ବୁଧିବାମନ ଓଷା

ଭାଦ୍ରବ ମାସରେ ପାଳନ କରାଯାଏ ବୁଧିବାମନ ଓଷା ବା ବୁଧେଇ ଓଷା । ଭାଦ୍ରବ ମାସର ୪ଟି କିମ୍ବା ୫ଟି ବୁଧବାରରେ ଏହି ଓଷା ପାଳନ କରାଯାଏ । ଅନେକ ଗହ୍ମା ପୂର୍ଣ୍ଣିମା ଠାରୁ ଇନ୍ଦୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଓ ଆଉ କେତେକ ସଂକ୍ରାନ୍ତି ଅନୁଯାୟୀ ଭାଦ୍ର ସଂକ୍ରାନ୍ତିରୁ ଆଶ୍ୱିନ ସଂକ୍ରାନ୍ତିକୁ ହିସାବ କରିଥାନ୍ତି । ଏହା ଏକ ଖାଣ୍ଟି ଓଡ଼ିଆ ଓଷା । ସାଧାରଣତଃ ସଧବା ନାରୀମାନେ ସନ୍ତାନ କାମନା କରି ଓ ତା’ର ଶୁଭ ମନାସିବା ଉଦ୍ଦେଶ୍ୟରେ ଏହି ଓଷା କରନ୍ତି । ଏଥିରେ ନିର୍ଜଳ ଭାବରେ ରହି ଓଷା ପାଳନ କରାଯାଏ । ଏଥିରେ ବୁଧିବାମନଙ୍କୁ ପୂଜା କରାଯାଏ । ଏଠାରେ ବୁଦ୍ଧ ବା ବୁଧେଇ ହେଉଛନ୍ତି ଭୈରବୀ ବା ବିମଳା । ବାମନ କହିଲେ ଭୈରବ ଯିଏ ସ୍ୱୟଂ ଜଗନ୍ନାଥ । ଅର୍ଥାତ ଏହି ଓଷାର ଆରାଧ୍ୟା ଦେବାଦେବୀ ହେଲେ ଶ୍ରୀଜଗନ୍ନାଥ ଓ ବିମଳା । କିନ୍ତୁ ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହି ଓଷାରେ ନାରୀରୂପୀ ବୁଧ ଓ ମଙ୍ଗଳାଙ୍କୁ ପୂଜା କରାଯାଏ । ପରମ୍ପରା ଅନୁସାରେ ପୂଜାସ୍ଥଳୀଟିକୁ ଗୋବରରେ ଲିପି ଶୁଚି କରାଯାଏ । ପୂଜା ନିମନ୍ତେ ଆବଶ୍ୟକ ହୁଏ ପାଞ୍ଚ ରଙ୍ଗର ଫୁଲ, ପାଞ୍ଚ ପ୍ରକାରର ଫଳ, ପଞ୍ଚ ଧୂପ, ପାଞ୍ଚୋଟି ଦୁବ ଓ ପାଞ୍ଚ ଅକ୍ଷତ । ଏଥିରେ ବେଲପତ୍ର, ଖଇମାଳ ଓ ଫୁଲମାଳରେ ଠାକୁରଙ୍କୁ ଲାଗି କରାଯାଏ । ପ୍ରଥମ ପାଳିରେ ପୂଜାରେ ଗୋଟିଏ ନଡ଼ିଆ ବସାଯାଏ ଓ ଶେଷ ପାଳିଦିନ ଏହି ନଡ଼ିଆକୁ ଭାଙ୍ଗି ଠାକୁରଙ୍କୁ ସମର୍ପଣ କରାଯାଏ । ମଝି ପାଳିଗୁଡ଼ିକରେ ପିଠାପଣା ଆଦି କରି ଭୋଗ ଲଗାଯାଏ । ପ୍ରତି ବୁଧବାର ଦିନସାରା ଉପବାସ ରହି ରାତିରେ ପୂଜା ସରିବା ପରେ ଭୋଗ ଖିଆଯାଏ । ଏଥିରେ ଶିଳ ଓ ଶିଳପୁଆଙ୍କୁ ବଟା ଅଁଳା ପାଣି ସହ ଗଙ୍ଗା ଜଳରେ ସ୍ନାନ କରାଇ ହଳଦୀ କନା ଓ ସୂତା ଗୁଡ଼ାଇ ନାରୀବେଶ କରାଯାଏ । ମଥାରେ ସିନ୍ଦୂର ଓ ଆଖିରେ କଜ୍ଜ୍ୱଳ ଲଗାଇ ଫୁଲରେ ସଜାଇ ଦିଆଯାଏ ଓ ଦୀପ ଜାଳି ପୂଜା କରାଯାଏ । ବୁଧିବାମନ ଓଷା ପାଇଁ ସ୍ୱତନ୍ତ୍ର ବହି ରହିଛି ।

Related Articles

Leave a Reply

Your email address will not be published.

Back to top button