ଦାସ ପ୍ରଥାର ଉନ୍ମୂଳନ

ଦାସ ବ୍ୟାପାର ଓ ତା’ର ଉନ୍ମୂଳନର ଦୁଃଖଦ ଘଟଣାକୁ ଲୋକମାନଙ୍କ ମନରେ ଅଙ୍କିତ କରିବା ପାଇଁ ଆଜିର ଦିନରେ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଦାସ ବ୍ୟାପାର ଓ ତା’ର ଉନ୍ମୂଳନ ସ୍ମରଣ ଦିବସ ପାଳନ କରିବା ପାଇଁ ସଂଯୁକ୍ତ ରାଷ୍ଟ୍ର ଘୋଷଣା କରିଥିଲେ । ଏହା ସେହି ମହିଳା ଓ ପୁରୁଷଙ୍କ ସ୍ମୃତିର ସମ୍ମାନ କରିବାର ଦିନ ଯେଉଁମାନେ ୧୭୯୧ରେ ସେଣ୍ଟ୍-ଡୋମିଙ୍ଗୁରେ ବିଦ୍ରୋହ କରି ଗୁଲାମୀ ଓ ଅମାନବୀୟକରଣର ଅନ୍ତ ହେବାର ମାର୍ଗ ପ୍ରଶସ୍ତ କରିଥିଲେ । ଯେତେବେଳେ ଆମେ କୌଣସି ମଣିଷକୁ କିଣାବିକାର କଥା ଶୁଣନ୍ତି ଆଶ୍ଚର୍ଯ୍ୟ ହୋଇଥାନ୍ତି । କିନ୍ତୁ କେବେ ଟ୍ରାନ୍ସଆଟ୍ଲାଣ୍ଟିକ୍ ଦାସ ବ୍ୟାପାର, ହେତିଆନ୍ କ୍ରାନ୍ତି ବିଷୟରେ ଶୁଣିଛନ୍ତି କି? ଷୋଡ଼ଶ ଶତାବ୍ଦୀର ଶେଷ ସମୟ ଠାରୁ ଊନବିଂଶ ଶତାବ୍ଦୀର ପ୍ରାରମ୍ଭ ପର୍ଯ୍ୟନ୍ତ ଟ୍ରାନ୍ସଆଟ୍ଲାଣ୍ଟିକ୍ ଦାସ ବ୍ୟାପାର ଏକ ପ୍ରମୁଖ ତ୍ରିକୋଣୀୟ ବ୍ୟାପାର ଥିଲା ଯେଉଁଥିରେ ଆମେରିକା, ଆଫ୍ରିକା, କାରିବିୟାନ୍, ୟୁରୋପିଆନ୍ ଦେଶଗୁଡ଼ିକରେ ଦାସ, କ୍ୟାସ୍ କ୍ରପ୍ସ, ମଦ୍ୟ ପରି ଜିନିଷର ବ୍ୟାପାର ହେଉଥିଲା । ଏଥିରେ ଆଫ୍ରିକାରୁ ଆମେରିକାକୁ ଆଣାଯାଇଥିବା ଦାସମାନଙ୍କୁ କ୍ୟାସ୍ କ୍ରପ୍ସର ଚାଷରେ ନିଯୁକ୍ତ କରାଯାଉଥିଲା ଯାହାକୁ ପରେ ୟୁରୋପ ପଠାଯାଉଥିଲା । ଏହା ବଦଳରେ ୟୁରୋପିଆନ୍ ଦେଶର ସାମଗ୍ରୀରେ ଆଫ୍ରିକାନ୍ ଦାସମାନଙ୍କୁ କିଣାଯାଉଥିଲା । ୨୨ ଓ ୨୩ ଅଗଷ୍ଟ, ୧୭୯୧ର ରାତିରେ ସେଣ୍ଟ୍-ଡୋମିଙ୍ଗୁରେ ଦାସ ବ୍ୟାପାରକୁ ନେଇ ବିଦ୍ରୋହ ହେବାର ଦେଖାଯାଇଥିଲା । ଏହି ବିଦ୍ରୋହ ଆଗକୁ ଯାଇ ଟ୍ରାନ୍ସଆଟ୍ଲାଣ୍ଟିକ୍ ଦାସ ବ୍ୟାପାରକୁ ଶେଷ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଏହି ଘଟଣାର ପୃଷ୍ଠଭୂମି ଅନୁସାରେ ପ୍ରତି ବର୍ଷ ଆଜିର ଦିନକୁ ଅନ୍ତଃରାଷ୍ଟ୍ରୀୟ ଦାସ ବ୍ୟାପାର ଓ ତା’ର ଉନ୍ମୂଳନ ସ୍ମରଣ ଦିବସ ଭାବରେ ପାଳନ କରାଯାଏ । ଯେଉଁମାନେ ଦାସ ବ୍ୟାପାରର ଟ୍ରାଜେଡି ସହିତ ସଂଘର୍ଷ କରିଛନ୍ତି ସେହି ଲୋକମାନଙ୍କୁ ସ୍ମରଣ କରିବା ଏହି ଦିନର ଉଦ୍ଦେଶ୍ୟ ।