ସହଜ ହେବ ହୃଦ୍‌ରୋଗ ଲକ୍ଷଣ ଚିହ୍ନଟ

ଚେନ୍ନାଇଚିକିତ୍ସା କ୍ଷେତ୍ରର ଅତୁଳନୀୟ ଉନ୍ନତି ସତ୍ତ୍ବେ ହୃଦୟ ଏବଂ ରକ୍ତଭଣ୍ଡାର ସମ୍ବନ୍ଧୀୟ ରୋଗ ସମଗ୍ର ବିଶ୍ୱରେ ମୃତ୍ୟୁର ଏକ ପ୍ରମୁଖ କାରଣ ପାଲଟିଛି । ଏହି ରୋଗ ଶୀଘ୍ର ଚିହ୍ନଟ ଏବଂ ସଠିକ୍ ସମୟରେ ଚିକିତ୍ସା କରାଇବାର ଆବଶ୍ୟକତା ରହିଛି । ବୈଜ୍ଞାନିକମାନେ ବର୍ତ୍ତମାନ ଏହାର ଉପାୟ ବାହାର କରିଛନ୍ତି । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ମାଡ୍ରାସର ଅନୁସନ୍ଧାନକାରୀମାନେ ରକ୍ତଭଣ୍ଡାରର ସ୍ୱାସ୍ଥ୍ୟ ଏବଂ ବୟସ ଆକଳନ କରିବା ପାଇଁ ଏକ ନନ୍-ଇନ୍‌ଭେନ୍ସିଭ୍ ଉପକରଣ ପ୍ରସ୍ତୁତ କରିଛନ୍ତି, ଯାହା ଦ୍ବାରା ହୃଦ୍‌ରୋଗ ପାଇଁ ଶୀଘ୍ର ସ୍କ୍ରିନିଂ ଯୋଗାଇ ଦେବାର ସୁବିଧା ମିଳିପାରିବ । ଏହି ଉପକରଣକୁ ARTSENS କୁହାଯାଉଛି । ଡିଭାଇସ୍ ଏପରି ଡିଜାଇନ୍ ହୋଇଛି ଯେ, ଏହା ଭସ୍କୁଲାର ସ୍ବାସ୍ଥ୍ୟର ଆକଳନ ଏବଂ ପୂର୍ବାନୁମାନ କରିବାରେ ସହାୟକ ହୋଇପାରିବ । ଏହି ଉପକରଣ ନନ୍-ଇମେଜିଙ୍ଗ୍ ପ୍ରୋବ ଏବଂ ଏକ ଇଣ୍ଟେଲିଜେଣ୍ଟ୍ କମ୍ପ୍ୟୁଟିଂ ପ୍ଲାଟଫର୍ମ ଦ୍ୱାରା ଚାଳିତ । ପୋର୍ଟେବଲ୍ ଏବଂ ARTSENS ଭଳି ଉପକରଣ ବ୍ୟବହାର କରିବା ସହଜ । କାରଣ ଏହା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ କରାଯାଇଛି । ଏଥିସହ ଏହି ଉପକରଣକୁ ସବୁ ବର୍ଗର ଲୋକେ ମଧ୍ୟ ବ୍ୟବହାର କରିପାରିବେ । କାରଣ ଏହାର ମୂଲ୍ୟ ମଧ୍ୟ ସୁବିଧା ଜନକ ରହିଛି ବୋଲି ଡିଭାଇସ୍ ବିକଶିତ କରିଥିବା ଆଇଆଇଟି ମାଡ୍ରାସରେ ହେଲଥ କେୟାର ଟେକ୍ନୋଲୋଜି ଇନୋଭେସନ୍ ସେଣ୍ଟର୍ ର ଫେକଲ୍ଟି ଇନଚାର୍ଜ ଡକ୍ଟର ମୋହନଶଙ୍କର ଶିବପ୍ରକାସମ୍ କହିଛନ୍ତି । ଆମର ଧାରଣା ଅନୁସାରେ, ଏହା ହେଉଛି ପ୍ରଥମ ହାତରେ ନିଆଯାଇ ପାରୁଥିବା, ସହଜରେ ବ୍ୟବହାର କରାଯାଇ ପାରୁଥିବା ଏବଂ ସ୍ବଳ୍ପ ମୂଲ୍ୟରେ ମିଳୁଥିବା ନିତ୍ୟ ବ୍ୟବହାର୍ଯ୍ୟ କ୍ଲିନିକାଲ ପ୍ରାକ୍ଟିସ୍ ଏବଂ ବୃହତ୍ତ ସ୍କ୍ରିନିଂ ପାଇଁ ଉପଯୁକ୍ତ ବୋଲି ଅନୁସନ୍ଧାନକାରୀ ଟିମ୍ କହିଛନ୍ତି । ଆଇଆଇଟି ମାଡ୍ରାସର ବୈଜ୍ଞାନିକମାନେ ଜର୍ଣ୍ଣାଲ୍ ଅଫ୍ ହାଇପରଟେନ୍ସନ୍ ପତ୍ରିକାରେ ଏହି ଅଧ୍ୟୟନର ଫଳାଫଳ ପ୍ରକାଶ କରିଛନ୍ତି । ମୋଟ 5,000 ଲୋକଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା ।

Related Articles

Leave a Reply

Your email address will not be published.

Back to top button