇଛୁ ବୋଲି ପାଟି କରିବାରୁ ପଡ଼ୋଶୀମାନେ ସେମାନଙ୍କୁ ମେଡିକାଲ୍କୁ ନେଇଥିଲେ। ପ୍ରଥମେ ଗଞ୍ଜାମ, ଛତ୍ରପୁର ଏବଂ ପରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରଥମେ ମାଆ, ପରେ ପୁଅ ଏବଂ ଆଜି ଭୋର୍ରୁ ଝିଅର ମୃତ୍ୟୁ ହୋଇଥିଲା। ପ୍ରୋଭିସ୍ନାଲ୍ ଆଇପିଏସ୍ ମନୀଷା ସୌଗନ୍, ଛତ୍ରପୁର ଏସ୍ଡିପିଓ ଚନ୍ଦନ ଘଡ଼େଇ, ଗଞ୍ଜାମ ଆଇଆଇସି ସୁମିତ୍ରା ପାତ୍ର ଗ୍ରାମରେ ପହଞ୍ôଚ ଛାନଭିନ୍ କରିଛନ୍ତି। ଘଟଣାସ୍ଥଳରୁ କୀଟନାଶକ ଔଷଧ ଜରି ପ୍ୟାକେଟ୍ର କିଛି ଅଂଶ, ଗୋଳାଇଥିବା ମଗ୍, ଗ୍ଲାସ୍ ଓ ଖଟରେ ଉକ୍ତ ଧଳା ପାଉଡର୍ ପଡ଼ିଥିବା ଦେଖିବାକୁ ପାଇଥିଲେ। ତେବେ ପୂର୍ବରୁ ତାଙ୍କ ଘରେ କେବେ ଅଶାନ୍ତି, ପାଟିତୁଣ୍ଡ ହୋଇନଥିବା ବେଳେ ହସଖୁସିରେ ରହୁଥିବା ପରିବାରରେ ଏଭଳି ଘଟଣା କାହିଁକି ଘଟିଲା, ତାହା ସମସ୍ତଙ୍କୁ ସ୍ତବ୍ଧ କରିଛି। ଅନ୍ୟପକ୍ଷରେ ମୃତକ ପୁଅ ରାକେଶ କୁଆଡ଼େ ନିଜ ଗ୍ରାମର ଏକ ଝିଅକୁ ଭଲ ପାଉଥିଲେ। ସେ ଝିଅର ଅନ୍ୟ ଏକ ସ୍ଥାନରେ ବାହାଘର ଠିକ୍ହେବା ପରେ ଏହାକୁ ନେଇ ରାକେଶ ଓ ତାଙ୍କ ମା’ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତେବେ ପାରିପାଶ୍ୱିର୍ିକ ସ୍ଥିତିକୁ ଦେଖିଲେ ଘରୋଇ କଳହରୁ ଏଭଳି କାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି। ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଉକ୍ତ ଗ୍ରାମକୁ ଯାଇ ସମବେଦନା ଜଣାଇବା ସହ ଗଞ୍ଜାମ ବିଡିଓ ଅଚ୍ୟୁତାନନ୍ଦ ଯାନୀ, ଗଞ୍ଜାମ ତହସିଲଦାର ଶ୍ରୀକାନ୍ତ ମିଶ୍ରଙ୍କ ଉପସ୍ଥିତରେ ରେଡ୍କ୍ରସ୍ ପାଣ୍ଠିରୁ ୯୦ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି।